ରାଜ୍ୟ

Tiger Returned: ସୁନାବେଡ଼ା ଓ ସେମିଳିଗୁଡ଼ାବାସୀ ଆଶ୍ୱସ୍ତି, ୨୦ ପରେ ଆନ୍ଧ୍ର ଫେରିଗଲା ମହାବଳ, ବନ ବିଭାଗର ସୂଚନା

କୋରାପୁଟ,୧୭/୧୧: ସେମିଳିଗୁଡ଼ା ଓ ସୁନାବେଡ଼ା ବନାଞ୍ଚଳରେ ଦୀର୍ଘ ୨୦ ଦିନ ଧରି ସୃଷ୍ଟି କଲା ଆତଙ୍କ । ୩ଟି ମଇଁଷିକୁ ମାରି ଖାଇଲା । ଶେଷରେ ଆନ୍ଧ୍ରପ୍ରଦେଶରେ ଥିବା ନିଜ ଆବାସସ୍ଥଳୀକୁ ଫେରିଛି ମହାବଳ । ଆଶ୍ୱସ୍ତ ହୋଇଛନ୍ତି କୋରାପୁଟ ଜିଲ୍ଲାବାସୀ । ନାରାୟଣପାଟଣା ଜଙ୍ଗଲ ଦେଇ ବାଘଟି ଆନ୍ଧ୍ର ଫେରିଥିବା କୋରାପୁଟ ବନଖଣ୍ଡର ଏସିଏଫ୍ ଜଗନ୍ନାଥ ବିଷୋୟୀ କହିଛନ୍ତି । ଟ୍ରାକ୍ କ୍ୟାମେରା ଓ ନିରନ୍ତର ସର୍ଭେଲାନ୍ସରୁ ବାଘର ଗତିବିଧି ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ହୋଇଛି ।

ଗତ ମାସ ୨୮ରୁ ଆରମ୍ଭ ହୋଇଥିଲା ଆତଙ୍କ । ସେମିଳିଗୁଡ଼ା ବ୍ଲକ୍ ରାଜପୁଟ ପଞ୍ଚାୟତ ଝରାପୁଟ ଗାଁ ପାଖ ପାହାଡ଼ରେ ଏକ ମଇଁଷିକୁ ମାରି ଖାଇଥିଲା କୌଣସି ଏକ ଜନ୍ତୁ । ଏହାପରେ ଆରମ୍ଭ ହୋଇଥିଲା ତନାଘନା । ୨୯ରେ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳେଇ ବିଭାଗୀୟ କର୍ମଚାରୀଙ୍କ ସହ ପହଞ୍ଚିଥିଲେ ଘଟଣାସ୍ଥଳରେ । ପାହାଡ଼ର ବିଭିନ୍ନ ସ୍ଥାନରେ ଖଞ୍ଜିଥିଲେ ଟ୍ରାକ୍ କ୍ୟାମେରା । ୨୯ ତାରିଖ ସନ୍ଧ୍ୟାରେ ସ୍ପଷ୍ଟ ହୋଇଥିଲା ଯେ, ଅଜଣା ଜନ୍ତୁଟି ଥିଲା ମହାବଳ ବାଘ । ମଲା ମଇଁଷିର କିଛି ଅଂଶ ଖାଇବା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।

ଗତ ୧ ଓ ୨ ତାରିଖରେ ଆଖପାଖ ଅଞ୍ଚଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବାଘର ଗତିବିଧିକୁ ଦୃଷ୍ଟିରେ ରଖି ହାଲ୍ ଏରୋନଟିକ୍ସ କଲେଜ ଓ ଭିଏସ୍ ବିଦ୍ୟାଳୟକୁ ୨ ଦିନ ପାଇଁ ବନ୍ଦ ରଖାଯାଇଥିଲା । ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି ସହ ବାଘର ଗତିପଥ ଉପରେ କଡ଼ା ନଜର ରଖାଯାଇଥିଲା । କୋରାପୁଟ ବନଖଣ୍ଡ ଅଧିକାରୀ ସିଦ୍ଧାର୍ଥ ଜୈନଙ୍କ ନେତୃତ୍ୱରେ ବାଘର ଗତିବିଧି ଅନୁଧ୍ୟାନ କରାଯାଇଥିଲା । ଆବଶ୍ୟକ ସ୍ଥାନରେ ଟ୍ରାକ୍ କ୍ୟାମେରା ଖଞ୍ଜା ଯାଇଥିଲା । ବାଘକୁ ଉତ୍ତ୍ୟକ୍ତ ନ କରି ନିଜ ଆବାସସ୍ଥଳୀକୁ ଫେରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରାଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button