India Airport Security: ଏୟାରପୋର୍ଟରେ ହାଇଟେକ୍ ସୁରକ୍ଷା, 3D ମଡେଲ୍ରେ ଧରାପଡ଼ିବ ଲୁଚାଇଥିବା ସନ୍ଦିଗ୍ଧ ବସ୍ତୁ

ନୂଆଦିଲ୍ଲୀ, ୨।୧୦: ଫ୍ଲାଏଦୁବାଇ ବିମାନରେ ପାଇଲଟଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ଘଟଣା ପରେ ଦେଶର ବିମାନ ସୁରକ୍ଷାକୁ ନେଇ ଅତ୍ୟନ୍ତ ସତର୍କ ହୋଇପଡ଼ିଛନ୍ତି ଭାରତ ସରକାର । କେନ୍ଦ୍ରୀୟ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖିଛି। ଏହି ପରିପ୍ରେକ୍ଷୀରେ ଯାତ୍ରୀ ଏବଂ ବିମାନର ନିରାପତ୍ତାକୁ ଆଧୁନିକ ଓ ସୁଦୃଢ଼ କରିବା ପାଇଁ ଦେଶର ୮ଟି ପ୍ରମୁଖ ବିମାନବନ୍ଦରରେ ଅତ୍ୟାଧୁନିକ ‘ଫୁଲ୍ ବଡି ସ୍କାନର୍’ ଲଗାଇବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୮ଟି ପ୍ରମୁଖ ବିମାନବନ୍ଦର ମଧ୍ୟରୁ ୩ଟିରେ ଏହି ଏକ୍ସଟ୍ରା ଆଡଭାନ୍ସ ବଡି ସ୍କାନର୍ ମେସିନ୍ ପହଞ୍ଚିସାରିଛି । ବାକି ୫ଟି ଏୟାରପୋର୍ଟରେ ମଧ୍ୟ ଅତିଶୀଘ୍ର ଏଗୁଡ଼ିକୁ ସ୍ଥାପନ କରାଯିବ । ବର୍ତ୍ତମାନ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ସ୍କାନର୍ ସହ ଜଡ଼ିତ ସମସ୍ତ ବୈଷୟିକ ତଥ୍ୟର ସୂକ୍ଷ୍ମ ବିଶ୍ଲେଷଣ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାଞ୍ଚ ଓ ସ୍କାନିଂ ପ୍ରକ୍ରିୟାକୁ ଶତପ୍ରତିଶତ ସଠିକ୍, ସୁଗମ ଏବଂ ତ୍ରୁଟିହୀନ କରିବା ।
ସ୍କ୍ରିନ୍ରେ ଦିଶିବ କେବଳ 3D ମଡେଲ୍, କ୍ଷୁଣ୍ଣ ହେବନି ଗୋପନୀୟତା:
ଏହି ନୂତନ ସ୍କାନର୍ ଯୋଗୁଁ ଯାତ୍ରୀଙ୍କ ନିଜସ୍ୱ ଗୋପନୀୟତା ପ୍ରଭାବିତ ହେବା ନେଇ ଉଠୁଥିବା ପ୍ରଶ୍ନ ଉପରେ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଏହି ବିଶେଷ ସ୍କାନର୍ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ‘ପିକ୍ଚର ଏଗ୍ନୋଷ୍ଟିକ୍’ ଟେକ୍ନୋଲୋଜି ଉପରେ ଆଧାରିତ । ସ୍କାନିଂ ସମୟରେ କୌଣସି ଯାତ୍ରୀଙ୍କର ବାସ୍ତବ ଶରୀର କିମ୍ବା ବ୍ୟକ୍ତିଗତ ଅଙ୍ଗର ସ୍କ୍ରିନ୍ରେ କୌଣସି ଚିତ୍ର ଆସିବ ନାହିଁ । ସୁରକ୍ଷା କର୍ମୀଙ୍କ ସ୍କ୍ରିନ୍ରେ କେବଳ ଏକ ସାଧାରଣ 3D ମାନବ ଆକୃତି ଦୃଶ୍ୟମାନ ହେବ । ଯଦି ଯାତ୍ରୀ ଜଣଙ୍କ ଶରୀରରେ କୌଣସି ଆପତ୍ତିଜନକ କିମ୍ବା ସନ୍ଦିଗ୍ଧ ବସ୍ତୁ ଲୁଚାଇ ରଖିଥିବେ, ତେବେ ମେସିନ୍ କେବଳ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ହାଇଲାଇଟ୍ କରି ଚିହ୍ନଟ କରିଦେବ ।
.
ସୌଜନ୍ୟ ପ୍ରମେୟ




