ରାଜ୍ୟ

Human sagar: ହ୍ୟୁମାନଙ୍କ ମୃତ୍ୟୁକୁ ବର୍ଷେ: ପୁଅକୁ ମନେ ପକାଇ କାନ୍ଦିଲେ ଶେଫାଳୀ

ଯେଉଁ ମିଠା ସ୍ୱର ଦିନେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟକୁ ଛୁଇଁ ଯାଉଥିଲା, ସେହି ସ୍ୱର ଆଜି ନିର୍ବାପିତ। ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି।

ବଲାଙ୍ଗୀର: ଯେଉଁ ମିଠା ସ୍ୱର ଦିନେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟକୁ ଛୁଇଁ ଯାଉଥିଲା, ସେହି ସ୍ୱର ଆଜି ନିର୍ବାପିତ। ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ହେଲେ ତାଙ୍କ ଅକାଳ ବିୟୋଗକୁ ନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ। ପୁଅକୁ ହରାଇବାର ଦୁଃଖ ସହ ନ୍ୟାୟ ପାଇଁ ଲଢ଼େଇ କରୁଥିବା ମା’ ଶେଫାଳୀ ସୁନାଙ୍କ ଆଖିରୁ ଲୁହ ଶୁଖୁନି। ତାଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଅର ମୃତ୍ୟୁ ପଛରେ ପ୍ରକୃତରେ କ’ଣ ଘଟିଥିଲା? ୨୦୨୫ ନଭେମ୍ବର ୧୭ ତାରିଖ ରାତିରେ ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ହ୍ୟୁମାନ। ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଏଭଳି ବିଦାୟ ଓଡ଼ିଆ ସଙ୍ଗୀତ ଜଗତକୁ ସ୍ତବ୍ଧ କରିଦେଇଥିଲା।

୯ ଜଣଙ୍କ ନାଁରେ ଏତଲା
ଅନେକ ପ୍ରଶ୍ନ ଅସମାହିତ

ନିମୋନିଆ, ଯକୃତ ରୋଗର ତୀବ୍ର ଜଟିଳତା ଏବଂ ଏକାଧିକ ଅଙ୍ଗ ଅକାମୀ ହୋଇପଡ଼ିବା ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ସେ ପୀଡ଼ିତ ଥିବା ଏମ୍‌ସ ପକ୍ଷରୁ କୁହାଯାଇଥିଲା। ତେବେ ଚିକିତ୍ସାଗତ ଜଟିଳତା ସତ୍ତ୍ୱେ ମୃତ୍ୟୁ ପରିସ୍ଥିତିକୁ ନେଇ ତାଙ୍କ ମା’ଙ୍କ ମନରେ ସନ୍ଦେହ ରହିଥିଲା। ପୁଅର ମୃତ୍ୟୁ ଘଟଣାରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ପ୍ରକାଶ କରି ମା’ ଶେଫାଳୀ ୨୦୨୫ ଡିସେମ୍ବର ୨୧ ତାରିଖରେ କଟକ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ। ଏଥିରେ ହ୍ୟୁମାନଙ୍କ ମ୍ୟାନେଜରଙ୍କ ସମେତ ୯ ଜଣଙ୍କ ନାଁ ଉଲ୍ଲେଖ କରାଯାଇଥିଲା। ଦେହ ଖରାପ ସତ୍ତ୍ୱେ ଚିକିତ୍ସାରେ ବିଳମ୍ବ ଓ ଅବହେଳା, ମାନସିକ ଚାପ, ବିଷକ୍ରିୟା ସମ୍ପର୍କିତ ସନ୍ଦେହ ଏବଂ ଆର୍ଥିକ କାରବାର ସମେତ ବିଭିନ୍ନ ଦିଗର ତଦନ୍ତ ପାଇଁ ସେ ଦାବି କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ହ୍ୟୁମାନଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ, ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜ ସଂଗ୍ରହ କରିଥିଲା।

ହ୍ୟୁମାନଙ୍କ ଆୟ, କାର୍ଯ୍ୟକ୍ରମ ପାଇଁ ହେଉଥିବା ଚୁକ୍ତି, ପାରିଶ୍ରମିକ ଏବଂ ତାଙ୍କ ବୃତ୍ତିଗତ କାରବାରରେ କେଉଁମାନଙ୍କର ଭୂମିକା ଥିଲା, ତାହା ଥିଲା ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ। କିନ୍ତୁ ଏସବୁ ଯାଞ୍ଚରୁ କ’ଣ ନିଷ୍କର୍ଷ ବାହାରିଛି, କେଉଁ ତଥ୍ୟ ପ୍ରମାଣିତ ହୋଇଛି ଏବଂ ତଦନ୍ତର ଚୂଡ଼ାନ୍ତ ସ୍ଥିତି କ’ଣ; ତାହା ଆଜି ମଧ୍ୟ ରହସ୍ୟରେ।
ପୁଅକୁ ହରାଇବାର ଯନ୍ତ୍ରଣା ଶେଫାଳୀଙ୍କ ପାଇଁ ଏବେ ବି ଅସହ୍ୟ। ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଏବଂ ଏହା ପଛର ସତ୍ୟ ସାମନାକୁ ଆଣିବା ଲାଗି ସେ ବାରମ୍ବାର ଦାବି କରିଥିଲେ ହେଁ ଅନେକ ପ୍ରଶ୍ନ ଏଯାଏଁ ଅସମାହିତ। ହ୍ୟୁମାନଙ୍କ ମୃତ୍ୟୁକୁ ବର୍ଷେ ପୂରିଥିବା ବେଳେ ସେ ଗାଇଥିବା ଗୀତ ଆଜି ବି ଶ୍ରୋତାଙ୍କ ମନରେ ଜୀବନ୍ତ। ତାଙ୍କ ସଙ୍ଗୀତ ତାଙ୍କୁ ଶ୍ରୋତାଙ୍କ ହୃଦୟରେ ଅମର କରି ରଖିବ। ହେଲେ ତାଙ୍କ ମୃତ୍ୟୁକୁ ନେଇ ଉଠିଥିବା ସନ୍ଦେହର ଅବସାନ ଏବଂ ତଦନ୍ତର ଫଳାଫଳ ସାର୍ବଜନୀନ ହେଲେ ଯାଇ ଶୋକସନ୍ତପ୍ତ ମା’ଙ୍କୁ ନ୍ୟାୟ ମିଳିପାରିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button