Flydubai: ଫ୍ଲାଏଦୁବାଇ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ମାନିଲା ୟୁଏଇ
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଜଣେ ବରିଷ୍ଠ ଅଧିକାରୀ ଫ୍ଲାଏଦୁବାଇ ବିମାନ ଏଫ୍ଜେଡ୍୧୦୭୩ରେ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଏହାସହିତ ମଝି ଆକାଶରେ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛର ଯେପରି ଭାବେ...

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଜଣେ ବରିଷ୍ଠ ଅଧିକାରୀ ଫ୍ଲାଏଦୁବାଇ ବିମାନ ଏଫ୍ଜେଡ୍୧୦୭୩ରେ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଏହାସହିତ ମଝି ଆକାଶରେ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛର ଯେପରି ଭାବେ ସହ-ପାଇଲଟଙ୍କ ଛୁରାମାଡ଼ ପରେ ବି ବିମାନକୁ ସୁରକ୍ଷିତ ରଖିବାକୁ ଲଢ଼ିଥିଲେ ତା’ର ପ୍ରଶଂସା କରିଛନ୍ତି।
ୟୁଏଇ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଅନୱର ଗାରଗାସ୍ କହିଛନ୍ତି, ମାଚ୍ଛର ଦୃଢ଼ତାର ସହିତ ଲଢ଼ି ଆତଙ୍କବାଦୀ କାର୍ଯ୍ୟକୁ ପଣ୍ଡ କରିବା ସହିତ ଏତେବଡ଼ ବିପର୍ଯ୍ୟୟ ହେବାରୁ ରକ୍ଷା କରିଥିବାରୁ ପ୍ରଶଂସାର ପାତ୍ର। ‘ଏକ୍ସ’ରେ ଏକ ପୋଷ୍ଟ କରି ସେ କହିଛନ୍ତି, ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା ପାଇଁ ସତର୍କତା ଆବଶ୍ୟକ। ଫ୍ଲାଏଦୁବାଇ ଘଟଣା ପରେ ପ୍ରଥମ ଥର ପାଇଁ ୟୁଏଇ ଅଧିକାରୀ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ବୀକାର କରିଛନ୍ତି।
ସେପ୍ଟେମ୍ବର ୩୦ ରେ ଦୁବାଇରୁ ତେଲ ଅଭିଭ ଯାଉଥିବା ବିମାନ ପରିଚାଳନା ସମୟରେ ମାଚ୍ଛର ଗୁରୁତର ଆହତ ହୋଇଥିଲେ। କକପିଟ୍ରେ ଦୁଇ ପାଇଲଟ ମୁହାଁମୁହିଁ ହେବା ପରେ ବିମାନ ସାଉଦି ଆରବର ତାବୁକକୁ ଜରୁରୀ ଅବତରଣ କରିଥିଲା। ମାଚ୍ଛର କକ୍ପିଟ୍ରେ ଏକାକୀ ଆକ୍ରମଣକାରୀ ସହ ପାଇଲଟଙ୍କ ମୁକାବିଲା କରିବା ସହିତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସହାୟତାରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ବିମାନଟିରେ ୧୭୪ ଜଣ ଯାତ୍ରୀ ଓ ଆଠ ଜଣ କ୍ରୁ ସଦସ୍ୟ ଥିଲେ। ଗୁରୁବାର ୟୁଏଇ ଛୁରାମାଡ଼ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବିମାନଟି ୟୁଏଇରେ ପଞ୍ଜିକୃତ ଓ ଏହାର ପତାକା ବହନ କରୁଥିବାରୁ ଘଟଣାର ପରିସ୍ଥିତି ଓ କାରଣ ତଦନ୍ତ ପାଇଁ ଏକ ଦଳ ଗଠନ କରାଯିବ। ତେବେ ୟୁଏଇ ସହ ପାଇଇଲଟଙ୍କ ପରିଚୟ ପ୍ରକାଶ କରିନାହିଁ।
ସୌଜନ୍ୟ ସମ୍ବାଦ




