ରାଜ୍ୟ

Cabinet: କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବ ପାରିତ: ଖରିଫରେ ଉଠିବ ୭୮ ଲକ୍ଷ ଟନ୍‌ ଧାନ

ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ସରକାର ୭୮ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବା ୫୩ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବେ। ରାଜ୍ୟ କ୍ୟାବିନେଟ୍‌ରେ ଖରିଫ ଋତୁର ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି।

ଭୁବନେଶ୍ବର: ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ସରକାର ୭୮ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବା ୫୩ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବେ। ରାଜ୍ୟ କ୍ୟାବିନେଟ୍‌ରେ ଖରିଫ ଋତୁର ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି। ସ୍ବଚ୍ଛ ଓ ନିରପେକ୍ଷ ଧାନ ସଂଗ୍ରହ, କୃଷକଙ୍କୁ ସମୟୋଚିତ ଅର୍ଥ ପ୍ରଦାନ, ଦକ୍ଷ ଚାଉଳ ମିଲିଂ ଏବଂ ପିଡିଏସ୍‌ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ନିରବଚ୍ଛିନ୍ନ ଚାଉଳ ଯୋଗାଣ ନିଶ୍ଚିତ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ, ଏମ୍‌ଏସ୍‌ପି ଓ ଇନ୍‌ପୁଟ୍‌ ସହାୟକୁ ମିଶାଇ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା ମିଳିବ। ଧାନକିଣାର ୨୪ରୁ ୪୮ଘଣ୍ଟା ଭିତ‌ରେ ଏନ୍‌ପିସିଆଇ ମାଧ୍ୟମରେ ଚାଷୀଙ୍କ ଆଧାର ସଂଯୋଗୀକୃତ ବ୍ୟାଙ୍କ ଖାତାରେ ଏମ୍‌ଏସ୍‌ପି ଅର୍ଥ ସିଧାସଳଖ ଜମା କରାଯିବ। ପ୍ୟାକ୍‌ସ, ଲ୍ୟାମ୍ପସ ଓ ପାଣି ପଞ୍ଚାୟତ ମାଧ୍ୟମରେ ଧାନ କ୍ରୟ କେନ୍ଦ୍ର(ପିପିସି)ଗୁଡ଼ିକ ଧାନ ପ୍ରକ୍ରିୟାକୁ ସହଜ କରାଯିବ। କ୍ରୟ ତାରିଖ ଓ ପରିମାଣ ସଂପର୍କରେ ଚାଷୀଙ୍କୁ ଆଗୁଆ ଏସ୍‌ଏମ୍‌ଏସ୍‌ ପଠାଯିବ।
୫ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ କ୍ଷମତା ବିଶିଷ୍ଟ ପିପିସି ଗୁଡ଼ିକରେ ଏଫ୍‌ଏକ୍ୟୁ ପରୀକ୍ଷଣ, ଏଆଇ ଆଧାରିତ ଗ୍ରେନ୍‌ ଆନାଲାଇଜର, ସିସିଟିଭି ଓ ଲାଇଭ୍‌ ମନିଟରିଂ ମାଧ୍ୟମରେ ଗୁଣବତ୍ତା ନିୟନ୍ତ୍ରଣ ଓ ସ୍ବଚ୍ଛତାକୁ ଅଧିକ ସୁଦୃଢ଼ କରାଯିବାକୁ ନିଷ୍ପତ୍ତି ହୋଇଛି। ମିଲ୍‌ ଟ୍ୟାଗିଂ, ଏମ୍‌ଏମ୍‌ଡିଏଫ୍‌-ରୁଟ୍‌ ଅପ୍‌ଟିମାଇଜେସନ୍‌ ମାଧ୍ୟମରେ ସମୟସୀମା ଭିତରେ ମିଲିଂକୁ ପ୍ରୋତ୍ସାହିତ କରିବା ସହ ପରିବହନ ଖର୍ଚ୍ଚ ହ୍ରାସ କରାଯିବ। ପି-ପିଏଏସ୍‌, ଆଧାର ଇ-କେୱାଇସି, ଭୂଲେଖ ଓ ଏନ୍‌ପିସିଆଇର ସମନ୍ବିତ ବ୍ୟବହାର ଦ୍ବାରା ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ। ଜମି ମାଲିକଙ୍କ ଅନୁମୋଦନ ପାଇଁ ନିର୍ଦ୍ଧାରିତ ଡିଜିଟାଲ୍‌ ସମ୍ମତି ଓ ବାୟୋମେଟ୍ରିକ୍‌-ମୋବାଇଲ ପ୍ରମାଣୀକରଣ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଭାଗଚାଷୀଙ୍କ ପାଇଁ ପଞ୍ଜୀକରଣ ଓ ଧାନ ସଂଗ୍ରହ ବ୍ୟବସ୍ଥାକୁ ସଂପ୍ରସାରିତ କରାଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସମେତ ୧୦ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍‌ ବୈଠକ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇଥିଲା। ଏଥିରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଥିଲା। ତାହା ପରେ ଏହା କ୍ୟାବିନେଟ୍‌ରେ ପାରିତ ହୋଇଥିଲା।
କ୍ୟାମ୍ପସ୍‌ରେ ମାଗଣା ୱାଇଫାଇ ପାଇଁ ୩୯୪ କୋଟି 
ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ‘ପ୍ରୟାସ’ର ସୀମା ହଟିଲା
ବେସରକାରୀ ଡିଲରଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା
କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ରାଜ୍ୟର ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ମିଳିବ। ଏଥି ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ବାବଦରେ ୩୯୩.୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ଏହା ଖର୍ଚ୍ଚ ହେବ। ଏହି ବଜେଟ୍‌କୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋନ ଦେଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ୬୦୧ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ପିଲାମାନଙ୍କୁ ମାଗଣାରେ ହାଇ-ସ୍ପିଡ୍‌ ୱାଇଫାଇ ସଂଯୋଗ ମିଳିବ। ପ୍ରତି ଛାତ୍ରଛାତ୍ରୀ ଦିନକୁ ୧ ଜିବି ଡାଟା ମାଗଣାରେ ପାଇବେ। ପିଲାଙ୍କୁ ଶିକ୍ଷାଗ୍ରହଣ, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଏପରି ଯୋଜନା ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଏହା ଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବିଶେଷ କରି ଗ୍ରାମାଞ୍ଚଳ, ଦୁର୍ଗମ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ ଉଚ୍ଚଶିକ୍ଷା ଉପଲବ୍ଧ ହୋଇପାରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button