ରାଜ୍ୟ

Cyclone Fear: ଆଣ୍ଡାମାନ ସାଗରରୁ ମାଡ଼ି ଆସୁଛି ବିପଦ, ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା, ଭିଜିବ ଦଶହରା

ଭୁବନେଶ୍ୱର, ୦୨/୧୦ :ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୧୩ରେ ଆଣ୍ଡାମାନ ସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ। ୧୫ ତାରିଖବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସ୍ବଳ୍ପ ସମ୍ଭାବନା ମଧ୍ୟ ରହିଛି। ଏବେ ସୁଦ୍ଧା ଏତିକି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ଆଇଏମଡି ଅକ୍ଟୋବର ମଝିରେ ଆସୁଥିବା ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିଶ୍ଳେଷଣ । ଡର ପଶିଛି,ଅଧିକ ଘନୀଭୂତ ହେବ କି ଏହି ସିଷ୍ଟମ?ଅବପାତ,ଗଭୀର ଅବପାତ ନା ତା’ଠାରୁ ବେଶି ବଳ ଜୁଟାଇବ?

ଆନ୍ତର୍ଜାତିକ ମଡେଲ୍ ଜିଏଫଏସ୍ ଓ ଇସିଏଫଲୁଏଫ ମଧ୍ଯ ଏ ଦିଗରେ ସଙ୍କେତ ଦେଖାଉଛନ୍ତି। କିନ୍ତୁ,ଜିଏଫଏସର ତାଜା ଆକଳନ ଅନୁସାରେ ଏହି ସିଷ୍ଟମ ଆସିବାକୁ ବିଳମ୍ବ ହୋଇପାରେ। ମାତ୍ର ଇସିଏମଫଲୁଏଫ୍ ଦେଖାଉଛି,୧୬ ତାରିଖବେଳକୁ ଆନ୍ଧ୍ର ଉପକୂଳ ପାଖାପାଖି ଥିବ । କିନ୍ତୁ,ଏବେଠାରୁ କୌଣସି ମଡେଲ୍ ଏହାର ସମ୍ଭାବ୍ୟ ଗତିପଥ ଦେଖାଇ ନାହାନ୍ତି।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ୧୩ରୁ ୧୫ ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହେବା ପାଇଁ ବାତାବରଣ ଅନୁକୂଳ ରହୁଛି। ମାତ୍ର ଏବେଠାରୁ ଏହାର ତୀବ୍ରତା,ପ୍ରଭାବ ଓ ଗତିପଥ ନେଇ କିଛି କହି ହେବନି। ଆସନ୍ତା ୭/୮ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହୋଇପାରେ। କୃଷି ପାଣି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ହେଲା,୨ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଖରା ଟାଣ ରହିପାରେ । ଅଧିକ ତାପମାତ୍ରା ଓ ଆର୍ଦ୍ରତା କାରଣରୁ ଗତ ଗରମ ପ୍ରକୋପ ଅନୁଭୂତ ହେବ। କେତେକ ସ୍ଥାନରେ ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ଅନୁକୂଳ ସଙ୍କେତ ଦେଖାଯାଉଛି।

ଏହା କେତେ ଘନୀଭୂତ ହେବ,ଓ ଗତିପଥ କୁଆଡ଼େ ରହିବ,ଏବେଠାରୁ କହି ହେବନି। ୪-୫ ତାରିଖବେଳକୁ ମଡେଲରେ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଏହି ସମ୍ଭାବ୍ୟ ସିଷ୍ଟମ ଘନୀଭୂତ ହେବା ପାଇଁ ବାତାବରଣ ପୂରା ଅନୁକୂଳ ରହୁଛି। ସମୁଦ୍ର ତାପମାତ୍ରା ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହୁଛି। ଏହା ଲଘୁଚାପକୁ ଘନୀଭୂତ ହେବା ପାଇଁ ବଳ ଦେବ। ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ଉପକୂଳ ଭାରତକୁ ଆସିବା ପାଇଁ ବେଶ୍ ଲମ୍ବା ପଥ ଅତିକ୍ରମ କରିବ। ଆଣ୍ଡାମାନରୁ ତାମିଲନାଡୁ ଓ ଆନ୍ଧ୍ର ଉପକୂଳର ଦୂରତା ପ୍ରାୟ ୧୫୦୦ କିମିରୁ ଅଧିକ। ଓଡ଼ିଶା ଉପକୂଳର ଦୂରତା ପ୍ରାୟ ୧୧୦୦ କିମି। ଏତେ ଲମ୍ବା ପଥ ଅତିକ୍ରମ କରି ଉପକୂଳକୁ ସିଷ୍ଟମ ଆସିଲେ ଅଧିକ ବଳ ଜୁଟାଇ ଶକ୍ତିଶାଳୀ ହୋଇପାରେ।

