ଜାତୀୟ

Voter List: ବିରୋଧ ପରେ ନଇଁଲେ ଇସି; କଟିଥିବା ଭୋଟରଙ୍କ ନାଁ ପୁଣି ଯୋଡ଼ାଯିବ, ମୁମ୍ବାଇରେ ଟ୍ରେଲର ଦେଖାଇଲା ସିଜେପି

ନୂଆଦିଲ୍ଲୀ,୦୩/୧୦; ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ କୋଟି କୋଟି ଯୋଗ୍ୟ ଭୋଟରଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ଆସିବା ପରେ ଭାରତର ନିର୍ବାଚନ କମିଶନ (ଇସିଆଇ) ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏସ୍ଆଇଆର୍ ସରିଥିବା ୨୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କମିଶନ ସ୍ୱତନ୍ତ୍ର ଅଭିଯାନ ଚଲାଇବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ଏସ୍ଆଇ୍ଆର ପ୍ରକ୍ରିୟାରେ ଭୋଟର ତାଲିକାରୁ କଟିଥିବା ଯୋଗ୍ୟ ଲୋକଙ୍କ ନାଁ ଏବଂ ୧୮ ବର୍ଷରୁ ଊଦ୍ଧ୍ୱର୍ ନୂଆ ଭୋଟରଙ୍କ ନାମ ମତଦାତା ସୂଚୀରେ ସାମିଲ କରାଯାଇପାରିବ । ଏଥିଲାଗି ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସବୁ ରାଜ୍ୟର ସିଇଓଙ୍କ ସହ ନିର୍ବାଚନ କମିଶନ ବୈଠକ ପରିବା ପରେ ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ଭୋଟର ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ କୌଣସି ଯୋଗ୍ୟ ନାଗରିକ ଏସ୍ଆଇଆର୍ ପ୍ରକ୍ରିୟା ପରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରି ନ ଥିବା କାରଣରୁ ଭୋଟଦାନ ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇପାରିବନି ।

ମୁମ୍ବାଇରେ ଟ୍ରେଲର ଦେଖାଇଲା ସିଜେପି- ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର)କୁ ବିରୋଧ ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାଟି ର୍ (ସିଜେପି) ମୁମ୍ବାଇରେ ଜେଲ୍‌ଭୋର ଆନ୍ଦୋଳନ କରିଛି । ଶିବାଜୀ ପାର୍କରେ ଆନ୍ଦୋଳନ ପାଇଁ ପୁଲିସ୍ ଅନୁମତି ନ ଦେବା ସତ୍ତେ୍ୱ ହଜାର ହଜାର କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ସେମାନେ କହିଥିଲେ ଏହା କେବଳ ଟ୍ରେଲର । ଫାଇନାଲ ମ୍ୟାଚ୍ ଜନ୍ତରମନ୍ତରରେ ଖେଳିବେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୭ତମ ଜୟନ୍ତୀ ଅବସରରେ ଷ୍ଟେଜ ଉପରେ ଉପସ୍ଥିତ ସିଜେପିର କାର୍ଯ୍ୟକର୍ତ୍ତା ଓ ତଳେ ଏକାଠି ହୋଇଥିବା ଜେନ୍-ଜି ଯୁବବର୍ଗମାନେ ଗାନ୍ଧିଜୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିଲେ । ହାତରେ ତ୍ରିରଙ୍ଗା ପତାକା ମଧ୍ୟ ଧରିଥିଲେ । ଏଥିସହ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଲେଖାଥିବା ବ୍ୟାନର ଓ ପୋଷ୍ଟର ସେମାନେ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କୁ ଶିବାଜୀ ପାର୍କ ସ୍ଥଳକୁ ଯିବାକୁ ରୋକିବା ଲାଗି ପୁଲିସ ପକ୍ଷରୁ ଦାଦର ରେଳ ଷ୍ଟେସନ ନିକଟରେ ବ୍ୟାରିକେଡ କରାଯାଇଥିଲା । କିନ୍ତୁ ଶତାଧିକ ଆନ୍ଦୋଳନକାରୀ ପୁଲିସର ବ୍ୟାରିକେଡ ଭାଙ୍ଗି ଶିବାଜୀ ପାର୍କରେ ପହଞ୍ଚିଥିଲେ । ସେମାନଙ୍କ ସହ ନାସିରୁଦ୍ଦିନ ଶାହ, ଶାବନା ଆଜମୀ ଓ ବିଶାଳ ଦଦଲାନିଙ୍କ ଭଳି ସେଲିବ୍ରିଟି ସାମିଲ ହୋଇଥିଲେ । ପ୍ରଦର୍ଶନକାରୀ ଶିବସେନା ଭବନରୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button