Indigo flight: ଇଣ୍ଡିଗୋ ବିମାନରେ ଆତଙ୍କ: ମଝି ଆକାଶରେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ନିଆଁ, ହାଇଦ୍ରାବାଦରେ ଜରୁରୀ ଅବତରଣ
ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ଏୟାର୍ଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ନିଆଁ ବାହାରିଥିବାରୁ ମଝି ଆକାଶରେ ଆତଙ୍କ ଖେଳିଯାଇଥିଲା। ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ।

ହାଇଦ୍ରାବାଦ: ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ଏୟାର୍ଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ନିଆଁ ବାହାରିଥିବାରୁ ମଝି ଆକାଶରେ ଆତଙ୍କ ଖେଳିଯାଇଥିଲା। ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ରବିବାର ଏହି ଘଟଣା ଘଟିବା ପରେ ସୁରକ୍ଷା ଦୃଷ୍ଟିରୁ ବିମାନ ୬ଇ ୬୧୧୫ର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ପରେ ବିମାନଟି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା।
ଇଣ୍ଡିଗୋ ଏୟାର୍ଲାଇନ୍ସର ଜଣେ ମୁଖପାତ୍ର ଏକ ବିବୃତିରେ କହିଛନ୍ତି ଯେ ବିମାନରେ ଜଣେ ଯାତ୍ରୀଙ୍କ ଇଲେକ୍ଟ୍ରୋନିକ୍ ଉପକରଣରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ପାଇଲଟ୍ମାନେ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ବିମାନର ମାର୍ଗ ପରିବର୍ତ୍ତନ କରିଥିଲେ। ତେବେ ଉପକରଣଟି କେଉଁ କାରଣରୁ ଧୂଆଁ ଛାଡ଼ିଥିଲା ଏବଂ ତାହା ପାୱାର ବ୍ୟାଙ୍କ ଥିଲା କି ନାହିଁ, ସେ ସମ୍ପର୍କରେ ଏୟାର୍ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ବିମାନରେ ଥିବା ଜଣେ ଯାତ୍ରୀ ଏହି ଘଟଣା ପରର ଅନୁଭୂତି ବର୍ଣ୍ଣନା କରି କହିଥିଲେ ଯେ ଅନେକ ଯାତ୍ରୀ ପ୍ରକୃତରେ କ’ଣ ଘଟିଥିଲା ଜାଣିପାରି ନଥିଲେ। ତେବେ ନିଆଁ ଦେଖି ସେମାନେ ଭୟଭୀତ ହୋଇପଡ଼ିବା ସହ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଥିଲେ। ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଚେନ୍ନାଇ ନେବା ପାଇଁ ଇଣ୍ଡିଗୋ ପକ୍ଷରୁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାର୍ଲାଇନ୍ସ କ୍ଷମା ପ୍ରାର୍ଥନା କରିଛି।
ସୌଜନ୍ୟ ସମ୍ବାଦ




