Abdullah Seth and Mahatma Gandhi: ଗାନ୍ଧୀଙ୍କୁ ‘ମହାତ୍ମା’ କରିବାରେ ମୁସଲିମ୍ ବ୍ୟବସାୟୀଙ୍କ ବଡ଼ ଭୂମିକା ! ଜାଣନ୍ତୁ ଅବଦୁଲ୍ଲା ସେଠ୍ଙ୍କ କାହାଣୀ

ନୂଆଦିଲ୍ଲୀ, ୨।୧୦: ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଗାନ୍ଧୀଜୀ ୨୦ତମ ଶତାବ୍ଦୀର ଇତିହାସରେ ଏପରି ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ ଉପରେ ଦେଶର ମୁସଲମାନ ସମାଜ ଭରସା କରୁଥିଲେ । ଇଂରେଜମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଯେଉଁ ବିଷ ଭରିଥିଲା, ତାହାକୁ ଶେଷ କରିବା ଦିଗରେ ଗାନ୍ଧୀଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ଗାନ୍ଧୀଜୀଙ୍କ ଜୀବନରେ ଏବଂ ଧର୍ମନିରପେକ୍ଷତାର ସଂସ୍କାର ଭରିବାରେ ଦକ୍ଷିଣ ଆଫ୍ରିକାର ବ୍ୟବସାୟୀ ଅବଦୁଲ୍ଲା ସେଠ୍ର ଏକ ବଡ଼ ଅବଦାନ ରହିଥିଲା ।
ଅବଦୁଲ୍ଲା ସେଠ୍ଙ୍କ ସହ କାମ ଏବଂ ଆତ୍ମସମ୍ମାନର ଶିକ୍ଷା:
ଲଣ୍ଡନରୁ ବାରିଷ୍ଟରୀ ପାସ୍ କରି ଭାରତ ଫେରିବା ପରେ ଗାନ୍ଧୀଜୀଙ୍କୁ ଆରମ୍ଭରେ ଓକିଲାତି କାମ ମିଳୁନଥିଲା । ଏହି ସମୟରେ ଗୁଜରାଟର ଅବଦୁଲ୍ଲା ସେଠ୍, ଯିଏ ଦକ୍ଷିଣ ଆଫ୍ରିକାରେ ବ୍ୟବସାୟ କରୁଥିଲେ, ଜଣେ ଭାରତୀୟ ଓକିଲଙ୍କ ଆବଶ୍ୟକତା ଅନୁଭବ କରି ଗାନ୍ଧୀଜୀଙ୍କୁ ଦକ୍ଷିଣ ଆଫ୍ରିକା ଡାକିଥିଲେ । ଗାନ୍ଧୀଜୀ ନିଜ ଆତ୍ମକଥାରେ ଲେଖିଛନ୍ତି ଯେ, ଅବଦୁଲ୍ଲା ସେଠ୍ଙ୍କ କମ୍ ପାଠପଢ଼ା ଓ ଅକ୍ଷର ଜ୍ଞାନ ଥିଲେ ବି ତାଙ୍କର ଅଭିଜ୍ଞତା ଓ ବୁଦ୍ଧି ଅତ୍ୟନ୍ତ ତୀବ୍ର ଥିଲା । ସେ ଗାନ୍ଧୀଜୀଙ୍କୁ କହିଥିଲେ, “ତୁମେ ମୋର ନିଜସ୍ୱ ସ୍ୱାର୍ଥ କଥା ଚିନ୍ତା ନକରି ଭାରତୀୟଙ୍କ ହକ୍ ପାଇଁ ଲଢ଼ ।” ଅବଦୁଲ୍ଲା ସେଠ୍ ନିଜ ମୋକଦ୍ଦମା ଅପେକ୍ଷା ଗାନ୍ଧୀଜୀଙ୍କ ଆତ୍ମସମ୍ମାନ ଓ ଦେଶାଭିମାନକୁ ଅଧିକ ଗୁରୁତ୍ୱ ଦେଇଥିଲେ ।
‘ପଗଡ଼ି’ ବିବାଦ ଏବଂ ଚର୍ଚ୍ଚାରେ ଗାନ୍ଧୀଜୀ:
ଦକ୍ଷିଣ ଆଫ୍ରିକାର ଡରବନ୍ ଅଦାଲତରେ ଯେତେବେଳେ ମାଜିଷ୍ଟ୍ରେଟ୍ ଗାନ୍ଧୀଜୀଙ୍କୁ ନିଜ ପଗଡ଼ି ବାହାର କରିବାକୁ କହିଥିଲେ, ସେତେବେଳେ ଗାନ୍ଧୀଜୀ ମନା କରି କୋର୍ଟରୁ ବାହାରି ଆସିଥିଲେ । ଅପମାନରୁ ବଞ୍ଚିବା ପାଇଁ ଗାନ୍ଧୀଜୀ ଇଂରାଜୀ ଟୋପି ପିନ୍ଧିବାକୁ ଚିନ୍ତା କରିଥିଲେ, ମାତ୍ର ଅବଦୁଲ୍ଲା ସେଠ୍ ତାଙ୍କୁ ବାରଣ କରିଥିଲେ । ଅବଦୁଲ୍ଲା ସେଠ୍ ବୁଝାଇଥିଲେ ଯେ, “ଯଦି ଆପଣ ଇଂରାଜୀ ଟୋପି ପିନ୍ଧିବେ, ତେବେ ଲୋକେ ଆପଣଙ୍କୁ ‘ୱେଟର’ ଭାବିବେ ଏବଂ ଭାରତୀୟ ପଗଡ଼ି ପିନ୍ଧୁଥିବା ଅନ୍ୟ ଲୋକଙ୍କ ସ୍ଥିତି ଆହୁରି ଜଟିଳ ହୋଇଯିବ ।” ଏହା ପରେ ଗାନ୍ଧୀଜୀ ସମ୍ବାଦପତ୍ରରେ ପଗଡ଼ି ଘଟଣାକୁ ନେଇ ନିଜର ପକ୍ଷ ରଖିଥିଲେ ଏବଂ ‘ଅନ୍ୱେଲକମ୍ ଭିଜିଟର’ ନାମରେ ରାତାରାତି ଦକ୍ଷିଣ ଆଫ୍ରିକାରେ ପ୍ରସିଦ୍ଧି ହାସଲ କରିଥିଲେ ।
ସୌଜନ୍ୟ ପ୍ରମେୟ




