ବିଶେଷ

Uncomfortable Unmarried Millennials: ପର୍ବରେ ଅସହଜ ଅବିବାହିତ ମିଲେନିଆଲ୍‌

ଦୀପାବଳି ସାଧାରଣତଃ ସମସ୍ତଙ୍କ ଜୀବନରେ ଆନନ୍ଦ, ଉଲ୍ଲାସ ନେଇଆସେ। ଏହି ମଉକାରେ ବହୁ ଦିନରୁ ଭେଟି ନଥିବା ସମ୍ପର୍କୀୟଙ୍କ ସହ ଦେଖାହୁଏ। ପରିଚିତ ଚେହେରାମାନଙ୍କ ସହ ପୁନର୍ମିଳନର ଅବସର ବି ମିଳେ।

ଦୀପାବଳି ସାଧାରଣତଃ ସମସ୍ତଙ୍କ ଜୀବନରେ ଆନନ୍ଦ, ଉଲ୍ଲାସ ନେଇଆସେ। ଏହି ମଉକାରେ ବହୁ ଦିନରୁ ଭେଟି ନଥିବା ସମ୍ପର୍କୀୟଙ୍କ ସହ ଦେଖାହୁଏ। ପରିଚିତ ଚେହେରାମାନଙ୍କ ସହ ପୁନର୍ମିଳନର ଅବସର ବି ମିଳେ। ତେେବ ମିଲେନିଆଲ୍‌ ପିଢ଼ି (୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମିତ)ର ଯେଉଁମାନେ ଏଯାଏ ଅବିବାହିତ ଅଛନ୍ତି, ସେମାନଙ୍କୁ ଏହି ଅବସର କିନ୍ତୁ ଅସହଜ କରିଦେଉଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ସାଙ୍ଗସାଥୀ ବା ପରିଜନଙ୍କ ଗୋଷ୍ଠୀରେ ସେମାନଙ୍କୁ ଏକୁଟିଆ ଲାଗୁଛି। ସମସ୍ତେ ବୁଲେଇ ବଙ୍କେଇ ସେହି ବିବାହ ପାଖରେ ହିଁ ଅଟକି ଯାଉଛନ୍ତି। ଡେଟିଂ ଆପ୍‌ କ୍ୱାକ୍‌କ୍ୱାକ୍‌ ଦ୍ୱାରା କରାଯାଇଥିବା ଦୀପାବଳି ପରବର୍ତ୍ତୀ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।

ସର୍ବେକ୍ଷଣରେ ୨୮ ବର୍ଷରୁ ଅଧିକ ବୟସର ଭାରତୀୟ ଅବିବାହିତମାନେ କହିଛନ୍ତି ଯେ, ଯେଉଁ ଅବସର ଆଗରୁ ସାଧାରଣ ଖୁସିବାସିର ସମାବେଶ ଥିଲା, ତାହା ଧୀରେ ଧୀରେ ତୁଳନା, ଅଯାଚିତ ପରାମର୍ଶ ଓ ସେମାନଙ୍କ ବିବାହ ଯୋଜନା ସମ୍ପର୍କିତ ମାତ୍ରାଧିକ ପ୍ରଶ୍ନର ମାହୋଲରେ ପରିଣତ ହେଉଛି। ଅନେକେ ସେମାନଙ୍କୁ ଅଯାଚିତ ଭାବେ ପରାମର୍ଶ ବି ଦେବାକୁ ଭୁଲୁ ନାହାନ୍ତି। ବିଶେଷକରି ୨୮ ବର୍ଷରୁ ଊର୍ଦ୍ଧ୍ୱ ମିଲେନିଆଲ୍‌ ବର୍ଗର ଅବିବାହିତମାନେ ଏହି ଚାପର ଅଧିକ ଶିକାର ହେଉଛନ୍ତି। ସର୍ବେକ୍ଷଣରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି ମତ ଦେଇଛନ୍ତି ଯେ, ସାଙ୍ଗସାଥୀଙ୍କ ବିବାହ ଓ ସେମାନଙ୍କ ପରିବାରକୁ ଦେଖିବା ପରେ ମନରେ ସ୍ବତଃ ଏକ ପ୍ରକାର ତୁଳନା ଆରମ୍ଭ ହୋଇଯାଏ। ସାଙ୍ଗମାନଙ୍କ ତୁଳନାରେ ଜୀବନରେ ପଛରେ ପଡ଼ିଯିବାର ଭାବନା ସେମାନଙ୍କୁ ମାନସିକ ସ୍ତରରେ ବ୍ୟଥିତ କରେ। ତେଣୁ ଯେଉଁ ବନ୍ଧୁମିଳନ ପୂର୍ବରୁ ଖୁସି ଓ ଆଶ୍ୱସ୍ତି ଦେଉଥିଲା, ଏବେ ତାହା ଏକ ପ୍ରକାର ପରୀକ୍ଷା ଭଳି ମନେହେଉଛି।

ଏହି ସର୍ବେକ୍ଷଣ ଏହା ମଧ୍ୟ ଦର୍ଶାଇଛି ଯେ, ପାରିବାରିକ ଚାପ ସତ୍ତ୍ୱେ ଆଜିର ଯୁବପିଢ଼ି ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଚାହୁନାହାନ୍ତି। ସେମାନେ ନିଜ କ୍ୟାରିଅର୍‌ ଓ ମାନସିକ ଶାନ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅର୍ଥାତ୍‌, ଠିକ୍ ଜୀବନସାଥୀ ନ ମିଳିବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ସେମାନେ ନିଷ୍ପତ୍ତି ନେଉଛନ୍ତି। ସାମାଜିକ ଚାପକୁ ଏଡ଼ାଇ ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ଆଜିର ଅବିବାହିତ ଯୁବପିଢ଼ି ପସନ୍ଦ କରୁଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button