Kalinga Studio: ଆଜି ନବୀକୃତ କଳିଙ୍ଗ ଷ୍ଟୁଡିଓର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଅତ୍ୟାଧୁନିକ ଉପକରଣ ଏବଂ ଟେକ୍ନୋଲୋଜିର ସମାବେଶ

ଭୁବନେଶ୍ୱର,୦୫/୧୦: ଖୋଲିବ ବହୁ ପ୍ରତିକ୍ଷୀତ ଗୌରବମୟ ‘କଳିଙ୍ଗ ଷ୍ଟୁଡିଓ’ । ଆଜି କଳିଙ୍ଗ ଷ୍ଟୁଡିଓ କମ୍ପେକ୍ସର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀକରଣ କାର୍ଯ୍ୟ ସରିଥିବା ବେଳେ ଆଜି ଏହାର ନୂଆ ରୂପ ସର୍ବସାଧାରଣ ତଥା ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଖୋଲାଯିବ।
ବିଶ୍ୱସ୍ତରୀୟ ଷ୍ଟୁଡିଓ ପରିକଳ୍ପନା କରି ୫ ବର୍ଷ ତଳେ ଯେଉଁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ତାହା ଶେଷ ହୋଇଛି । ବହୁ ବାଦ ବିବାଦ ପରେ ଏବେ ଷ୍ଟୁଡିଓ ଖୋଲିବାକୁ ଯାଉଛି । ଖଣ୍ଡଗିରି-ଭରତପୁର ଅଞ୍ଚଳରେ ୨୨ ଏକର ପରିମିତ ଜମି ଉପରେ ଷ୍ଟୁଡିଓର ନବନିର୍ମାଣ ସମ୍ପନ୍ନ ହୋଇଛି । ସିନେମା ନିର୍ମାଣକୁ ସହଜ ଓ ବିଶ୍ୱସ୍ତରୀୟ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଡ୍ରୋନ, ଟ୍ରଲି କ୍ୟାମେରା, ଏବଂ ହାଇ-ଏଣ୍ଡ୍ ସର୍ଟର୍ କ୍ୟାମେରା ଭଳି ଅତ୍ୟାଧୁନିକ ପ୍ରଡକ୍ସନ୍ ଗିଅର୍ ରଖାଯାଇଛି । ପରିବେଶରେ ସ୍ନୋ ୱାର୍ଲ୍ଡଠାରୁ ଆରମ୍ଭ କରି ଭୂତ ବଙ୍ଗଳା, ବିମାନବନ୍ଦର, ଗାଁ, ରାଜପ୍ରସାଦ, କଟେଜ୍, ସହ ଅନେକ କିଛି ନୂଆ ଭାବରେ ସଜାଯାଇଛି । ଆମ୍ୟୁଜମେଣ୍ଟ ପାର୍କ ସହ ଏଠାରେ ସୁଟିଂ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ଷ୍ଟୁଡିଓକୁ ଅଲଟ୍ରା ମଡର୍ଣ୍ଣ ଷ୍ଟୁଡିଓ ଏବଂ ଫିଲ୍ମ ଟେକ୍ ଜୋନ୍ ଭାବେ ଡିଜାଇନ୍ କରାଯାଇଛି । ଫଳରେ ଭର୍ଚୁଆଲ୍ ପ୍ରଡକ୍ସନ୍, ଏଆଇ ଜେନେରେଟେଡ୍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଓଡ଼ିଆ ସିନେମା ବାହାରକୁ ନ ଯାଇ ନିଜ ରାଜ୍ୟରେ ହିଁ ବିଶ୍ୱସ୍ତରୀୟ ସିନେମା ନିର୍ମାଣ କରିପାରିବେ । ଏହା ବାହାରର ନିର୍ମାତାଙ୍କୁ ଆକର୍ଷିତ କରିବା ସହ ସିନେମା ନିର୍ମାଣ ଲାଗି ଷ୍ଟୁଡିଓ ଭିତ୍ତିଭୂମି ବ୍ୟବହାର କରିବା ପାଇଁ ବଡ଼ ସୁଯୋଗ ଦେବ ।
ସୌଜନ୍ୟ ପ୍ରମେୟ



