କୋଚି: କେରଳର କୋଚିର ନେଦୁମ୍ବାସେରୀ ବିମାନବନ୍ଦର ନିକଟରେ ଏକ ଦ୍ରୁତଗାମୀ ମିନି କୁପର ସ୍କୁଟି ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି, ଯେଉଁଥିରେ ସେମାନଙ୍କର ମୃତ୍ୟୁ ଘଟିଛି। ମଦ୍ୟପାନ କରିଥିବା ୧୯ ବର୍ଷୀୟ ସୁହେଲ ମିନି କୁପର (କାର) ଚଲାଉଥିଲା। ଦୁର୍ଘଟଣା ପରେ ସୁହେଲ ମୃତ୍ୟୁ ପାଇଁ କୌଣସି ଅନୁତାପ ମଧ୍ୟ କରିନଥିଲା। ଛାତି ଫୁଲାଇ କହୁଥିଲା, ରାସ୍ତା କ’ଣ ପାଇଁ ତିଆରି ହୋଇଛି? ସେଗୁଡ଼ିକ କେବଳ ଗାଡ଼ି ଚଲାଇବା ପାଇଁ? ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ସେ କ୍ରୋଧର ସହିତ ଏପରି ମଧ୍ୟ କହିଥିଲା, ମୋ ବାପା ଏହାକୁ ସମ୍ଭାଳିବେ। ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
କୋଚି ପୁଲିସ କହିଛି, ଦୁର୍ଘଟଣାଟି ରବିବାର ରାତି ପ୍ରାୟ ୧ଟା ୪୫ ସମୟରେ କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ କରିଥିବା ରାସ୍ତାରେ ଘଟିଛି। ଅଭିଯୁକ୍ତ ସୁହେଲ୍ ସଜୀବ ଦ୍ରୁତ ଗତିରେ ମିନି କୁପର୍ ଚଲାଇ ଏକ ସ୍କୁଟରକୁ ପଛରୁ ଧକ୍କା ଦେଇଥିଲା, ଯେଉଁଥିରେ ତିନି ଜଣ ୨ଜଣ ଯୁବତୀ ଏବଂ ଜଣେ ଯୁବକ ଥିଲେ। କାର ଦ୍ବାରା ଶକ୍ତ ଧକ୍କା ଯୋଗୁଁ ସ୍କୁଟି ଆରୋହୀମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍କୁଟରକୁ କାର ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। କାରଟି ଅଟକି ବେଳକୁ ତିନି ଜଣ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇସାରିଥିଲା। ମୃତକମାନେ ହେଲେ ୱାୟାନାଡର ମଦକ୍କିମାଲାର ଦେବିକା (୨୧), ପାଲକ୍କଡର ଗୋପିକା (୨୨) ଏବଂ କର୍ଣ୍ଣାଟକର ମେଙ୍ଗାଲୁରୁର ଇଜାଜ୍ (୨୧)। ଏହି ତିନି ଜଣ କକ୍କନାଡରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଏବଂ ଦୁର୍ଘଟଣା ଘଟିବା ସମୟରେ ଚା ପିଇବା ପାଇଁ ବିମାନବନ୍ଦର ଅଞ୍ଚଳକୁ ଯାଉଥିଲେ।
ବାପା ବ୍ୟବସାୟୀ, ମା’ଙ୍କ ଡିଜାଇନ୍ ଷ୍ଟୁଡିଓ
ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ସୁହେଲ୍ ସଜୀବ ମଦ୍ୟପାନ କରିଥିଲା। ଦୁର୍ଘଟଣା ପରେ ଅନୁତାପ ଅନୁଭବ କରୁନଥିଲା; ବରଂ ସେ କ୍ରୋଧର ସହିତ କହୁଥିଲା, ରାସ୍ତା ଗାଡ଼ି ଚଲାଇବା ପାଇଁ ଏବଂ ତାଙ୍କ ବାପା ଏହି ମାମଲାକୁ ପରିଚାଳନା କରିବେ। ସଜୀବଙ୍କ ବାପା ଜଣେ ବ୍ୟବସାୟୀ ଏବଂ ତା’ର ମାଆ କୋଚି ଓ ଆଲାପୁଝାରେ ଏକ ପ୍ରସିଦ୍ଧ ଡିଜାଇନ୍ ଷ୍ଟୁଡିଓ ପରିଚାଳନା କରନ୍ତି। ଏକ ଫେସବୁକ୍ ପୋଷ୍ଟରୁ ଜଣାପଡ଼ିଛି ଯେ ତାଙ୍କ ମା’ ତାଙ୍କ ପୁଅକୁ ଜନ୍ମଦିନ ଉପହାର ସ୍ୱରୂପ ଏକ ମିନି କୁପର କାର ଦେଇଥିଲେ।
ସୌଜନ୍ୟ ସମ୍ବାଦ