Polluted Cities: ସାଙ୍ଘାତିକ ସ୍ଥିତି…ବିଶ୍ୱର ୫୦ ସର୍ବାଧିକ ପ୍ରଦୂଷିତ ସହରରେ ଭାରତର ୪୯, ପାକିସ୍ତାନ କେତେ ନମ୍ବରରେ ?

ନୂଆଦିଲ୍ଲୀ,୧୧/୧୧: ବିଶ୍ୱର ୫୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ଏକାକୀ ୪୯ଟି ରହିଛି । ତାଲିକାରେ ପାକିସ୍ତାନର ଲାହୋର ୧୪ତମ ସ୍ଥାନରେ ଅଛି । ଏଠାରେ ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୪୩୦ ରେକର୍ଡ କରାଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ବିଶ୍ୱର ସବୁଠୁ ପ୍ରଦୂଷିତ ସହର ବିବେଚିତ ହୋଇଛି । ଏଠାରେ ଏକ୍ୟୁଆଇ ୮୨୧ ରହିଥିବା ‘ଏକ୍ୟୁଆଇ ଡଟ୍ ଇନ୍’ ରିପୋର୍ଟରୁ ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳ ୯ଟା ୫୪ ସୁଦ୍ଧା ଶ୍ରୀଗଙ୍ଗାନଗରରେ ଏକ୍ୟୁଆଇ ସର୍ବାଧିକ ରହିଥିଲା । ରାଜଧାନୀ ଦିଲ୍ଲୀ ଏବଂ ଭୋପାଳରେ ଏକ୍ୟୁଆଇ ୪୦୦ ପାର୍ କରିଥିଲା । ବିଶେଷକରି ଦୀପାବଳି ଯୋଗୁ ବାୟୁ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି । ଦିଲ୍ଲୀରେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଚାନ୍ଦିନୀଚୌକର ଏକ୍ୟୁଆଇ ୪୦୦ ଡେଇଁଥିଲା । ମଧ୍ୟପ୍ରଦେଶର ଭୋପାଳ, ଉଜୈନ ଏବଂ ହରିୟାଣାର ବାହାଦୁରଗଡ଼ରେ ମଧ୍ୟ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି । ଉତ୍ତରପ୍ରଦେଶର ନୋଏଡ଼ାରେ ଏକ୍ୟୁଆଇ ୩୩୨, ବୁଲନ୍ଦଶରରେ ୩୩୧, ଗାଜିଆବାଦରେ ୩୨୪ ଏକ୍ୟୁଆଇ ରେକର୍ଡ କରାଯାଇଛି । ରିପୋର୍ଟ ଅନୁସାରେ ପଞ୍ଜାବର ବଠିଣ୍ଡାରେ ଏକ୍ୟୁଆଇ ୬୨୯ ରହିଛି । ହରିୟାଣାର ସିରସା ଓ ହିସାରରେ ଏକ୍ୟୁଆଇ ୫୦୦ ସେପଟେ ରହିଥିବା ବେଳେ ପଞ୍ଜାବର ଫରିଦକୋଟରେ ବି ଏହା ୫୦୦ ଅତିକ୍ରମ କରିଯାଇଛି ।
ସେହିଭଳି ଉତ୍ତର ପ୍ରଦେଶର ବଦାୟୁଁ, ଜୌନପୁର ଏବଂ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ବି ଏକ୍ୟୁଆଇ ୪୦୦ରୁ ଅଧିକ ରହିଛି । ଏକ୍ୟୁଆଇ ୨୦୧ରୁ ୩୦୦ ପର୍ଯ୍ୟନ୍ତ ରହିଲେ ବାୟୁ ମାନକୁ ଖରାପ ବିବେଚନା କରାଯାଏ । ୩୦୧ରୁ ୪୦୦ ପର୍ଯ୍ୟନ୍ତ ହେଲେ ବାୟୁ ମାନ ସବୁଠୁ ଖରାପ ଏବଂ ୪୦୧ରୁ ୫୦୦ ରହିଲେ ଗମ୍ଭୀର ଶ୍ରେଣୀ ବିବେଚନା କରାଯାଇଥାଏ । ଗମ୍ଭୀର ଶ୍ରେଣୀ ବାୟୁ ଦ୍ୱାରା ସୁସ୍ଥ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ହାରାହାରି ୩୯୩ ଏକ୍ୟୁଆଇ ସହ ଦିଲ୍ଲୀ ତାଲିକାର ୨୪ତମ ସ୍ଥାନରେ ରହିଛି । ଦିଲ୍ଲୀରେ ଏଥର ଦୀପାବଳି ପ୍ରଦୂଷଣ ସମସ୍ତ ରେକର୍ଡ ଭାଙ୍ଗିଥିଲା । ଦିଲ୍ଲୀ-ଏନସିଆରରେ ଦୀପାବଳି ପ୍ରଦୂଷଣ ୫ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି । ‘ଏକ୍ୟୁଆଇ ଡଟ୍ ଇନ୍’ ସୋମବାର ମଧ୍ୟ ବିଭିନ୍ନ ସମୟର ରିପୋର୍ଟ ଦେଇଥିଲା । ଯେଉଁଥିରେ ଏକ୍ୟୁଆଇ ଭିନ୍ନ ଭିନ୍ନ ଦର୍ଶାଯାଇଥିଲା ।
ସୌଜନ୍ୟ ପ୍ରମେୟ




