Protest: ଦିଲ୍ଲୀରେ ଆପ୍ ନେତା ଓ ଛାତ୍ରଙ୍କ ସମେତ ୫୦୦ ଅଟକ
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ପ୍ରତିବାଦ ପ୍ରଦର୍ଶନ ସମୟରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଆତିଶୀ, ସୌରଭ ଭାରଦ୍ୱାଜ, ସଞ୍ଜୀବ ଝା, ସଞ୍ଜୟ ସିଂହ ଏବଂ ବିଭିନ୍ନ ଛାତ୍ର ସଂଗଠନର...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ପ୍ରତିବାଦ ପ୍ରଦର୍ଶନ ସମୟରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଆତିଶୀ, ସୌରଭ ଭାରଦ୍ୱାଜ, ସଞ୍ଜୀବ ଝା, ସଞ୍ଜୟ ସିଂହ ଏବଂ ବିଭିନ୍ନ ଛାତ୍ର ସଂଗଠନର କର୍ମକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ପୁଲିସ ଅଟକ ରଖିଛି।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅସଙ୍ଗତି ଏବଂ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ କରି ବିଭିନ୍ନ ରାଜନୈତିକ ଦଳ ଏବଂ ଆଇସା, ଏସ୍ଏଫ୍ଆଇ ଓ ଏନ୍ଏସ୍ୟୁଆଇ ପରି ଛାତ୍ର ସଂଗଠନ ପକ୍ଷରୁ ଯନ୍ତର ମନ୍ତରଠାରେ ଏହି ପ୍ରତିବାଦ ସଭାର ଆହ୍ୱାନ ଦିଆଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ଯନ୍ତର ମନ୍ତର ଓ ଏହାର ଆଖପାଖ ଅଞ୍ଚଳରୁ ଆପ୍ ନେତା ଏବଂ ଛାତ୍ର ସଂଗଠନର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ଅଟକ ରଖାଯାଇଥିଲା।
ପ୍ରତିବାଦ ସ୍ଥଳକୁ ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ‘ଆପ୍’ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ନର୍ଥ ଏଭେନ୍ୟୁଠାରେ ପୁଲିସ ଅଟକାଇଥିଲା। ସେହିପରି ସୌରଭ ଭାରଦ୍ୱାଜ ଏବଂ ସଞ୍ଜୀବ ଝା ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ଏକ ଭିଡିଓ ବାର୍ତ୍ତାରେ ଭାରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, ଅନୁମତି ନଥିବା ଦର୍ଶାଇ ପୁଲିସ ସେମାନଙ୍କୁ ପ୍ରତିବାଦ କରିବାରୁ ରୋକିଛି। ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ ଯନ୍ତର ମନ୍ତରରେ ପ୍ରଦର୍ଶନ ପାଇଁ କାହିଁକି ଅନୁମତି ଆବଶ୍ୟକ ବୋଲି ସେ ପ୍ରଶ୍ନ କରିବା ସହ ଦଳ ପକ୍ଷରୁ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଅନୁମତି ପାଇଁ ଆବେଦନ କରାଯାଇଥିଲା ବୋଲି ପ୍ରକାଶ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜନ୍ତର ମନ୍ତର ଅଭିମୁଖେ ଯାଉଥିବା ଏସ୍ଏଫ୍ଆଇର ପ୍ରାୟ ୭୦୦ ସଦସ୍ୟଙ୍କୁ ଆଶୋକା ରୋଡ୍ ଛକ ନିକଟରେ ଅଟକାଯାଇଥିଲା । ଏସ୍ଏଫ୍ଆଇ ପକ୍ଷରୁ କୁହାଯାଇଛି ଯେ ବହୁ ସଂଖ୍ୟାରେ ଏସ୍ଏଫ୍ଆଇ ଏବଂ ଡିୱାଇଏଫ୍ଆଇ କର୍ମୀଙ୍କୁ ଅଟକ ରଖାଯାଇଛି। ସେହିପରି ଏନ୍ଏସ୍ୟୁଆଇ କର୍ମୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ବେଳେ କେତେକ ପ୍ରତିବାଦକାରୀ ଫିରୋଜ ଶାହ ରୋଡ୍ରେ ବାରିକେଡ୍ ଡେଇଁବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।
ସୌଜନ୍ୟ ସମ୍ବାଦ




