ଜାତୀୟ

Romance scam: ହୃଦୟର କଥା କହୁଥିଲେ ଲୁଟିନେଲେ…ଏଆଇ ପ୍ରେମିକକୁ ୧.୭ କୋଟି ପଠାଇ ମହିଳା ହତାଶ

ନୂଆଦିଲ୍ଲୀ,୦୨/୧୦; ପ୍ରଥମେ ସୋସିଆଲ ମିଡିଆରେ ବନ୍ଧୁତା । କଥାବାର୍ତ୍ତା ଆଗକୁ ବଢ଼ିଲା । ତା’ପରେ ପ୍ରେମ । ବ୍ରିଟେନର ୮୦ ବର୍ଷୀୟା ଜଣେ ମହିଳା ଭାବିନେଲେ ଯେ ଫେସ୍ବୁକ୍‌ରେ ମିଳିଥିବା ବ୍ୟକ୍ତି ତାଙ୍କର ପ୍ରକୃତ ସାଥୀ । କିନ୍ତୁ ଯାହା ସହ ସେ ହୃଦୟର କଥା କହୁଥିଲେ, ସେ ପ୍ରକୃତରେ ଜଣେ ବ୍ୟକ୍ତି ନୁହେଁ, ବରଂ ଠକଙ୍କର ଏକ ଗ୍ୟାଙ୍ଗ ଥିଲା । ଏହି ଗ୍ୟାଙ୍ଗ ଏଆଇ ସାହାଯ୍ୟରେ ନକଲି ବୟଫ୍ରେଣ୍ଡର ଫଟୋ ଓ କଣ୍ଠସ୍ୱରଯୁକ୍ତ ମେସେଜ୍ ପ୍ରସ୍ତୁତ କଲା । ତା’ପରେ ରୋଗ ଓ ଅପହରଣର ମିଛ କାହାଣୀ ଶୁଣାଇ ମହିଳାଙ୍କଠୁ ପ୍ରାୟ ୧.୭ କୋଟି ଟଙ୍କା ଠକିନେଲା ।

ମହିଳାଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ । ତାଙ୍କ ଝିଅ ଗଣମାଧ୍ୟମକୁ କହିଛନ୍ତି, ଫେସ୍ବୁକ୍‌ରେ ଭେଟିଥିବା ଜଣେ ବ୍ୟକ୍ତିକୁ ମା’ ପ୍ରେମ କରିବସିଥିଲେ । ସେ ପ୍ରକୃତ ସମ୍ପର୍କରେ ଅଛନ୍ତି ବୋଲି ଭାବୁଥିଲେ । କିନ୍ତୁ ପରଦା ପଛରେ ଥିବା ଠକ ତାଙ୍କ ଭାବନା ସହ ଖେଳୁଥିଲେ । ବିଭିନ୍ନ ବାହାନା ଦେଖାଇ ସେମାନେ ମହିଳାଙ୍କଠୁ ଟଙ୍କା ଲୁଟୁଥିଲେ । ଥରେ ସେ ଏକ ଫମ୍ପା ବହି ଭିତରେ ଲୁଚାଇ ସେମାନଙ୍କ ପାଖକୁ ୧୧ ଲକ୍ଷ ଟଙ୍କା ପଠାଇଥିଲେ । ଶଂଘାଇ ସ୍ଥିତ ହସ୍ପିଟାଲରେ ଟଙ୍କା ପହଞ୍ଚାଇବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଥିଲା । ରୋଗଗ୍ରସ୍ତ ସାଥୀଙ୍କ ସାହାଯ୍ୟ କରୁଛନ୍ତି ବୋଲି ମହିଳା ଭାବୁଥିଲେ । କିନ୍ତୁ ପ୍ରକୃତରେ ସେ ବଡ଼ ଠକେଇର ଶିକାର ହୋଇଥିଲେ । ଠକ ଅପହରଣର ନାଟକ ମଧ୍ୟ ରଚିଥିଲେ । ଟଙ୍କା ନ ଦେଲେ ସାଥୀଙ୍କୁ ହତ୍ୟା ଧମକ ମିଳିଥିବା ମହିଳାଙ୍କୁ କହିଥିଲେ । ସାଥୀଙ୍କ ଜୀବନ ବଞ୍ଚାଇବା ପାଇଁ ମହିଳା ପୁଣି ଟଙ୍କା ପଠାଇଥିଲେ । ଏହିଭଳି ଭାବେ ସେମାନେ ପ୍ରାୟ ୧.୭ କୋଟି ଟଙ୍କା ଠକି ନେଇଥିଲେ । ଫେସ୍ବୁକ୍‌ରେ ପ୍ୟାରେଣ୍ଟ କମ୍ପାନି ମେଟା ନିଜର ନିରାପତ୍ତା ବିଷୟରେ କହିଛି, ଏଭଳି ସ୍କାମ୍‌ର ଯାଞ୍ଚ ଓ ଏହାକୁ ରୋକିବାକୁ ନିରନ୍ତର କାମ କରୁଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button