SIR Controversy: ଏସ୍ଆଇଆର୍ ବିବାଦ: ୮ରେ ‘ଇଣ୍ଡି’ ମେଣ୍ଟର ଓଡ଼ିଶା ବନ୍ଦ. ଅତ୍ୟାବଶ୍ୟକ ସେବାକୁ ବନ୍ଦ ପାଳନରୁ ବାଦ୍ ଦିଆଯିବ
ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆଜି କଂଗ୍ରେସ ଭବନରେ ‘ଇଣ୍ଡି’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବନ୍ଦର ଚୂଡ଼ାନ୍ତ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକ ସ୍ତରରେ ସମନ୍ୱୟ, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ଓ ସମସ୍ତ ଗଣତାନ୍ତ୍ରିକ...

ଭୁବନେଶ୍ବର: ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆଜି କଂଗ୍ରେସ ଭବନରେ ‘ଇଣ୍ଡି’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବନ୍ଦର ଚୂଡ଼ାନ୍ତ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକ ସ୍ତରରେ ସମନ୍ୱୟ, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ଓ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଛି।
ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଫରୱାର୍ଡ ବ୍ଲକ, ଏନ୍ସିପି (ଶରଦ ପାୱାର), ସମାଜବାଦୀ ପାର୍ଟି, ଆର୍ଜେଡି ଓ ଜେଏମ୍ଏମ୍ ସମେତ ଅନ୍ୟ ଅଂଶୀଦାର ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଗଣତାନ୍ତ୍ରିକ ଅଧିକାର ଓ ସ୍ୱାର୍ଥ, ଲୋକଙ୍କ ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏହି ବନ୍ଦ ଆହ୍ୱାନ କରାଯାଇଛି। ଏହାସହ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ପାଇଁ ବନ୍ଦ ପାଳନରେ ଦାବି କରାଯିବ।
ତେବେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ବନ୍ଦପାଳନ କରିବା ଲାଗି ‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଛି। ବନ୍ଦ ସମୟରେ ବସ୍, ଟ୍ରକ୍, ସାଧାରଣ ପରିବହନ, ବ୍ୟାବସାୟିକ ପ୍ରତିଷ୍ଠାନ, ଅଦାଲତ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ନିବେଦନ କରାଯାଇଛି। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ।
ସୌଜନ୍ୟ ସମ୍ବାଦ



