ରାଜ୍ୟ

Chilika Fresh : ଛାଡ଼ଖାଇ ପୂର୍ବରୁ ଦ୍ୱନ୍ଦ୍ୱରେ ଚିଲିକାଫ୍ରେସ୍‌ କର୍ମଚାରୀ, ଅଭାବ ପଡ଼ିଲାଣି ମାନବ ସମ୍ବଳ, ୯ ଜଣଙ୍କ ସ୍ଥାନରେ ଏବେ ମାତ୍ର ୨ ଜଣ

ଭୁବନେଶ୍ୱର, ୧୭/୧୧ (ଅମନ ଆୟୁଷ୍ମାନ ଦାସ) : ସବୁ ଆଉଟ୍‌ଲେଟ୍‌କୁ ପ୍ରାଇଭେଟ ସଂସ୍ଥା ହାତରେ ଟେକିଦେଲେ । ଆଉ ମାତ୍ର ଗୋଟିଏ ଅଛି । ତାକୁ ବି ଠିକ୍‌ ଭାବରେ ପରିଚାଳନା କରିପାରୁନାହାନ୍ତି । ନା ସେଠାରେ ୨୪ଘଣ୍ଟିଆ ପାଣି ଆସୁଛି, ନା ମାଛ କାଟିବାକୁ କଟାଳୀ । ଆଉଟ୍‌ଲେଟ୍‌ ବି ଜରାଜୀର୍ଣ୍ଣ ହେବାକୁ ଲାଗିଲାଣି । ମାଛ ନେବାକୁ ଆସୁଥିବା ଗ୍ରାହକମାନେ ଏସବୁ ଅବ୍ୟବସ୍ଥା ଦେଖିଲେ ନାକ ଟେକୁଛନ୍ତି । ଶିରିପୁର ଛକରେ ଥିବା ଏକମାତ୍ର ସରକାରୀ ଚିଲିକାଫ୍ରେସର ଅବସ୍ଥା ଏବେ ଏମିତି । ଫିସଫେଡ୍‌ ରାଜ୍ୟ ତଥା ରାଜଧାନୀର ଏହି ପ୍ରଥମ ଚିଲିକା ଫ୍ରେସ କାଉଣ୍ଟର ଏବେ ଘୋର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଯଦିଓ ଏହି କାଉଣ୍ଟରରୁ ମାଛ ନେବାକୁ ଭିଡ଼ ଜମୁଛି, ହେଲେ ଯତ୍ନ ଅଭାବ ରହିଛି । ପୂର୍ବରୁ ଫିସଫେଡ୍‌ ସହିଦନଦଗର ଓ ସିଆରପି ଭଳି ଏହି ଚିଲିକା କାଉଣ୍ଟରକୁ ଘରୋଇକରଣ କରିବାକୁ ମସୁଧା କରୁଥିଲା । ହେଲେ ଜନଅସନ୍ତୋଷ କାରଣରୁ ତାହା ହୋଇପାରିନି । ଏବେ ରକ୍ଷଣାବେକ୍ଷଣ କଥା ମଧ୍ୟ ଭୁଲିଯାଇଛି ।

