ପୁରୀ: ଆଜି (ସୋମବାର) ଅପରାହ୍ଣରେ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ଜଣ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସୂଚନାନୁସାରେ, ଅପରାହ୍ନ ପ୍ରାୟ ୫ଟା ସମୟରେ ପୁରୀ ସମୁଦ୍ରକୂଳରେ ହୋଟେଲ୍ ପୁରୀ ସମ୍ମୁଖ ବେଳାଭୂମିରେ ରାଜସ୍ଥାନରୁ ଆସିଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିଲେ। ଉଚ୍ଚ ଜୁଆର ଯୋଗୁଁ ସେମାନଙ୍କ ମଧ୍ୟରୁ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ।
ଘଟଣା ପୂର୍ବରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ। ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଅବମାନନା କରି ସମୁଦ୍ରରେ ଗାଧୋଉଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଦୁଃଖଦ ଘଟଣାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।ମୃତ ବ୍ୟକ୍ତି ମାନଙ୍କର ନାମ ହେଉଛି ଚୂତରା ରାମ(୨୩) ଓ ପଦ୍ମା ରାମ(୨୨)।
ସୌଜନ୍ୟ ସମ୍ବାଦ