Human Death Mystery: ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ରହସ୍ୟରୁ ହଟୁନି ପରଦା, ୧୧ ମାସ ପରେ ବି ତଦନ୍ତ ଶୂନ, ପୁଲିସକୁ ଚକମା ଦେଇ ବେଫିକର୍ ଅଭିଯୁକ୍ତ

କଟକ,୧୭/୧୧: ଦିବଂଗତ ତାରକା-କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅସ୍ୱାଭାବିକ ମୃତ୍ୟୁ ରହସ୍ୟ ସେମିତି ରହସ୍ୟ ଘେରରେ ରହିଗଲା । ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଦଣ୍ଡ ଦେବାକୁ ହ୍ୟୁମାନଙ୍କ ମା’ ଶେଫାଳି ସୁନା ଦାଏର କରିଥିବା ମାମଲାକୁ କଟକ ପୁଲିସ ଏକପ୍ରକାର ଚାପିଦେଲା । ହ୍ୟୁମାନଙ୍କ ଦେହାନ୍ତକୁ ବର୍ଷେ ପୂରୁଥିବା ବେଳେ ପୁଲିସ ଏହି ମାମଲାର ତଦନ୍ତ ଦିଗରେ ପାଦେ ବି ଆଗେଇନି । ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଉପରଠାଉରିଆ ଥରେ ପଚରାଉଚରା କରି ହାତ ବାନ୍ଧି ବସିଛି ପୁଲିସ । ଏମିତିକି ମାମଲାକୁ ବଳ ଯୋଗାଇବାକୁ ଥିବା ବ୍ୟାଙ୍କ ତଥ୍ୟ ଓ ମେଡ଼ିକାଲ୍ ତଥ୍ୟ ମଧ୍ୟ ଥାନାକୁ ଆସିପାରିନି । ପରଲୋକଗତ ପୁଅକୁ ନ୍ୟାୟ ଦେବା ପାଇଁ ମା’ ଶେଫାଳି ବାରମ୍ବାର ପୁଲିସକୁ ଫୋନ୍ କରି ନେହୁରା ହୋଇ ମାମଲାର ଅଗ୍ରଗତି ବିଷୟ ପଚାରୁଥିଲେ ବି କେହି ଶୁଣୁନାହାନ୍ତି, ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
୨୦୨୫ ନଭେମ୍ବର ୧୭ ତାରିଖ ରାତିରେ ହ୍ୟୁମାନ ସାଗରଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହ୍ୟୁମାନଙ୍କ ମା’ ଶେଫାଳି କଟକ ମର୍କତନଗର ଥାନାରେ କିଛି ଦିନ ପରେ ଅଭିଯୋଗ କରି ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ଅନୁରୋଧ କରିଥିଲେ । ନିଜ ବୋହୂ ବା ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ଏମ୍ଡ଼ି ଆବିଦ (ବବ୍ଲୁ), ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଶେଫାଳି ଏତଲାରେ ଦର୍ଶାଇଥିଲେ । ପୁଲିସ ତୁରନ୍ତ କେସ୍ ରୁଜୁ କରିଥିଲା । ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ପଚରାଉଚରା ସହିତ ଆବଶ୍ୟକ ତଥ୍ୟ ବ୍ୟାଙ୍କ, ମେଡ଼ିକାଲ୍ ଓ ଟେଲିକମ୍ ସଂସ୍ଥାଠାରୁ ଅଣାଯାଇ ମାମଲା ଆଗକୁ ବଢ଼ିବ ବୋଲି ସୂଚନା ଦେଇଥିଲା ।
ସୌଜନ୍ୟ ପ୍ରମେୟ




