ରାଜ୍ୟ

Ghost: ଭୂତଙ୍କ ପାଇଁ ଭତ୍ତାରୁ ବଞ୍ଚିତ ଯୋଗ୍ୟ: ଅଯୋଗ୍ୟଙ୍କୁ ଚିହ୍ନଟରେ ବିଫଳ ପ୍ରଶାସନ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଇନ୍ଦିରାପଡ଼ା ଗ୍ରାମର ଗୁପ୍ତ ପାତ୍ର। ବୟସ ୮୨ ଟପିଲାଣି। ପୂର୍ବରୁ ଗୁପ୍ତ ଭତ୍ତା ପାଉଥିଲେ। କୌଣସି କାରଣରୁ ଗତ ୧୧ବର୍ଷ ହେଲା ଭତ୍ତା ବନ୍ଦ ‌ହୋଇଯାଇଛି।

ରାୟଗଡ଼ା/କାଶୀପୁର: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଇନ୍ଦିରାପଡ଼ା ଗ୍ରାମର ଗୁପ୍ତ ପାତ୍ର। ବୟସ ୮୨ ଟପିଲାଣି। ପୂର୍ବରୁ ଗୁପ୍ତ ଭତ୍ତା ପାଉଥିଲେ। କୌଣସି କାରଣରୁ ଗତ ୧୧ବର୍ଷ ହେଲା ଭତ୍ତା ବନ୍ଦ ‌ହୋଇଯାଇଛି। ଆଜି କାଲି କହି ବ୍ଲକ୍‌ କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିଛନ୍ତି। ସେହିପରି ଗ୍ରାମର ହର୍ଷାଇ ବାଗ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇ ୧ ହଜାର ଟଙ୍କାରେ ହିଁ ଚଳୁଛନ୍ତି। କାଶୀପୁର ବ୍ଲକ୍‌ ଟିକିରି ମେଦିରି ସାହିର ବିଧବା ମାଲୁଣି ଦେଈଙ୍କୁ ଗତ ବର୍ଷେ ହେଲା ଭତ୍ତା ଟଙ୍କା ମିଳୁନି। ପୂର୍ବରୁ ସ୍ୱାମୀଙ୍କ ପରଲୋକ ଘଟିଥିବା ବେଳେ ୬ ମାସ ତଳେ ଏକ ମାତ୍ର ପୁଅର ମୃତ୍ୟୁ ହୋଇଛି। ତଥାପି ପ୍ରଶାସନ ନିର୍ଦ୍ଦୟ। ଭୋକ ଉପାସରେ ଚଳୁଛନ୍ତି ମାଲୁଣି।   ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ରାୟଗଡ଼ା ଜିଲ୍ଲାରେ ହଜାର ହଜାର ମୃତ ଓ ଅଯୋଗ୍ୟ ବ୍ୟକ୍ତି ଭତ୍ତା ପାଉଛନ୍ତି।

ଅଯୋଗ୍ୟଙ୍କୁ ଚିହ୍ନଟରେ ବିଫଳ ପ୍ରଶାସନ
ଅପେକ୍ଷା କରିଛନ୍ତି ୭ହଜାରରୁ ଊର୍ଦ୍ଧ୍ବ ଆଶାୟୀ
ବ୍ଲକ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ

ଭତ୍ତା କେଳେଙ୍କାରୀ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ପରେ ଭୂତ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଆସିଥିଲା। ଇତି ମଧ୍ୟରେ ୧୦ ମାସ ବିତିଯାଇଥିଲେ ମଧ୍ୟ ଅଯୋଗ୍ୟ ଚିହ୍ନଟ ହୋଇନଥିବାରୁ ୭ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ହକରୁ ବଞ୍ଚିତ ହୋଇ ଦୁର୍ଦିନରେ କାଳ କାଟୁଛନ୍ତି। ଜିଲ୍ଲାର ୧୧ ବ୍ଲକ୍‌ ଓ ୩ଟି ସହରାଞ୍ଚଳରେ ଜାତୀୟ ସାମାଜିକ ସହାୟତା ଯୋଜନାରେ ୭୦ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ଭତ୍ତା ପାଉଛନ୍ତି। ସେହିପରି ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୮୨ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ସାମିଲ ଅଛନ୍ତି। ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବା ବେଳେ ମଧୁବାବୁ ପେନ୍‌ସନ୍ ଯୋଜନାରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦିଆଯାଉଛି। ଫଳରେ ଅଧିକାଂଶ ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ବାଟମାରଣା ହେଉଛି। କେଳେଙ୍କାରୀ ରୋକିବାକୁ ମଧୁବାବୁ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ବଦଳରେ ଆକାଉଣ୍ଟକୁ ପଠାଇବାକୁ ସରକାର ପଦକ୍ଷେପ ନେଇଛନ୍ତି। ଖୁବ୍‌ଶୀଘ୍ର ୟୁନିଫାଏଡ ପେନ୍‌ସନ୍‌ ମ୍ୟାନେଜ୍‌ମେଣ୍ଟ ପୋର୍ଟାଲ୍‌ରେ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏଲିଜାବେଥ ଗରଡ଼ା। ୨୦୨୬ ଏପ୍ରିଲ୍‌ ସୁଦ୍ଧା ୯୫୦୦ ଆବେଦନକାରୀ ନୂତନ ଭତ୍ତା ଅପେକ୍ଷାରେ ଥିଲେ। ଅକ୍ଟୋବରରେ ଏହି ସଂଖ୍ୟା ୭ହଜାରକୁ ଖସି ଆସିଛି। ୬ ମାସ ହେଲା ଭତ୍ତା ଟଙ୍କା ଠିକ୍‌ ଭାବରେ ମିଳୁନଥିବାରୁ ହଜାର ହଜାର ହିତାଧିକାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button