ରାଜ୍ୟ

Sambalpuri handloom: ଗର୍ବ କରିବାକୁ ରହିବନି ସମ୍ବଲପୁରୀ ହସ୍ତତନ୍ତ: ଭୁତି ଅଣକୁଶଳୀ ଶ୍ରମିକଠୁ ବି କମ୍‌

ସମ୍ବଲପୁର ଜିଲ୍ଲା କର୍ଡୋଲାର ବୁଣାକାର ଭୂମିସୂତା ମେହେର। ୫ ଜଣ ସଦସ୍ୟ ବିଶିଷ୍ଟ ସମୁଦାୟ ପରିବାରର ଦୈନିକ କାର୍ଯ୍ୟ ସମୟ ୧୩.୩୦ ଘଣ୍ଟା। କିନ୍ତୁ ୪ ଦିନ କାମ ପରେ ଶାଢ଼ି ତିଆରିରୁ ମିଳେ ମାତ୍ର ୩୫୦୦ ଟଙ୍କା ଭୁତି। ଶାଢ଼ିର ପ୍ରକାରଭେଦ ଏବଂ ବ୍ୟବସାୟୀଙ୍କ ଟଙ୍କା ବିନିଯୋଗ...

କର୍ଡୋଲାରୁ ଗାର୍ଗୀ ଶତପଥୀ/ସଞ୍ଜୀବ ଠାକୁର
ସମ୍ବଲପୁର: ଜିଲ୍ଲା କର୍ଡୋଲାର ବୁଣାକାର ଭୂମିସୂତା ମେହେର। ୫ ଜଣ ସଦସ୍ୟ ବିଶିଷ୍ଟ ସମୁଦାୟ ପରିବାରର ଦୈନିକ କାର୍ଯ୍ୟ ସମୟ ୧୩.୩୦ ଘଣ୍ଟା। କିନ୍ତୁ ୪ ଦିନ କାମ ପରେ ଶାଢ଼ି ତିଆରିରୁ ମିଳେ ମାତ୍ର ୩୫୦୦ ଟଙ୍କା ଭୁତି। ଶାଢ଼ିର ପ୍ରକାରଭେଦ ଏବଂ ବ୍ୟବସାୟୀଙ୍କ ଟଙ୍କା ବିନିଯୋଗ ଅନୁସାରେ ଏହି ଆୟ ସର୍ବନିମ୍ନ ୨୫୦୦ରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ହେଉଛି ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କ ଦୈନିକ ଆୟ, ଯାହାକି ଜଣେ ଅଣକୁଶଳୀ ଶ୍ରମିକଙ୍କ ମଜୁରିଠାରୁ ମଧ୍ୟ କମ୍‌। ସମ୍ବଲପୁରୀ ହସ୍ତତନ୍ତ ଯାହାର ବ୍ରାଣ୍ଡ ଆମ୍ବାସଡର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଖାଲି ଓଡ଼ିଶା ନୁହେଁ, ସାରା ବିଶ୍ବରେ ଭାରତକୁ ସ୍ବତନ୍ତ୍ର ପରିଚୟ ଦେଇଛି ସମ୍ବଲପୁରୀ ହସ୍ତତନ୍ତ। ଖୋଲା ବଜାରରେ ସମ୍ବଲପୁରୀ ଶାଢ଼ିର ଦାମ ୩୦୦୦ରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଥାଏ। ଏହାର ଚାହିଦା ଆକାଶ ଛୁଏଁ, କିନ୍ତୁ ତା’ର ଲାଭ ବୁଣାକାରଙ୍କୁ ମିଳେ ନାହିଁ।

ବୁଣାକାର ଗାଁ କର୍ଡୋଲାକୁ ପର୍ଯ୍ୟଟନ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଟିଡିସି। ଏହି ଅଞ୍ଚଳକୁ ଏଭଳି ବିକଶିତ କରାଯିବ ଯେପରି ଦେଶ, ବିଦେଶରୁ ପର୍ଯ୍ୟଟକ ଆସି ସମ୍ବଲପୁରୀ ହସ୍ତତନ୍ତ ବିଷୟରେ ଅବଗତ ହୋଇପାରିବେ। ଯେଉଁମାନଙ୍କ ଉପରେ ଏତେ ବଡ଼ ଦାୟିତ୍ବ ସେମାନଙ୍କ ଅବସ୍ଥା ଏବଂ କାର୍ଯ୍ୟ ନେଇ ଭୂମିସୁତା କହନ୍ତି, ସକାଳ ସାଢ଼େ ୪ଟାରୁ ତାଙ୍କ ସମେତ ସ୍ବାମୀ, ଶାଶୂ, ପିଲାମାନେ କାମରେ ଲାଗିପଡ଼ନ୍ତି। ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତି ପାଇଁ କିଏ ସୂତା ରନିଂ କରନ୍ତି ତ କିଏ ବାନ୍ଧକୁରା, କମଡ଼ାର ବନ୍ଧ ଡିଜାଇନ, ଗ୍ରାଫିକ୍‌ ଭଳି ୧୫ ପ୍ରକାର ପ୍ରୋସେସିଂ କରନ୍ତି। ଏଥିପାଇଁ ମଙ୍ଗରା, ଅସାରି, ଉଫୁନା ସମେତ ବିଭିନ୍ନ ପ୍ରକାର ଅନେକ ହସ୍ତତନ୍ତ ବ୍ୟବହାର ହୁଏ। ଏଥିପାଇଁ ଘରେ ସ୍ଥାନାଭାବ ବି ଦେଖାଯାଉଛି। ଏବେ କିନ୍ତୁ କର୍ଡୋଲା ଗାଁର ବୁଣାକାର ପରିବାରର ସଦସ୍ୟମାନେ ଘର ଛାଡ଼ିବାରେ ଲାଗିଛନ୍ତି। ସୂତା ଏବଂ ରଙ୍ଗର ମାତ୍ରାଧିକ ଦରବୃଦ୍ଧି ସେମାନଙ୍କ ବ୍ୟୟଭାର ବୃଦ୍ଧି କରିଛି। ଟିକେଲାଲ ମେହେରଙ୍କ କହିବା ଅନୁସାରେ, ୨ ମାସ ପୂର୍ବରୁ ଯେଉଁ ସୂତାର ଦାମ ୫ ହଜାର ଟଙ୍କା ଥିଲା ଏବେ ତାହା ୬୦୦୦ ଟଙ୍କାରେ ପହଞ୍ଚିଛି। ରଙ୍ଗ ଦର ତ ଆହୁରି ଚିନ୍ତା ବଢ଼ାଉଛି। ୨୫ ଗ୍ରାମ୍‌ ପାଇଁ ୧୬୦ ଟଙ୍କା ଦେବାକୁ ପଡ଼ୁଛି। ବର୍ତ୍ତମାନ ଏଠାରେ ଥିବା ବୁଣାକାର ସମବାୟ ସମିତି ଦେବାଳିଆ ହେଲାଣି। ସେହିପରି ବରଗଡ଼ ଜିଲ୍ଲା ତୋରାସ୍ଥିତ ଓଡ଼ିଶା ବୁଣାକାର ସମବାୟ ସୂତାକଳ, କଳାହାଣ୍ଡିସ୍ଥିତ କୋଣାର୍କ କପା ଉତ୍ପାଦନକାରୀ ସମବାୟ ସୂତାକଳ ଭଳି ୭ କେନ୍ଦ୍ର ବନ୍ଦ ହୋଇସାରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button