ରାଜ୍ୟ

Oral Cancer : ଅଫିମ ମଞ୍ଜିରୁ ମୁଖ କର୍କଟ ଚିକିତ୍ସାର ନୂଆ ଆଶା, ଆଇଜର ଓ ଏନ୍‌ଆଇଟି ଗବେଷକଙ୍କ ସଫଳ ଉଦ୍ୟମ

ରାଉରକେଲା, ୨/୧୦ : ଅଫିମ ମଞ୍ଜିରୁ ବାହାର କରାଯାଇଥିବା ଅଣୁ ଏବଂ ପ୍ରୋଟିନ୍‌ ସଂଶ୍ଳେଷଣ ବା ପ୍ରୋଟିନ୍‌ ସିନ୍ଥେସିସ୍‌ର ମିଶ୍ରଣରୁ କର୍କଟ ଚିକିତ୍ସାରେ ସହାୟକ ଉପାଦାନ ବିକଶିତ ହୋଇଛି । ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାର ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଭାଗର ଗବେଷକ, ଆଇଜର (ଆଇଆଇଏସ୍‌ଇଆର୍‌) ବ୍ରହ୍ମପୁରର ରସାୟନ ବିଜ୍ଞାନ ବିଭାଗର ଗବେଷକଙ୍କ ସହ ମିଳିତ ଉଦ୍ୟମରେ ଏହା ବିକଶିତ ହୋଇଥିବା ଏନ୍‌ଆଇଟି ପକ୍ଷରୁ କୁହାଯାଇଛି । ମୁଖ ଗହ୍ୱର କର୍କଟ (ଓରାଲ କ୍ୟାନ୍ସର) ଚିକିତ୍ସାରେ ଉପଯୋଗୀ ଏକ ନୂତନ ‘କୋଟାର୍ନିନ୍‌ଡେରିଭେଟିଭ୍‌’ ଚିକିତ୍ସା ପଦ୍ଧତି ବା ଫର୍ମୁଲେସନ୍‌ ବିକାଶ ହୋଇଛି । ଏହା ମୁଖ୍ୟତଃ ଏକ ନୂତନ କୋଟାର୍ନିନ୍‌ ଡେରିଭେଟିଭ୍‌ର ଡିଜାଇନ୍‌, ସଂଶ୍ଳେଷଣ ଏବଂ ଫର୍ମୁଲେସନ୍‌ ଉପରେ କେନ୍ଦ୍ରିତ, ଯାହାର ଲକ୍ଷ୍ୟ ହେଉଛି ମୁଖ ଗହ୍ୱର କର୍କଟ ପାଇଁ ନୂତନ ଚିକିତ୍ସା ପଦ୍ଧତିର ଅନ୍ୱେଷଣ । ରସାୟନ ବିଜ୍ଞାନରେ ଥିବା ରାଉରକେଲା ଏନ୍‌ଆଇଟି ଓ ବ୍ରହ୍ମପୁର ଆଇଜର୍‌ର ଗବେଷକ ମାନେ ଏହା ବିକାଶ କରିଛନ୍ତି ।

ରସାୟନ ବିଜ୍ଞାନ ଏବଂ ଫର୍ମୁଲେସନ୍‌ ବିଜ୍ଞାନର ସମନ୍ୱୟରେ ଗବେଷକ ଦଳ ପରବର୍ତ୍ତୀ ପ୍ରାକ୍‌-କ୍ଲିନିକାଲ୍‌ ଅନୁସନ୍ଧାନ ଏବଂ ଟ୍ରାନ୍ସଲେସନାଲ୍‌ ଗବେଷଣା ପାଇଁ ଏହି ଆଶାଜନକ ଉପାଦାନ ପ୍ରସ୍ତୁତ କରିଛନ୍ତି । ଏହି ଉଦ୍ଭାବନକୁ “ମୁଖ ଗହ୍ୱର କର୍କଟ ଚିକିତ୍ସା ପାଇଁ କୋଟାର୍ନିନ୍‌ ଡେରିଭେଟିଭର ଡିଜାଇନ୍‌, ସଂଶ୍ଳେଷଣ ଏବଂ ଫର୍ମୁଲେସନ୍‌’ ଶୀର୍ଷକରେ ପେଟେଣ୍ଟ ନମ୍ବର ୬୦୪୧୨୫ ଅଧୀନରେ ପେଟେଣ୍ଟ ପ୍ରଦାନ କରାଯାଇଛି । ଏହି ଉଦ୍ଭାବକମାନଙ୍କ ମଧ୍ୟରେ ଏନ୍‌ଆଇଟି ରାଉରକେଲାରୁ ଲକ୍ଷ୍ମୀପ୍ରିୟା ପୃଷ୍ଟି, ପ୍ରଫେସର ହରେକୃଷ୍ଣ ସାହୁ, ଶ୍ରୁତି ବିଶ୍ୱାଳ ଓ ପ୍ରଫେସର ବିବେକାନନ୍ଦ ମଲ୍ଲିକ ଏବଂ ଆଇଜର ବ୍ରହ୍ମପୁରରୁ ପ୍ରଦ୍ୟୋତ କୁମାର ବେହେରା ଓ ପ୍ରଫେସର ଲକ୍ଷ୍ମୀଧର ରାଉତ ସମ୍ପୃକ୍ତ ।  ମୁଖ ଗହ୍ୱର କର୍କଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଭାବେ ବଢ଼ି ଚାଲିଛି । ଗବେଷଣା ଦଳ କର୍କଟ ପ୍ରତିରୋଧୀ ସମ୍ଭାବନାର ଅନୁସନ୍ଧାନ ସକାଶେ ଏକ ଫର୍ମୁଲେସନ୍‌ ବିକଶିତ କରିଛନ୍ତି । ଏହି ଫର୍ମୁଲେସନ୍‌ ଉନ୍ନତ ପ୍ରଭାବଶାଳୀ ଏବଂ ସ୍ୱଳ୍ପ ପ୍ରତିକୂଳ ପ୍ରଭାବ ସହିତ ନୂତନ ଚିକିତ୍ସା ଉପାଦାନ ବିକାଶ କରିବାରେ ଅଧିକ ଅଧ୍ୟୟନ ପାଇଁ ଏକ ଭିତ୍ତିଭୂମି ଯୋଗାଇବ ।

ଏ ନେଇ ପ୍ରଫେସର ହରେକୃଷ୍ଣ ସାହୁ କହିଛନ୍ତି, “ଏହି କୋଟାର୍ନିନ୍‌ ଡେରିଭେଟିଭର ବିକାଶ ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ପାଇଁ ନୂତନ ଆଣବିକ ଉପାଦାନ ଅନ୍ୱେଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ଆଣବିକ ଡିଜାଇନ୍‌, ସଂଶ୍ଳେଷଣ ଏବଂ ଫର୍ମୁଲେସନକୁ ନେଇ ଗଠିତ ଏକ ସମନ୍ୱିତ ପ୍ରକ୍ରିୟା ମାଧ୍ୟମରେ, ଆମେ ଏପରି ଏକ ଆଶାଜନକ ଉପାଦାନ ବିକାଶ କରିଛୁ ଯାହା ପରବର୍ତ୍ତୀ ପ୍ରି-କ୍ଲିନିକାଲ୍‌ ଏବଂ ଟ୍ରାନ୍ସଲେସନାଲ୍‌ ଗବେଷଣା ପାଇଁ ଉପଯୁକ୍ତ ହୋଇପାରିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button