ଜାତୀୟ

AI Cyber Attack: ସାବଧାନ! ‘I’m not a robot’ କ୍ଲିକ୍‌ କଲେ ସାଇବର ଆକ୍ରମଣ, କ୍ୟାପ୍‌ଚା ଏବଂ QR କୋଡ୍‌ ସ୍କାନ୍‌ରେ ଖାଲି ହୋଇପାରେ ଡାଟା

ନୂଆଦିଲ୍ଲୀ, ୦୫/୧୦: ସାଇବର ଆକ୍ରମଣରେ ଏଆଇର ବ୍ୟବହାର ବଢ଼ିଚାଲିଛି । ପୂର୍ବରୁ ଯେଉଁ ଆକ୍ରମଣକୁ କିଛି ଦିନ ଲାଗି ଯାଉଥିଲା, ତାହା ଏବେ ଏଆଇ ସହାୟତାରେ କିଛି ମିନିଟ୍‌ରେ ହୋଇଯାଉଛି । ସାଇବର ଅପରାଧୀ ଏଆଇ ବ୍ୟବହାର କରି କିଛି ମିନିଟ୍‌ରେ ହିଁ ସିଷ୍ଟମର ଦୁର୍ବଳତା ଖୋଜିବା, ତଥ୍ୟ ଚୋରି କରିବାରେ ସଫଳ ହେଉଛନ୍ତି ।

ମାଇକ୍ରୋସଫ୍ଟର ଡିଜିଟାଲ ଡିଫେନ୍ସ ରିପୋର୍ଟ ୨୦୨୬ ମୁତାବକ, ଭାରତ ଦୁନିଆର ଶୀର୍ଷ-୭ ସାଇବର ଆକ୍ରମଣ ବିପଦ ଥିବା ଦେଶ ମଧ୍ୟରେ ସାମିଲ । ସାରା ଦୁନିଆରେ ଟ୍ରାକ୍ କରାଯାଇଥିବା ସାଇବର ବିପଦ ମଧ୍ୟରେ ଭାରତର ଅଂଶ ୨.୫ ପ୍ରତିଶତ ରହିଛି । ଗତ ବର୍ଷକ ମଧ୍ୟରେ ରାନ୍ସମ୍ୱେର ଆକ୍ରମଣ ୫ ଗୁଣ ବଢ଼ିଛି ।

ରିପୋର୍ଟ ଅନୁସାରେ, ଅନ୍‌ଲାଇନ ସପିଂ ଏବଂ ୱେବ୍ ବ୍ରାଉଜିଂ ବେଳେ ଏକ କ୍ୟାପ୍‌ଚା ଦେଖାଇ ୟୁଜରଙ୍କ ସିଷ୍ଟମକୁ ହ୍ୟାକ୍ କରାଯାଉଛି । ସେହିପରି ମାଇକ୍ରୋସଫ୍ଟ ଟିମ୍‌ସ  ଭଳି ସେବା ଉପରେ ଫୋନ୍ କରି କିମ୍ବା ନିଜକୁ ଆଇଟି ସପୋର୍ଟ ଭାବେ ପରିଚୟ ଦେଇ କମ୍ପାନୀଗୁଡ଼ିକୁ ଟାର୍ଗେଟ କରାଯାଉଛି । ଗୋଟିଏ ବର୍ଷରେ ଟିମ୍‌ସ ରେ ଭଏସ୍ ଫିଶିଂ ୫୦୨% ବଢ଼ିଛି । ସେହିପରି ନକଲି କ୍ୟାପ୍‌ଚା ମାଧ୍ୟମରେ ଆକ୍ରମଣ ୮ ଗୁଣ ବୃଦ୍ଧି ପାଇଛି । ଏଣିକି ସାଇବର ଆକ୍ରମଣର ଟ୍ରେଣ୍ଡ୍ ବଦଳିଛି । ଇମେଲ କିମ୍ବା ପିଡିଏଫ୍‌ରେ କ୍ୟୁଆର୍ କୋଡ୍ ପଠାଯାଉଛି । ୟୁଜର ଏହାକୁ ସ୍କାନ୍ କରିବା କ୍ଷଣି ସାଇବର ଆକ୍ରମଣର ଶିକାର ହେଉଛନ୍ତି । ବର୍ଷକରେ ମାଇକ୍ରୋସଫ୍ଟ ୧୪.୫ କୋଟି କ୍ୟୁଆର୍ କୋଡ୍ ଫିସିଂ ଆଟାକ୍ ଧରିଛି । ସେହିପରି ୱେବ୍‌ସାଇଟରେ ‘ଆଇ ଆମ୍ ନଟ୍ ଏ ରୋବୋଟ’ ବା ମୁଁ ଜଣେ ରୋବୋଟ ନୁହେଁ ବିକଳ୍ପରେ ୟୁଜର କ୍ଲିକ୍ କରିବା ଦ୍ୱାରା ମଧ୍ୟ ସାଇବର ଆକ୍ରମଣ ହେଉଛି । ନକଲି ଏରର/ଅପ୍‌ଡେଟ୍ର ମେସେଜ୍ ଦେଖାଇ ୟୁଜରଙ୍କୁ ଏକ କମାଣ୍ଡ କପି ପେଷ୍ଟ କରିବାକୁ କୁହାଯାଉଛି । ୧୧ ଲକ୍ଷ ଡିଭାଇସ୍‌ରେ ଏପରି ଗତିବିଧି ହୋଇଥିବା ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button