ରାଜ୍ୟ

Police SI Recruitment Scam: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ୧୨ ସ୍ଥାନରେ ଇଡି ଚଢ଼ଉ

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓଡ଼ିଶାର ୯ ସ୍ଥାନ ଓ ପଶ୍ଚିମ ବଙ୍ଗର ୩ଟି, ମୋଟ ୧୨ଟି ସ୍ଥାନରେ ଚଢ଼ଉ କରିଛି। ମେସର୍ସ ସିଲିକନ୍ ଟେକ୍‌ଲାବ୍‌ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍...

ଭୁବନେଶ୍ୱର: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓଡ଼ିଶାର ୯ ସ୍ଥାନ ଓ ପଶ୍ଚିମ ବଙ୍ଗର ୩ଟି, ମୋଟ ୧୨ଟି ସ୍ଥାନରେ ଚଢ଼ଉ କରିଛି। ମେସର୍ସ ସିଲିକନ୍ ଟେକ୍‌ଲାବ୍‌ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ପିଏସ୍‌ଆଇଏଲ୍‌ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ସେମାନଙ୍କର ନିର୍ଦ୍ଦେଶକମାନଙ୍କ ସହିତ ଅନ୍ୟାନ୍ୟ ସହଯୋଗୀଙ୍କ ଘରେ ଚଢ଼ଉ କରିଛି। ନିଯୁକ୍ତି କେଳେଙ୍କାରୀରେ କୋଟି କୋଟି ଟଙ୍କାର ଆର୍ଥିକ କାରବାରକୁ ନେଇ ତଦନ୍ତକାରୀ ସଂସ୍ଥାର ଖୋଳତାଡ଼ କରିବା ସହ କେଉଁ ଉତ୍ସରୁ ଟଙ୍କା ଆସୁଥିଲା, କାହା ପାଖକୁ ଯାଇଥିଲା, କେଉଁମାନେ ଆର୍ଥିକ ଲାଭ ପାଇଛନ୍ତି, ସେସବୁର ଯାଞ୍ଚ କରୁଛି।

ସିଲିକନ୍‌ ଟେକ୍‌ଲାବ୍‌, ପଞ୍ଚସଫ୍ଟ ଓ ପିଏସ୍‌ଆଇଏଲ୍‌ଇରେ ତନାଘନା
ପ୍ରାର୍ଥୀଙ୍କ ପିଛା ଆଦାୟ ହେଉଥିଲା ୧୫ରୁ ୩୦ ଲକ୍ଷ ଟଙ୍କା

ସୂଚନା ମୁତାବକ, ଗତ ୨୦୨୫ ସେପ୍ଟେମ୍ବର ୩୦ରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ୍‌ ନିକଟରେ ଓଡ଼ିଶା ପୁଲିସ ଚଢ଼ଉ କରି ତିନୋଟି ବସ୍‌କୁ ଠାବ କରିବା ସହ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦେବାକୁ ଥିବା ୧୧୪ ପ୍ରାର୍ଥୀଙ୍କୁ କାବୁ କରିଥିଲା। ଜେରାରୁ ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ଆଗୁଆ ଯୋଗାଇଦେବା ନାଁରେ ସେମାନଙ୍କ ଠାରୁ ଜଣପିଛା ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ ହୋଇଥିଲା। ପ୍ରାର୍ଥୀଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଜମା ରଖାଯାଇଥିଲା। ପ୍ରଥମେ ଓଡ଼ିଶା ପୁଲିସ ମାମଲା ରୁଜୁ କରିଥିବା ବେଳେ ପରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ପରେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଥିଲା। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପରୀକ୍ଷା ପରିଚାଳନା ଦାୟିତ୍ୱ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍‌କୁ ଦେଇଥିଲା। ଆଇଟିଆଇ ଏହି ଦାୟିତ୍ବ ଭୁବନେଶ୍ୱରର ସିଲିକନ୍‌ ଟେକ୍‌ଲାବ୍‌କୁ ଦେଇଥିଲା। ପରେ ସିଲିକନ୍‌ ଟେକ୍‌ଲାବ୍‌ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ଆଇଟିଆଇର ଲିଖିତ ଅନୁମତି ନ ନେଇ ପଞ୍ଚସଫ୍ଟକୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଦେଇଥିଲା। ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ସହ ମିଶି ପ୍ରାର୍ଥୀଙ୍କ ଗୋପନୀୟ ତଥ୍ୟ ପରିଚାଳନା କରାଯାଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ତେବେ ଶଙ୍କର ପୃଷ୍ଟି ଓ ସିଲିକନ୍‌ ଟେକ୍‌ଲାବ୍‌ ମଧ୍ୟରେ ପରୀକ୍ଷା ଆରମ୍ଭ ପୂର୍ବରୁ ଅର୍ଥ କାରବାର ହୋଇଥିବା ତଥ୍ୟ ମିଳିଥିବା ଇଡି କହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button