IND vs NZ Test Series: ଟିମ୍ ଇଣ୍ଡିଆର ଏବେ ହେବ ‘ଅଗ୍ନିପରୀକ୍ଷା’… ଜାଣନ୍ତୁ ନ୍ୟୁଜିଲାଣ୍ଡରେ କିପରି ଟେଷ୍ଟ ରେକର୍ଡ ?

ନୂଆଦିଲ୍ଲୀ,୧୬/୧୧; ଦିନିକିଆ ସରିଲା ଏବେ ଫୋକସ୍ ଟେଷ୍ଟ କ୍ରିକେଟ୍ ଉପରେ । ନଭେମ୍ବର ୧୯ରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ସଦ୍ୟ ସମାପ୍ତ ଦିନିକିଆ ସିରିଜକୁ ୩-୧ରେ ଜିତିଛି ଭାରତ । ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ସିରିଜ୍ କବଜା କରିଛି । ଏବେ ଟେଷ୍ଟ କ୍ରିକେଟ୍ ଉପରେ ନଜର । ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ନ୍ୟୁଜିଲାଣ୍ଡରେ ୨ ଥର ଟେଷ୍ଟ ସିରିଜ୍ ଜିତିଛି । ଏଥିର ସିରିଜ୍ କରଜା କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି କ୍ୟାପ୍ଚେନ୍ ଗିଲ୍ । ୱେଲିଂଟନରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଥିବାବେଳେ ଏହି ସିରିଜ୍ ଭାରତ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।
ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ଏବଂ ଏକଦିବସୀୟ ସିରିଜ୍ କବଜା କରିଛି । ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୩-୨ରେ ଜିତିଛି । ଏହା ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରେ ନ୍ୟୁଜିଲାଣ୍ଡକୁ ୩-୧ରେ ପରାସ୍ତ କରିଛି । ନଭେମ୍ବର ୧୬ରୁ ଆରମ୍ଭ ହେଉଥିବା ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆର ପ୍ରକୃତ ପରୀକ୍ଷା ଟେଷ୍ଟ ସିରିଜ୍ ହେବ । ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ ରହିଛି । କିୱିମାନଙ୍କ ଘରେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଫଳାଫଳ କ୍ରିକେଟପ୍ରେମୀଙ୍କ ହୋସ୍ ଉଡାଇଦେବ । ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ସର୍ବଦା ଏହି ଫର୍ମାଟରେ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ।
ଭାରତୀୟ ଦଳ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ମୋଟ ୨୫ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ଟିମ୍ ଇଣ୍ଡିଆ କେବଳ ୫ଟି ମ୍ୟାଚ୍ ଜିତିଛି । ନ୍ୟୁଜିଲାଣ୍ଡ ୧୦ଟି ଟେଷ୍ଟ ମ୍ୟାଚ୍ ଜିତିଛି, ୧୦ଟି ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି । ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, କିୱିମାନେ ଏହି ଫର୍ମାଟରେ ଭାରତ ଉପରେ ନିରନ୍ତର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ନ୍ୟୁଜିଲାଣ୍ଡ ମାଟିରେ ଭାରତ ୨ ଥର ଟେଷ୍ଟ ସିରିଜ୍ ଜିତିଛି । ଭାରତୀୟ ଦଳ ୨୦୨୦ ମସିହାରେ ନ୍ୟୁଜିଲାଣ୍ଡରେ ଶେଷ ଟେଷ୍ଟ ସିରିଜ୍ ଖେଳିଥିଲା । ସେତେବେଳେ ମଧ୍ୟ, ଏକ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ହ୍ୱାଇଟ୍ୱାଶ୍ ହୋଇଥିଲା । ପରବର୍ତ୍ତୀ ସମୟରେ, ୨୦୨୪ ମସିହାରେ, କିୱିମାନେ ଭାରତରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ରେ ଭାରତକୁ କ୍ଲିନ୍ ସୁଇପ୍ କରିଥିଲେ ।
ସୌଜନ୍ୟ ପ୍ରମେୟ




