Student Union Election: ଛାତ୍ର ସଂସଦ ନିର୍ବାଚନ: ଆଜି ବିଜ୍ଞପ୍ତି, ୯ରେ ନାମାଙ୍କନ, ସୁରକ୍ଷା ପାଇଁ ଗଠିତ ହେବ ତିନିଜଣିଆ କମିଟି
ଅକ୍ଟୋବର ୧୫ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭(ବୁଧବାର) ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି ହୋଇଥିଲେ କର୍ତ୍ତୃପକ୍ଷ ଚାହିଁଲେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ।

ଭୁବନେଶ୍ୱର: ଅକ୍ଟୋବର ୧୫ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭(ବୁଧବାର) ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି ହୋଇଥିଲେ କର୍ତ୍ତୃପକ୍ଷ ଚାହିଁଲେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ବିଜ୍ଞପ୍ତି ଜାରି ହେବା କ୍ଷଣି କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।
ସୁରକ୍ଷା ପାଇଁ ଗଠିତ ହେବ ତିନିଜଣିଆ କମିଟି
ଗଣ୍ଡଗୋଳ ହେଲେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ
କ୍ୟାମ୍ପସରେ ଶାନ୍ତି ରକ୍ଷା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ଭାବେ ତିନି ଜଣିଆ ସମନ୍ବୟ କମିଟି ଗଠନ କରାଯିବ, ଯେଉଁଥିରେ ଜିଲ୍ଲାପାଳ, ଏସ୍ପି ଓ କଲେଜ କର୍ତ୍ତୃପକ୍ଷ ସଦସ୍ୟ ରହିବେ। ଏହି କମିଟି ଛାତ୍ରଛାତ୍ରୀଙ୍କ ସହ କଥାହେବେ ଏବଂ ଅଭିଯୋଗ ଓ ସମସ୍ୟା ଶୁଣିବେ। କ୍ୟାମ୍ପସରେ ଯେପରି ଅଣଛାତ୍ରଙ୍କ ହସ୍ତକ୍ଷେପ ନ ହୁଏ ସେଥିପ୍ରତି କମିଟି ନଜର ରଖିବ। ନିର୍ବାଚନ ପ୍ରସ୍ତୁତିକୁ ନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ସମୟରେ କ୍ୟାମ୍ପସରେ ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ସଚିବ ଶ୍ରୀ ଅଗ୍ରୱାଲ ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବାକୁ କମିଟି ଗଠନ, ବାଲଟ୍ ପେପର ଓ ବାଲଟ୍ ବକ୍ସ ପ୍ରସ୍ତୁତ ଏବଂ ନିର୍ବାଚନର ସମସ୍ତ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସଂଗ୍ରାମ ଶେଖର ପଣ୍ଡା, ଧରଣୀଧର ନନ୍ଦ, ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ମୌସୁମୀ ନାୟକ, ରଞ୍ଜିତା ସାହୁ, ସୁଜାତା ନାୟକ, ଅଶୋକ କୁମାର ଗୌଡ଼ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୪୬୩ ମହାବିଦ୍ୟାଳୟର ଅଧ୍ୟକ୍ଷ, ୧୪ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ ଅଧ୍ୟକ୍ଷ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
ସୌଜନ୍ୟ ସମ୍ବାଦ



