Guest teacher: ଅବସରପ୍ରାପ୍ତ ୬୩୮୭ ଜଣଙ୍କୁ ଅତିଥି ଶିକ୍ଷକ ନିଯୁକ୍ତି ମାମଲା: ସରକାରୀ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ
ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ଓଟିଇଟି ପାସ୍ କରିଥିବା ଯୋଗ୍ୟ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ସୁଯୋଗ ନ ଦେଇ ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତି...

କଟକ: ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ଓଟିଇଟି ପାସ୍ କରିଥିବା ଯୋଗ୍ୟ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ସୁଯୋଗ ନ ଦେଇ ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ସ୍କୁଲ, ସଂସ୍କୃତ ଟୋଲରେ ଅତିଥି ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହିତ ଅକ୍ଟୋବର ୧୨କୁ ମାମଲାଗୁଡ଼ିକର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆର୍.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୫ରୁ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟ ନିକଟରେ ପ୍ରଦାନ କରିଥିବା ରାୟ ଅନୁସାରେ ସ୍କୁଲରେ ଆଡ-ହକ୍ ନିଯୁକ୍ତି ବ୍ୟବସ୍ଥାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଟିଇଟି (ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଯୋଗ୍ୟତା ନଥିବା ତଥା ଉପଯୁକ୍ତ ଚୟନ ପ୍ରକ୍ରିୟା ବିନା ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବା ଉଚିତ ନୁହେଁ। ୨୦୨୫ର ଏହି ନିଷ୍ପତ୍ତି ପରେ ସରକାର ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେଇ ନାହାନ୍ତି। ବହୁ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଶିକ୍ଷକଙ୍କୁ ନିଯୁକ୍ତି ନ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସରକାରଙ୍କ ୨୦୨୫ ଅଗଷ୍ଟ ୧ର ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ସୌଜନ୍ୟ ସମ୍ବାଦ




