ରାଜ୍ୟ

BSABT Maintenance Work: ୨୦୦ କୋଟି ଖର୍ଚ୍ଚ, ୨ ବର୍ଷ ଗଲାନି, ଦିନେ ନାଁ କରିଥିଲା ଆଉ ଏବେ ଦୁର୍ନାମ ମୁଣ୍ଡାଉଛି…

ଭୁବନେଶ୍ୱର,୦୫/୧୦: ବିଶ୍ୱସ୍ତରୀୟ ବରମୁଣ୍ଡା ବସ୍ ଟର୍ମିନାଲ । ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୨୦୦ କୋଟି ଟଙ୍କା । ଏୟାରପୋର୍ଟ ଭଳି ଏହି ଟର୍ମିନାଲ ୨ ବର୍ଷ ଗଲାନି । କାନ୍ଥ ବାଡରୁ ରଙ୍ଗ ଖସିଲାଣି । ଶୌଚାଳୟକୁ ପଶି ହେଉନି । ଆଗରେ ଭାସୁଛି ନର୍ଦ୍ଦମା ପାଣି । ରକ୍ଷଣାବେକ୍ଷଣ ଅଭାବରୁ ସୁନାମ ମୁଣ୍ଡାଇଥିବା ବସ୍ ଟର୍ମିନାଲ ଏବେ ଦୁର୍ନାମ ଅର୍ଜିଲାଣି ।

ବରମୁଣ୍ଡା ବସ୍ ଟର୍ମିନାଲ ପ୍ରଥମ ମହଲାରେ ଥିବା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମ୍ୟୁଜିମ ଭିତରେ କାନ୍ଥରୁ ପ୍ଲାଷ୍ଟର ଖସିଲାଣି । ଆଉ କେଉଁଠି ରଙ୍ଗ ଫଡା ଫଡା ହୋଇ ଖସୁଛି । ପୂରା ମ୍ୟୁଜିୟମର ୬୦ ପ୍ରତିଶତ କାନ୍ଥ ବାଡର ଅବସ୍ଥା ଏମିତି । ମ୍ୟୁଜିୟମକୁ ବୁଲିବାକୁ ଆସୁଥିବା ଯାତ୍ରୀ ଏବଂ ସାଧାରଣ ଲୋକେ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଖାଲି ଏହି ମ୍ୟୁଜିୟମ ନୁହେଁ, କିଛି ସିଟି ବସ୍ ରହିଣି ସ୍ଥଳରେ ମଧ୍ୟ କିଛି ସ୍ଥାନରେ ଏମିତି ରଙ୍ଗ ଛାଡିଥିବା ଦେଖାଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ଟର୍ମ ିନାଲର ଅନେକ ଗୁଡିଏ କାନ୍ଥରୁ ପାଣି ଜକଉଥିବା ଦେଖିବାକୁ ମିଳିଛି ।

ବସ୍ ଟର୍ମିନାଲ ଶୌଚାଳୟ ଅବସ୍ଥା ନ କହିଲେ ଭଲ । ଦିନେ ଏୟାରପୋର୍ଟର ଶୌଚାଳୟ ଭଳି ଦେଖାଯାଉଥିବା ଏହି ଶୌଚାଳୟରୁ ଦୁର୍ଗନ୍ଧ ଆସୁଛି । ପୁରୁଷ ଶୌଚାଳୟକୁ ପଶି ହେଉନି । ଅଳିଆ, ପାନ ଛେପ ପରିବେଶକୁ ଆହୁରି କଦର୍ଯ୍ୟ କରିଦେଇଛି । ବସ୍ ବେ’ରେ ବି ପାନ ଛେପ ଗଦା ହେଉଛି । ଏ ତ ଗଲା ଭିତର କଥା । ବାହାର ଅବସ୍ଥା ଆହୁରି ଖରାପ । ବସ ଟର୍ମିନାଲ ପ୍ରବେଶ ପଥରେ ୨୪ ଘଣ୍ଟା ନର୍ଦ୍ଦମା ପାଣି ଭାସୁଛି । ଯାତ୍ରୀ ନର୍ଦ୍ଦମା ପାଣିରେ ଯିବା ଆସିବା କରୁଛନ୍ତି । ବରମୁଣ୍ଡା ଆଇଡିଆଲ୍ ବସ୍‌ଷ୍ଟାଣ୍ଡ (ଓୟୁଏଟି ଜାଗା)ରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ଅବସ୍ଥା ଆହୁରି ସାଂଘାତିକ । ସେଠାରେ ଅଳିଆ ଭର୍ତ୍ତି ହୋଇଛି । ଦୁର୍ଗନ୍ଧରେ ଫାଟି ପଡୁଛି । ଷଣ୍ଢ ଓ କକୁର ବେଧଡକ ବୁଲୁଛନ୍ତି । ଏହି ବସଷ୍ଟାଣ୍ଡକୁ ଦେଖିଲେ ଲାଗୁଛି ଏହା ବିଏମସି ବାହାର ଅଂଚଳ । ଦିନେ ବି ଏଠି ବିଏମସିର ଝାଡୁ ବାଜିଥିବା କେହି ଦେଖିନାହାନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button