ମହାନଗର

ଲୁଇସ ରୋଡ୍‌ ନାଁ ପଛର କାହାଣୀ, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ନାମ ଏମିତି କାହିଁକି ହେଲା ?

ଭୁବନେଶ୍ୱର, ୧୧/୧୧(ବିଜୟ ମିଶ୍ର): ରାଜଧାନୀର ଏକ ବ୍ୟସ୍ତ ବହୁଳ ରାସ୍ତା ଭାବେ ବେଶ୍‌ ପରିଚିତ ଲୁଇସରୋଡ । ରସୁଲଗଡ଼ ଠାରୁ ଉତ୍ତରା ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏହି ୧୨ କିମି ରାସ୍ତାର ନାମ ଲୁଇସ ରୋଡ୍‌ କାହିଁକି ? ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ଏହି ରାସ୍ତା ନାମ ଇଂରେଜ ଲୋକଙ୍କ ନାମରେ କିଏ ଦେଲା । ଏହି ଭଳି ପ୍ରଶ୍ନ ବହୁ ଲୋକଙ୍କ ମନକୁ ଆସେ । କିନ୍ତୁ ଉତ୍ତର ମିଳେ ନାହିଁ । ଲୋକଙ୍କ ଏହି ସଂଶୟକୁ ଦୂର କରିବା ପାଇଁ ଆମକୁ ଫେରିଯିବାକୁ ହେବ ୮୦ ବର୍ଷ ତଳକୁ…

୧୯୪୫ ମସିହା… ଭୁବନେଶ୍ୱରରେ ଓଡ଼ିଶାର ରାଜଧାନୀ ନିର୍ମାଣ ପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ସେତେବେଳେ ଓଡ଼ିଶାର ଗଭର୍ଣ୍ଣର ଥିଲେ ସାର୍‌ ୱିଲିଅମ୍‌ ହର୍ଥୋନ୍‌ ଲୁଇସ୍‌ । ସିଭିଲ ସର୍ଭିସ୍‌ରେ ଟପ୍ପର ଥିଲେ ଲୁଇସ୍‌ । ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ଥିଲା ଅବର୍ଣ୍ଣନୀୟ । ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ କରିବାକୁ ହେଲେ ପ୍ରଥମେ ଜଗନ୍ନାଥ ସଡ଼କ ସହିତ ଏକାମ୍ରକ୍ଷେତ୍ରକୁ ଯୋଡ଼ିବାକୁ ପଡ଼ିବ ବୋଲି ସେ ଚିନ୍ତା କରିଥିଲେ । ତାଙ୍କ ନିର୍ଦ୍ଦେଶରେ ରସୁଲଗଡ଼ ନିକଟସ୍ଥ ଜଗନ୍ନାଥ ସଡ଼କରୁ ଏକ ରାସ୍ତା ବାହାରି ପୁନଶ୍ଚ ଉତ୍ତରାଛକ ଜଗନ୍ନାଥ ସଡ଼କରେ ମିଶାଇବା ପାଇଁ ଯୋଜନା ହୋଇଥିଲା । ଏହି ପ୍ରକଳ୍ପକୁ ସାକାର କରିବା ଲାଗି ଜଣେ ଇଂରେଜ ନିର୍ବାହୀ ଯନ୍ତ୍ରୀ ତତ୍ତ୍ୱାବଧାନରେ ଓଡ଼ିଶାର ଯନ୍ତ୍ରୀମାନେ ଲାଗି ପଡ଼ିଥିଲେ । ୨ ବର୍ଷ ଭିତରେ ରାସ୍ତା ଲିଙ୍ଗିପୁର ପର୍ଯ୍ୟନ୍ତ ଲାଗିଗଲା । ଏହାପରେ ଦୟା ନଦୀ ଉପରେ ପୋଲ ନିର୍ମାଣ ହୋଇ ୧୯୪୮ ବର୍ଷ ଶେଷ ସୁଦ୍ଧା ରାସ୍ତା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲା । ସେତେବେଳେ ଏହି ରାସ୍ତା ଭୁବନେଶ୍ୱରର ସବୁଠାରୁ ଚଉଡ଼ା ରାସ୍ତା ଭାବେ ପରିଗଣିତ ହୋଇଥିଲା ।

ହର୍ଥୋନ୍‌ ଲୁଇସ୍‌ ମଧ୍ୟ ବାଣୀବିହାର ବିଶ୍ୱ ବିଦ୍ୟାଳୟ ଓ ହୀରାକୁଦ ବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶା ଲୋକଙ୍କ ବେଶ୍‌ ପ୍ରିୟପାତ୍ର ହୋଇ ପାରିଥିଲେ । ୫ ବର୍ଷ କାଳ ସେ ଓଡ଼ିଶାର ସେବା କରିବା ପରେ ୧୯୪୬ରେ ଗଭର୍ଣ୍ଣର ପଦରୁ ଅବସର ଗ୍ରହଣ କରିଥିଲେ । ତେବେ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣୀୟ କରିବା ଲାଗି ଲୋକାର୍ପଣ ବେଳେ ଏହାର ନାମ ଲୁଇସ ରୋଡ ରଖାଗଲା । ଯାହାକି ମୂଳରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗର ଏକ ଉତ୍ତମ ମାଧ୍ୟମ ପାଲଟିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button