ଜାତୀୟ

GST New Rule: ଜିଏସ୍‌ଟି ନିୟମରେ ହେବ ସଂଶୋଧନ, ଅଧିକାରୀଙ୍କ ନିକଟରେ ରହିବନି ଗିରଫ କ୍ଷମତା, କୋର୍ଟଙ୍କ ଆଦେଶ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୦୫/୧୦: ସାମଗ୍ରୀ ଓ ସେବା  ଟିକସ (ଜିଏସ୍‌ଟି) ପରିଷଦ ପରୋକ୍ଷ ଟିକସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।  ପ୍ରସ୍ତାବିତ ଜିଏସ୍‌ଟି ୨.୦ ଅଧିନରେ ଟିକସ  ଅଧିକାରୀଙ୍କ ନିକଟରେ ସିଧାସଳଖ ଗିରଫ  କ୍ଷମତାକୁ ପ୍ରତ୍ୟାହାର କରାଯିବାର ସମ୍ଭାବନା  ରହିଛି । ଏହା ପରିବର୍ତ୍ତେ କୌଣସି ବ୍ୟକ୍ତିଙ୍କୁ  ଗିରଫ କରିବାକୁ ହେଲେ ଅଦାଲତଙ୍କ ଆଦେଶକୁ  ବାଧ୍ୟତାମୂଳକ କରିବା ଜିଏସ୍‌ଟି ପରିଷଦ ବିଚାର କରୁଛି । ଏହା ସହ କ୍ରିମିନାଲ ପ୍ରସେକ୍ୟୁସନ ବା  ଆପରାଧିକ ମାମଲା ରୁଜୁ କରିବାକୁ ୫ କୋଟି  ଟଙ୍କାର କାରବାର ସୀମା ନିର୍ଦ୍ଧାରଣ କରିବାକୁ  ପ୍ରସ୍ତାବ ରହିଥିବା ପ୍ରକ୍ରିୟା ସହ ଜଡିତ ୨ ଜଣ  ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଜିଏସ୍‌ଟି ଅଧିକାରୀମାନେ ଟିକସ  ଚୋରୀ ଅଭିଯୋଗରେ ନିଜସ୍ୱ ନିଷ୍ପତ୍ତି ଆଧାରରେ  କୌଣସି ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ ଗିରଫ  କରିପାରୁଛନ୍ତି । କିନ୍ତୁ ନୂଆ ପ୍ରସ୍ତାବ ଅନୁଯାୟୀ ଅଧିକାରୀମାନେ ଆଉ ସିଧାସଳଖ କୌଣସି  ଟିକସଦାତାଙ୍କୁ ଗିରଫ କରିପାରିବେ ନାହିଁ ।  ଯଦି କୌଣସି ଗୁରୁତର ମାମଲା ସାମ୍ନାକୁ  ଆସେ ତେବେ ବ୍ୟକ୍ତିଙ୍କୁ ଗିରଫଦାରୀ ପାଇଁ ଅଧିକାରୀମାନଙ୍କୁ ନ୍ୟାୟାଳୟରୁ ଆନୁଷ୍ଠାନିକ  ଆଦେଶ କିମ୍ବା ୱାରେଣ୍ଟ ହାସଲ କରିବାକୁ  ହେବ । ଏହାଦ୍ୱାରା ଅଧିକାରୀଙ୍କ ସ୍ୱେଚ୍ଛାଚାରୀ  କାମ ଉପରେ ରୋକ ଲଗାଯାଇପାରିବ । ଆଗକୁ  କେବଳ ସେହିସବୁ ମାମଲାରେ କୋର୍ଟରେ  ମାମଲା ରୁଜୁ ହେବ ଯାହାର ଟିକସ ଫାଙ୍କି କିମ୍ବା  ଅନିୟମିତତା ୫ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହୋଇଥିବ । ୫ କୋଟି ଟଙ୍କାରୁ କମ୍‌ ରାଶି ଉପରେ ମାମଲା  ଗୁଡିକୁ ଆପରାଧିକ କୋର୍ଟ ମାମଲା ପରିସର  ବାହାରେ ରଖାଯିବ । ଅନେକ ସମୟରେ ଜିଏସ୍‌ଟି  ଆଇନରେ ବ୍ୟାଖ୍ୟା, ଟିକସ ଗଣନା କିମ୍ବା ନିୟମ  ସମ୍ପର୍କିତ ମତଭେଦ ଯୋଗୁ ଟିକସଦାତା ଏବଂ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଯାଇଥାଏ ।

ଏଭଳି ସାଧାରଣ ଟିକସ ବିବାଦଗୁଡିକ ପାଇଁ ଆଉ  କ୍ରିମିନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।  ଏସବୁକୁ ସିଭିଲ ପେନାଲ୍ଟି ବା ଦେୱାନି ଜରିମାନା  ଏବଂ ପ୍ରଶାସନିକ ନିୟମାବଳୀ ଜରିଆରେ  ସମାଧାନ କରାଯିବ । ଏହି ନୂଆ ନିୟମର  ଉଦ୍ଦେଶ୍ୟ ହେଉଛି ଦେଶରେ ଟିକସଦାତାଙ୍କ  ଅଧିକାର ସୁରକ୍ଷା ଏବଂ ଇଜ୍‌ ଅଫ୍‌ ଡୁଇଁ  ବିଜ୍‌ନେସ ବା ବାଣିଜ୍ୟିକ ବାତାବରଣକୁ ଉନ୍ନତ  କରିବା । ଅନେକ ସମୟରେ ସାଧାରଣ ଭୂଲ  କିମ୍ବା ବ୍ୟାଖ୍ୟାଗତ ପାର୍ଥକ୍ୟ ଲାଗି ଟିକସଦାତାଙ୍କ  ମଧ୍ୟରେ ଗିରଫଦାରୀ କିମ୍ବା ଆପରାଧିକ  କାର୍ଯ୍ୟାନୁଷ୍ଠାନ ଭୟ ରହୁଥିଲା । ଏହି ନୂଆ  ସଂସ୍କାର ଦ୍ୱାରା ଟିକସଦାତା ମାନେ ଆବଶ୍ୟକୀୟ  ଅଦାଲତି ମାମଲା ଏବଂ ଗିରଫଦାରୀରୁ ରକ୍ଷା  ପାଇବେ । ଏହା ଦେଶରେ ଇଜ୍‌ ଅଫ୍‌ ଡୁଇଁ  ବିଜ୍‌ନେସକୁ ପ୍ରୋତ୍ସାହିତ କରିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button