ଜାତୀୟ

Vande Bharat : ଚେନାବ ବ୍ରିଜରେ ୧୦୦ କିମିରେ ଦୌଡ଼ିରେ ବନ୍ଦେ ଭାରତ, ରେଳ ମନ୍ତ୍ରୀ କହିଲେ ଐତିହାସିକ ମୁହୂର୍ତ୍ତ

ଶ୍ରୀନଗର, ୩/୧୦ : ଜମ୍ମୁ କାଶ୍ମୀରରେ ୧୧୭୮ ଫୁଟ ଉଚ୍ଚତାରେ ବନାଯାଇଥିବା ଦୁନିଆର ସବୁଠୁ ଉଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ ଭାରତୀୟ ରେଲୱେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଦୌଡ଼ାଇବାରେ ସଫଳ ହୋଇଛି । କେବଳ ଏତିକି ନୁହେଁ, ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭାରତର ପ୍ରଥମ କେବଲ-ଷ୍ଟେ ବିଶିଷ୍ଟ ଅଞ୍ଜି ବ୍ରିଜ୍‌କୁ ୧୦୦ କିମି ଘଣ୍ଟାପ୍ରତି ବେଗରେ ଅତିକ୍ରମ କରିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଭିଡିଓ ସେୟାର କରି ଏହାକୁ ଏକ ଐତିହାସିକ ମୂହୁର୍ତ୍ତ ବୋଲି କହିଛନ୍ତି । ଏହାଦ୍ୱାରା ୟୁଏସ୍‌ବିଆର୍‌ଏଲ୍‌ ପ୍ରୋଜେକ୍ଟରେ ଟ୍ରେନ୍‌ର ପରିଚାଳନା ସହଜ ହେବ । ଯାତ୍ରାର ସମୟ କମିବ ଏବଂ ଯାତ୍ରୀଙ୍କୁ ଦ୍ରୁତ, ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରାର ଅନୁଭବ ମିଳିବ ବୋଲି ଅଶ୍ୱିନୀ କହିଛନ୍ତି ।

ଏହି ସଫଳ ଟ୍ରାଏଲ ପରେ ୧୧୧ କିମି ଦୀର୍ଘ ବିଶିଷ୍ଟ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ବାନିହାଲ ସେକ୍ସନରେ ଟ୍ରେନ୍‌ର ସର୍ବାଧିକ ଗତିକୁ ଘଣ୍ଟା ପ୍ରତି ୭୫ କିମିରୁ ବଢ଼ାଯାଇ ଘଣ୍ଟା ପ୍ରତି ୧୦୦ କିମି ବେଗ କରିଦିଆଯାଇଛି । ୨୦୨୫ ଜୁନ୍‌ରେ ଏହି ସେକ୍ସନ ଉଦ୍‌ଘାଟନ ହେବାର ବର୍ଷକରୁ ଅଧିକ ସମୟ ପରେ ଏହି ସଫଳତା ମିଳିଛି । ଏହି ଉଦ୍‌ଘାଟନ ରେଳ ନେଟୱର୍କ ମାଧ୍ୟମରେ ସବୁ ଋତୁରେ କାଶ୍ମୀରକୁ ଭାରତର ଅନ୍ୟ ପ୍ରାନ୍ତ ସହ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଟ୍ରେନ୍‌ର ଗତି ବୃଦ୍ଧି ଫଳରେ ଉଧମପୁରଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍‌ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପରେ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ଆହୁରି ଉନ୍ନତ ହେବ । ୟୁଏସ୍‌ବିଆର୍‌ଏଲ୍‌ ୨୭୨ କିମି ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା ପ୍ରାୟ ୪୩,୭୮୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏହି ମାର୍ଗ ହିମାଳୟର ଅତ୍ୟନ୍ତ କଠିନ ଭୂଭାଗ ଦେଇ ଗତି କରିଛି । ଏହି ନେଟୱାର୍କରେ ମୋଟ ୧୧୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୩୬ଟି ଟନେଲ୍‌ ଏବଂ ପାହାଡ଼ିଆ ଘାଟି, ଉପତ୍ୟକାଗୁଡ଼ିକୁ ସଂଯୋଗ କରିବା ପାଇଁ ୯୪୩ଟି ପୋଲ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ କାଶ୍ମୀରର ପୂର୍ବରୁ ବିଚ୍ଛିନ୍ନ ହାଇ ରହିଥିବା ଅଞ୍ଚଳଗୁଡ଼ିକୁ ଭାରତୀୟ ରେଳ ନେଟୱାର୍କ ସହ ଯୋଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button