ରାଜ୍ୟ

Shakti Engineer’s: ଶକ୍ତି ଇଞ୍ଜିନର ଦ୍ବିତୀୟ ଉତ୍ପାଦନ ଲାଇନ୍‌ ଉଦ୍‌ଘାଟିତ: ‘ହାଲ୍‌’ର ୨୦୦୦ତମ ଜେଟ୍‌ ଇଞ୍ଜିନ୍‌ ବାୟୁସେନାକୁ ହସ୍ତାନ୍ତର

ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)। ଏଠାରେ ନିର୍ମିତ ୨୦୦୦ତମ ଜେଟ୍‌ ଇଞ୍ଜିନ୍‌କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାୟୁସେନାକୁ ହସ୍ତାନ୍ତର କରିଛନ୍ତି।

କୋରାପୁଟ: ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)। ଏଠାରେ ନିର୍ମିତ ୨୦୦୦ତମ ଜେଟ୍‌ ଇଞ୍ଜିନ୍‌କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାୟୁସେନାକୁ ହସ୍ତାନ୍ତର କରିଛନ୍ତି। ସେହିପରି ଶକ୍ତି ଇଞ୍ଜିନ୍‌ର ଦ୍ବିତୀୟ ଉତ୍ପାଦନ ଲାଇନ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ରାଜନାଥ କହିଥିଲେ, ସୁନାବେଡ଼ା ‘ହାଲ୍‌’ ଏବଂ ବିଶାଖାପାଟଣାର ଡିଫେନ୍ସ ତଥା ନାଭାଲ ଇକୋସିଷ୍ଟମ୍ ପୂର୍ବ ଭାରତ ପାଇଁ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିଛି। ୧୯୬୪ ମସିହାରୁ ଫ୍ରଣ୍ଟଲାଇନ୍‌ ବିମାନ ପାଇଁ ଇଞ୍ଜିନ୍‌ ନିର୍ମାଣ କରୁଥିବା ‘ହାଲ୍‌’ କେବଳ ଏକ ଫ୍ୟାକ୍ଟ୍ରି ନୁହେଁ, ବରଂ ଏରୋସ୍ପେସ୍‌ ପ୍ରପଲ୍‌ସନ ଇକୋସିଷ୍ଟମ୍‌ର କେନ୍ଦ୍ରବିନ୍ଦୁ ଭାବେ ବିକଶିତ ହୋଇପାରିଛି। ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ମହତ୍ତ୍ବପୂର୍ଣ୍ଣ ସ୍ଥାନ ରହିଛି। ଯାହା ନିରନ୍ତର ଭାବେ ବୃଦ୍ଧି ପାଉଛି। ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ନିଜ ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ ଭିତ୍ତିଭୂମି ଏବଂ କୁଶଳୀ ମାନବ ସମ୍ବଳ ଯୋଗୁଁ ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ପ୍ରତିରକ୍ଷା କ୍ଷେତ୍ର ପାଇଁ ଓଡ଼ିଶା ମହତ୍ତ୍ବପୂର୍ଣ୍ଣ: ରାଜନାଥ
ଶିଳ୍ପ ଓ ପ୍ରତିରକ୍ଷା ହବ୍‌ କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶାରେ ମେଟାଲ୍‌ ଡାଉନ୍‌ଷ୍ଟ୍ରିମ, ସେମିକଣ୍ଡକ୍ଟର ଓ ଆଇଟି ପରି ଶିଳ୍ପର ବ୍ୟାପକ ଅଭିବୃଦ୍ଧି ହୋଇଛି, ଯାହା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ନିମନ୍ତେ ସହାୟକ ହେବ। ବର୍ତ୍ତମାନ ‘ହାଲ୍‌’ କୋରାପୁଟ ଡିଭିଜନ୍ ୧୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ହାଲୁକା ହେଲିକପ୍ଟର୍‌ରେ ବ୍ୟବହାର ହେଉଥିବା ଶକ୍ତି ଇଞ୍ଜିନ୍‌ର ଦ୍ବିତୀୟ ଲାଇନ୍‌ ଉଦ୍‌ଘାଟନ ପରେ ବାର୍ଷିକ ୧୦୦ଟି ନୂଆ ଇଞ୍ଜିନ୍‌ ଉତ୍ପାଦନ ହେବ। ତେଣୁ ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଓଡ଼ିଶାରେ ମେଟାଲ୍‌ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ସମୃଦ୍ଧ ଇକୋସିଷ୍ଟମ୍‌ ତିଆରି କରାଯାଉଛି। ଦେଶର ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ବିଜେପି ସରକାରକୁ ଆସିବା ପରେ ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ମିଳିଛି। ସେଥିରୁ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ୩ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ଟି ଶିଳ୍ପ କାମ ଆରମ୍ଭ ହୋଇଥିବାରୁ ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ କଟକ ନରାଜଠାରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍‌ ଭ୍ୟାଲି’ ପ୍ରତିଷ୍ଠା କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button