Accidents: ଉତ୍ତରାଖଣ୍ଡରେ ୮ ଘଣ୍ଟାରେ ୫ଟି ଦୁର୍ଘଟଣା, ୧୭ ମୃତ, ୩୮ ଆହତ: ଋଷିକେଶ-ବଦ୍ରିନାଥ ରାଜପଥରେ ୧୦୦ ମିଟର ଖାଇକୁ ଖସିଲା ଯାତ୍ରୀବାହୀ ବସ୍
ଉତ୍ତରାଖଣ୍ଡର ଟିହରି ଗଡ଼ୱାଲ ଓ ରୁଦ୍ରପ୍ରୟାଗ ଜିଲ୍ଲାରେ ମାତ୍ର ୮ ଘଣ୍ଟା ମଧ୍ୟରେ ଘଟିଛି ୫ଟି ସଡ଼କ ଦୁର୍ଘଟଣା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ଏହି ଦୁର୍ଘଟଣାଗୁଡ଼ିକ ଘଟିଛି।

ଡେରାଡୁନ୍: ଉତ୍ତରାଖଣ୍ଡର ଟିହରି ଗଡ଼ୱାଲ ଓ ରୁଦ୍ରପ୍ରୟାଗ ଜିଲ୍ଲାରେ ମାତ୍ର ୮ ଘଣ୍ଟା ମଧ୍ୟରେ ଘଟିଛି ୫ଟି ସଡ଼କ ଦୁର୍ଘଟଣା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ଏହି ଦୁର୍ଘଟଣାଗୁଡ଼ିକ ଘଟିଛି। ସବୁଠାରୁ ଭୟଙ୍କର ଦୁର୍ଘଟଣା ଟିହରି ଜିଲ୍ଲାର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଘଟିଛି।
ମଙ୍ଗଳବାର ଭୋର ପ୍ରାୟ ୪ଟା ୩୦ରୁ ୫ଟା ୧୫ ମଧ୍ୟରେ ମୁନି କି ରେତି ଅଞ୍ଚଳର ଗୁଲର ବଜାର ନିକଟରେ ଏକ ଯାତ୍ରୀବାହୀ ବସ୍ ଗୁଲର ପୋଲରୁ ପ୍ରାୟ ୧୦୦ ମିଟର ତଳକୁ ଖାଇରେ ଖସିପଡ଼ିଥିଲା। ହରିଦ୍ୱାରରୁ ଚମୋଲି ଜିଲ୍ଲାର ଯୋଶୀମଠ ଯାଉଥିବା ଏହି ବସ୍ରେ ୩୪ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବସ୍ ଚାଳକ ରାଜେନ୍ଦ୍ର ସିଂହ ଓ ପରିଚାଳକ ଅନୁଜ ଭଣ୍ଡାରୀ ଅଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ଯାତ୍ରୀ ରହିଛନ୍ତି।
ଘଟଣାସ୍ଥଳରେ ରହିଛି ଏକ ବଡ଼ ମୋଡ଼
ଖବର ପାଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍), ପୁଲିସ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଦଉଡ଼ି ଓ ଷ୍ଟ୍ରେଚର ସାହାଯ୍ୟରେ ଖାଇରୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିଲା। ଋଷିକେଶ ଏମ୍ସ ସମେତ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ଟିହରି ଏସ୍ଏସ୍ପି ଶ୍ୱେତା ଚୌବେଙ୍କ ଅନୁଯାୟୀ, ଘଟଣାସ୍ଥଳରେ ଏକ ବଡ଼ ମୋଡ଼ ରହିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ।
ଅନ୍ୟାନ୍ୟ ଅଞ୍ଚଳରେ ହୋଇଥିବା ଅଘଟଣ
ଟିହରି ଜିଲ୍ଲାରେ ଅନ୍ୟ ତିନୋଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୮ଟା ୩୦ରେ ପାୱକି ଦେବୀ ଅଞ୍ଚଳର ବାଂସକାଟଲ ନିକଟରେ ଏକ ୟୁଟିଲିଟି କ୍ୟାମ୍ପର ଗାଡ଼ି ୬୦ ମିଟର ଗଭୀର ଖାଇକୁ ଖସିପଡ଼ିବାରୁ ଜଣେ ମୃତ ଓ ୭ ଜଣ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ୧୫ରେ ଶିବପୁରୀ ଅଞ୍ଚଳରେ ଏକ ସ୍କୁଟି ଦୁର୍ଘଟଣାରେ ଆଶିଷ ସିଂହ (୨୫) ଓ ପ୍ରେମ ସିଂହ (୩୨)ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ ଘନସାଲି ଅଞ୍ଚଳର ଚମିୟାଲା-ବୁଢ଼ାକେଦାର ରାସ୍ତାର ଭଟେଡ଼ି ବ୍ୟାଣ୍ଡ ନିକଟରେ ସ୍କୁଟି ଓ ଟ୍ରକ୍ ଧକ୍କାରେ ସୁରେନ୍ଦ୍ର ସିଂହ (୩୫)ଙ୍କ ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ



