ABVP-BCJD: ଏବିଭିପି-ବିସିଜେଡି କଡ଼ା ମୁକାବିଲା: କୌଣସି ସଂଗଠନ ସପକ୍ଷରେ ଏକପାଖିଆ ମତ ନାହିଁ
ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ଆଜି ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ, ଗଣ୍ଡଗୋଳ ଭିତରେ ମତଦାନ ଓ ଫଳାଫଳ ପ୍ରକାଶ ପାଇଛି। କୌଣସି ଛାତ୍ର ସଂଗଠନ ସପକ୍ଷରେ ଏକପାଖିଆ ଫଳାଫଳ ଯାଇ ନାହିଁ।

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ଆଜି ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ, ଗଣ୍ଡଗୋଳ ଭିତରେ ମତଦାନ ଓ ଫଳାଫଳ ପ୍ରକାଶ ପାଇଛି। କୌଣସି ଛାତ୍ର ସଂଗଠନ ସପକ୍ଷରେ ଏକପାଖିଆ ଫଳାଫଳ ଯାଇ ନାହିଁ। ତେବେ ରାଜ୍ୟର ପ୍ରମୁଖ କଲେଜରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଛାତ୍ର କଂଗ୍ରେସ ମଧ୍ୟ କିଛି କଲେଜରେ ସଫଳତା ପାଇଛି। ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରା ମନାଇଛନ୍ତି।
ବିଜେପି ସରକାରକୁ ଆସିଲା ପରେ ପ୍ରଥମ ଥର ପାଇଁ କ୍ୟାମ୍ପସ୍ ନିର୍ବାଚନ ହୋଇଥିଲା। ତେଣୁ ଏବିଭିପି ଏଥର ବେଶ୍ ସକ୍ରିୟ ଭାବେ ଲଢ଼ିଥିଲା। ଶାସକ ଦଳର ବିଧାୟକ ଓ ନେତାମାନେ ନିଜ ନିଜ ଅଞ୍ଚଳରେ ଏବିଭିପି ପ୍ରାର୍ଥୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ବିଜୁ ଛାତ୍ର ଜନତା ଦଳ ଏଥର ବିରୋଧୀ ଆସନରେ ଥାଇ ନିର୍ବାଚନ ଲଢ଼ିଥିଲା। ଛାତ୍ର କଂଗ୍ରେସ ମଧ୍ୟ କିଛି କଲେଜରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏବିଭିପିକୁ ବିଜୁ ଛାତ୍ର ଜନତା ଦଳ ସବୁ ସ୍ଥାନରେ କଡ଼ା ମୁକାବିଲା କରିଥିଲା।
ଉଭୟ ସଂଗଠନକୁ ମିଶ୍ର ଫଳାଫଳ ମିଳିଛି। ଛାତ୍ର କଂଗ୍ରେସ ଅନ୍ୟ ଦୁଇ ସଂଗଠନ ତୁଳନାରେ ପଛରେ ରହିଯାଇଛି। ତେବେ ୮ ବର୍ଷ ପରେ ହୋଇଥିବା ଛାତ୍ରସଂସଦ ନିର୍ବାଚନରେ
ହିଂସାକାଣ୍ଡ ଚିନ୍ତାର କାରଣ ହୋଇଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ବିଭିନ୍ନ କଲେଜରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବନ୍ଦ ହୋଇଥିଲା। ଆଜି ମତଦାନ ପରେ ମଧ୍ୟ ହିଂସାକାଣ୍ଡ ଘଟିଛି। ଭୁବନେଶ୍ବର, ରାଜନଗର, ରାୟଗଡ଼ା, ହିଞ୍ଜିଳିକାଟୁ ଆଦି ଅଞ୍ଚଳରେ ଗଣ୍ଡଗୋଳର ଖବର ଆସିଛି। ରେଭେନ୍ସା କଲେଜରେ ସଭାପତି ଭାବେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ବିଶ୍ବଜିତ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଏବିଭିପି ସମର୍ଥିତ ପ୍ରାର୍ଥୀ ତାପସ କୁମାର ନାୟକଙ୍କୁ ପରାସ୍ତ କରିଛନ୍ତି। ବିଜେବି କଲେଜରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ବିସିଜେଡି ସମର୍ଥିତ ପ୍ରାର୍ଥୀ ପ୍ରତୀକ ପାଣିଗ୍ରାହୀଙ୍କୁ ପରାସ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