ବର୍ତ୍ତମାନର ଆକଳନ ଅନୁସାରେ ୧୫ ଯାଏଁ ବିଶେଷ ବର୍ଷା ନାହିଁ । କିନ୍ତୁ,୧୭/୧୮ ତାରିଖବେଳକୁ ବର୍ଷା ବଢ଼ିପାରେ। ଏମିତିକି ଦଶହରାବେଳକୁ ସମ୍ଭାବ୍ୟ ଅବପାତ ଉପକୂଳ ପାଖାପାଖି ରହିବାର ସମ୍ଭାବନା ଥିବାରୁ ବର୍ଷା ବଢ଼ିବା ସମ୍ଭାବନା ଅଛି। ଯଦି ଏହି ଆକଳନ ଆଗକୁ ସତ ହୁଏ,ତେବେ ଚଳିତବର୍ଷ ଦୁର୍ଗାପୂଜା ସମୟରେ ବଡ଼ ବର୍ଷା ହୋଇପାରେ। ଚଳିତ ବର୍ଷ ୨୦ରେ ଦଶହରା ଥିବାବେଳେ ୧୮ରୁ ମହାଷ୍ଟମୀ ପର୍ବ ଆରମ୍ଭ ହେବ। ପୂଜା ବାତାବରଣକୁ ବର୍ଷା ଭିଜାଇବା ଆଶଙ୍କା ଦେଖା ଦେଇଛି। ଅତୀତରେ ୨୦୧୩ ଓ ୨୦୧୪ରେ ଅକ୍ଟୋବର ଦ୍ବିତୀୟ ସପ୍ତାହବେଳକୁ ଫାଇଲିନ ଓ ହୁଡହୁଡ୍ ଭଳି ବାତ୍ୟା ଆସି ଦୁର୍ଗାପୂଜା ପାର୍ବଣକୁ ଭିଜାଇ ଦେଇଛି।

ବର୍ତ୍ତମାନ ରାଜ୍ୟରେ ଟାଇଁ ଟାଇଁ ଖରା ନାକେଦମ କଲାଣି। ପ୍ରାୟ ୬ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ଥିଲା। ନୟାଗଡ଼ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିବାବେଳେ ଢେଙ୍କାନାଳ,ଭଦ୍ରକ,ପାରଳାଖେମୁଣ୍ଡି,ଝାରସୁଗୁଡ଼ା,ପୁରୀ ଓ ଭୁବନେଶ୍ଵରରେ ପାରଦ ୩୫ ଡିଗ୍ରୀ ପାର୍ କରିଛି। ପୁରୀରେ ୩୫.୮,ଭୁବନେଶ୍ଵର ତାପମାତ୍ରା ୩୫.୬ ଡିଗ୍ରୀ ଥିଲା। ଦିନରେ ଗରମ ପ୍ରକୋପ ବଢ଼ିଛି। ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ଗଞ୍ଜାମରୁ ବାଲେଶ୍ଵର ଯାଏ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ,ବିସ୍ତୃତ ଅଞ୍ଚଳରେ ଏବେ ବର୍ଷା ସମ୍ଭାବନା ନାହିଁ ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button