ଆଗକୁ ଛାଡ଼ଖାଇ । ପ୍ରତିବର୍ଷ ଛାଡ଼ଖାଇର ୧୫ଦିନ ପୂର୍ବରୁ ମାଛ କେଉଁଠୁ ଆସିବ, ବେପାର ପ୍ରସଙ୍ଗରେ ଆଲୋଚନା ତଥା ପ୍ରସ୍ତୁତି ହୋଇଥାଏ । ହେଲେ ଏଥରକ ତାହା ହୋଇନି । ତେଣୁ ମାଛ କେଉଁଠୁ ଆସିବ ସେନେଇ ଚିନ୍ତାରେ ଅଛନ୍ତି କର୍ମଚାରୀ । ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଅଳ୍ପ ପରିମାଣର ଆମିଷ ଆସୁଛି । ଚିଲିକା, ପାରାଦ୍ୱୀପ, ବାଲୁଗାଁରୁ ଦେଶୀମାଛ ଓ ବେପାରୀମାନଙ୍କ ଠାରୁ ଚିଙ୍ଗୁଡ଼ି, କଙ୍କଡ଼ା ଆସି ବିକ୍ରି କରାଯାଉଛି । ଛାଡ଼ଖାଇରେ ବେପାର ବଢ଼ିଥାଏ । ଯଦି କର୍ତ୍ତୃପକ୍ଷ ଛାଡଖାଇ ପୂର୍ବରୁ କୌଣସି ନିଷ୍ପତ୍ତି ନ ନେବେ ତେବେ କାଉଣ୍ଟରରେ ତାଲା ଝୁଲିବାର ଆଶଙ୍କା ସୃଷ୍ଟି ହୋଇଛି । ଖାଲି ସେତିକିନୁହେଁ, ଧୀରେଧୀରେ ଚିଲିକାଫ୍ରେସ କାଉଣ୍ଟରରେ ମାନବସମ୍ବଳ ଅଭାବ ପଡ଼ିଲାଣି । ଏହାର କାରଣ ହେଉଛି ଦରମାରେ ଅସଙ୍ଗତି । ଦିନରାତି କର୍ମଚାରୀମାନେ ଗ୍ରାହକଙ୍କୁ ସତେଜ ଆମିଷ ଯୋଗାଇବା ପାଇଁ କାମ କରୁଥିବା ବେଳେ ସେମାନଙ୍କୁ ପ୍ରାପ୍ୟ ମିଳୁନି । ୯ କର୍ମଚାରୀଙ୍କ ସ୍ଥାନରେ ଏବେ ମାତ୍ର ୨ଜଣ ଅଛନ୍ତି । ସେମାନେ ଖାତାକାମ, ରେକର୍ଡ କରିବା ସହ ମାଛ ଆସିବା, କାଟିବା ଦାୟିତ୍ୱ ମଧ୍ୟ ନେଇଛନ୍ତି । ଫଳରେ ଯେଉଁଭଳି ବେପାର ହେବା କଥା, ସେଭଳି ହେଉନି ।

ବର୍ଷେ ପୂର୍ବରୁ କାଉଣ୍ଟରରେ ଦୁଇଜଣ ମାଛ କଟାଳୀ ଥିଲେ । ହେଲେ ଦରମା ନ’ ମିଳିବାରୁ ଜଣେ କଟାଳୀ ସବୁଦିନ ପାଇଁ କାଉଣ୍ଟର ଛାଡ଼ିଦେଲେ । ଜମେ କଟାଳୀରେ କାଉଣ୍ଟର ଚାଲୁଥିଲେ । ମାତ୍ର ସଂପୃକ୍ତ କଟାଳୀ ଦୁର୍ଘଟଣାର ଶିକାର ହୋଇ ଘରେ ବସିଛନ୍ତି । ଫଳରେ ଚିଲିକା ଫ୍ରେସ ବାହାରୁ ଭଡ଼ାରେ ମାଛ କଟାଳୀ ଆଣି କାମ ଚଳାଉଛନ୍ତି । ଯେଉଁଦିନ କଟାଳୀ ଆସୁନାହାନ୍ତି, ସେଦିନ ବେପାର ବନ୍ଦ । ସେହିପରି କାଉଣ୍ଟରରେ ଥିବା ପାଣି ମଟର ଖରାପ ଯୋଗୁ ପାଣି ଆସୁନି । ବାହାରୁ ପାଣି ଆଣି ମାଛ ଓ ଚଟଣା ଧୁଆ ହେଉଛି । ଷ୍ଟୋରରୁମ କବାଟ ଭାଙ୍ଗିଯାଇଥିବା ବେଳେ ସଟ୍ଟର୍‌ ଖାଇଗଲାଣି । ଚଟାଣରୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ିଲାଣି । କାଉଣ୍ଟରର ମରାମତି ପାଇଁ କର୍ମଚାରୀମାନେ ଫିସଫେଡ୍‌ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହୁଥିଲେ ସୁଦ୍ଧା ଏଦିଗରେ କେହି ଦୃଷ୍ଟି ଦେଉନାହାନ୍ତି । ଏନେଇ ଫିସଫେଡ୍‌ ନିର୍ଦ୍ଦେଶକ ସୁବ୍ରତ ଦାସଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button