ରାଜ୍ୟ

Murder Mystery: କାଠଯୋଡ଼ି କୂଳରେ ମହିଳାଙ୍କୁ ହତ୍ୟା ଘଟଣା: କି-ପ୍ୟାଡ୍‌ ମୋବାଇଲକୁ ବନ୍ଦ କରି ଲୋକେସନ୍‌ ବଦଳାଉଛି ଅଭିଯୁକ୍ତି, ଚଢ଼ାଉ ବେଳକୁ ଖସିଯାଉଛି…

କଟକ,୧୬/୧୦: କାଠଯୋଡ଼ି କୂଳରେ କଳାହାଣ୍ଡିର ମହିଳା ଗୌରୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଟିମ୍‌ ଉଦ୍ୟମ ଜାରି  ରଖିଛି । କଟକ ପୁଲିସର ଏକାଧିକ ଟିମ୍‌ ରାଜ୍ୟର ବିଭିନ୍ନ  ଜିଲ୍ଲାରେ ଚଢ଼ଉ କରିସାରିଲାଣି । ହେଲେ ପ୍ରତିଥର ଅଭିଯୁକ୍ତ  ଯୁବକ ପୁଲିସକୁ ଚକ୍‌ମା ଦେଇ ଖସିଯିବାରେ ସଫଳ  ହେଉଛି । ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ସେ ବେଶୀ ସମୟ ରହୁନାହିଁ । ଏହାମଧ୍ୟରେ ପୁଲିସ ଟିମ୍‌ ଅଭିଯୁକ୍ତକୁ ଧରିବା ପାଇଁ ଝାଡ଼ଖଣ୍ଡରେ ଡେରା ପକାଇଥିବା ସୂଚନା ମିଳିଛି ।

ଗତ ୭ ତାରିଖ ଅପରାହ୍ନରେ ସିଟି କଲେଜ ସମ୍ମୁଖ  କାଠଯୋଡ଼ି ନଦୀର ଜଳେଶ୍ୱର ଗଡ଼ାରେ କଳାହାଣ୍ଡିର  ଗୌରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।  ସନ୍ଧ୍ୟା ସମୟରେ ଏହି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ  ଆସିଥିଲା । ମୃତକଙ୍କ ପରିଚୟ ଜାଣିବା ଓ ହତ୍ୟାକାରୀକୁ  ଧରିବା ପାଇଁ ପୁଲିସର ୫ଟି ଟିମ୍‌ ଲାଗିପଡ଼ିଛି । ତଦନ୍ତ  ସମୟରେ ପୁଲିସକୁ କଳାହାଣ୍ଡିରୁ କଟକ ଭାୟା  ଜଗତସିଂହପୁର ଲିଙ୍କ ମିଳିଥିଲା । ମୃତ ଗୌରୀ କଳାହାଣ୍ଡିର  ବାସିନ୍ଦା ହୋଇଥିଲା ବେଳେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ  ସେ ହତ୍ୟାକାରୀ ଯୁବକ ସହିତ ଆସି ଜଗତସିଂପୁରରେ  ରହିଥିଲେ । ବହୁ ପୂର୍ବରୁ ଅଭିଯୁକ୍ତ ଯୁବକ ସହିତ ତାଙ୍କର  ପ୍ରେମ ସମ୍ପର୍କ ରହିଥିଲା । ମହିଳାଙ୍କ ସ୍ୱାମୀ କୌଣସି ଏକ  ମାମଲାରେ ଗିରଫ ହୋଇ ଜେଲ୍‌ରେ ରହିବା ପରେ  ପ୍ରେମିକ ସହିତ ଗୌରୀ ଘରଛାଡ଼ି ଚାଲିଆସିଥିଲେ ବୋଲି  ତଦନ୍ତରୁ ଜଣାପଡ଼ିଛି ।

ଗତ ୭ ତାରିଖ ମଧ୍ୟାହ୍ନରେ ଉଭୟ  ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚି ଏକ ମେଡିକାଲ୍‌କୁ ଯାଇଥିଲେ ।  ପରେ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ  ପହଞ୍ଚିଥିଲେ । ଏହି ସମୟରେ କୌଣସି ଏକ କଥାକୁ ନେଇ  ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଯୁବକ ଜଣକ ମହିଳାଙ୍କୁ  ଅମାନୁଷିକ ଭାବେ ଗୌରୀଙ୍କୁ ହତ୍ୟା କରିଥିଲା । ଦୁଇଦିନ  ପରେ ମୃତକଙ୍କ ପରିଚୟ ଜଣାପଡ଼ିବା ପରେ ଅଭିଯୁକ୍ତ  ଯୁବକ ବିଷୟରେ ଠିକ୍‌ ତଥ୍ୟ ପୁଲିସକୁ ମିଳିଥିଲା ।

ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଯୁବକ ଜଣକ  ରିଂବନ୍ଧ ଉପରକୁ ନ ଆସି ନଦୀକୂଳ ଦେଇ ପୁରୀଘାଟ  ଗଡ଼ାରେ ଉଠି ପୁଣି ବାଦାମବାଡ଼ି ଆଡ଼କୁ ଆସିଥିଲା । ସେଠାରୁ ବସ୍‌ ଯୋଗେ ବଲାଙ୍ଗିର ପଳାଇଥିଲା ।  ବଲାଙ୍ଗିରରେ ଦୁଇ ଦିନ ରହିବା ପରେ ସେ ଝାଡ଼ଖଣ୍ଡ  ପଳାଇଛି । ପୁଲିସ ତା’ର ମୋବାଇଲ ଲୋକେସନ୍‌  ଟ୍ରାକ୍‌ କରି ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି । ଅଭିଯୁକ୍ତ  ଯୁବକ ଅଧିକାଂଶ ସମୟ ମୋବାଇଲଟିକୁ ବନ୍ଦ କରି  ରଖୁଛି । ତେଣୁ ଲୋକେସନ୍‌ ଛଡ଼ା ଅନ୍ୟ ବୈଷୟିକ  ତଥ୍ୟ ଗୁଡ଼ିକ ପୁଲିସ ପାଇପାରୁନି । ଝାଡ଼ଖଣ୍ଡର ଉପାନ୍ତ  ଜିଲ୍ଲାରେ ଥିବା  ଶିଳ୍ପାନୁଷ୍ଠାନରେ ଅଭିଯୁକ୍ତର କିଛି ପରିଚିତ  ବ୍ୟକ୍ତି କାମ କରୁଥିବା ସୂଚନା ମିଳିଛି ।  ଯୁବକ ଜଣକ  ସେଠାରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।

​​​​​​​

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button