Malaria: ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି: ପିଏଫ୍ ସଂକ୍ରମଣ ଚିନ୍ତା ବଢ଼ାଉଛି
ସମ୍ବଲପୁର ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବିପଜ୍ଜନକ ପ୍ଲାଜମୋଡିୟମ୍ ଫାଲସିପାରମ୍ (ପିଏଫ୍) ସଂକ୍ରମଣର ଅନୁପାତ ଚିନ୍ତା ବଢ଼ାଇଛି।

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବିପଜ୍ଜନକ ପ୍ଲାଜମୋଡିୟମ୍ ଫାଲସିପାରମ୍ (ପିଏଫ୍) ସଂକ୍ରମଣର ଅନୁପାତ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ସୁଦ୍ଧା ଜିଲ୍ଲାରେ ୮୯ ହଜାର ୧୧୭ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଛି। ସେଥିରୁ ୮୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ପିଏଫ୍ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଅର୍ଥାତ୍ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮.୭୬ ପ୍ରତିଶତ ପିଏଫ୍ ସଂକ୍ରମିତ। ତେବେ ସରକାରୀ ରିପୋର୍ଟରେ ପିଏଫ୍ ହାର ୪୧.୬୬ ପ୍ରତିଶତ ଦର୍ଶାଯାଇଥିବାରୁ ତଥ୍ୟର ସଠିକତାକୁ ନେଇ ପ୍ରଶ୍ନ ଉଠିଛି।
ସ୍ବାସ୍ଥ୍ୟ ବିଭାଗର ଜାରି ରିପୋର୍ଟ ଅନୁସାରେ, ଆଗରୁ ମ୍ୟାଲେରିଆ ସମ୍ବଲପୁର ପାଇଁ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଥିଲା। ବର୍ତ୍ତମାନ ତାହା ନିୟନ୍ତ୍ରିତ ହୋଇଛି। ୨୦୧୬ ମସିହାରେ ଜିଲ୍ଲାରେ ୧୨ ହଜାର ୪୬ ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ବର୍ଷ ଏବଂ ତା’ ପରବର୍ଷ ଲଗାତାର ମ୍ୟାଲେରିଆ ମୃତ୍ୟୁ ମଧ୍ୟ ହୋଇଛି। କିନ୍ତୁ ୨୦୨୬ ମସିହାରେ ଜୁଲାଇ ସୁଦ୍ଧା ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୦୧୬ରେ ଜିଲ୍ଲାରେ ପ୍ରତି ହଜାର ଜନସଂଖ୍ୟାରେ ୧୨.୩ (ଏପିଆଇ) ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୫ ମସିହାରେ ଏହା ୦.୧୮କୁ ପହଞ୍ଚିଥିଲା। ଚଳିତବର୍ଷର ଏପିଆଇ ଶୂନ୍ୟରେ ପହଞ୍ଚିଛି। ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ପରୀକ୍ଷଣ ହ୍ରାସ ପାଇଛି। ୨୦୧୮ ମସିହାରୁ ୨୦୨୬ ମଧ୍ୟରେ କେବଳ ୨୦୨୪ ମସିହାରେ ମ୍ୟାଲେରିଆ ପଜିଟିଭ ଅନିୟନ୍ତ୍ରିତ ହୋଇ ୫୯୧ରେ ପହଞ୍ଚିଥିଲା। ଯାହାକୁ ପରବର୍ତ୍ତୀ ବର୍ଷ ନିୟନ୍ତ୍ରଣ କରି ଦିଆଯାଇଛି। ତେବେ ମ୍ୟାଲେରିଆର ପ୍ଲାଜମୋଡିୟମ୍ ଫାଲସିପାରମ୍ (ପିଏଫ୍) ହାର ବୃଦ୍ଧି ପାଉଛି। ପ୍ଲାଜମୋଡିୟମ୍ ଫାଲସିପାରମ୍ ହେଉଛି ମ୍ୟାଲେରିଆ ସୃଷ୍ଟିକାରୀ ଏକ ବିପଜ୍ଜନକ ପରଜୀବୀ। ଠିକ୍ ସମୟରେ ଚିକିତ୍ସା ନ ହେଲେ ଏହା ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିପାରେ। ୨୦୨୫ ଜୁଲାଇ ସୁଦ୍ଧା ଜିଲ୍ଲାରେ ୯୧ ହଜାର ୭୪ ଜଣଙ୍କ ପରୀକ୍ଷାରୁ ୧୪୧ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣ ପିଏଫ୍ ସଂକ୍ରମିତ ଥିଲେ। ଅର୍ଥାତ ପିଏଫ୍ ହାର ପ୍ରାୟ ୭୨.୦୯ ପ୍ରତିଶତ ଥିଲା।
ସୌଜନ୍ୟ ସମ୍ବାଦ




