PM Modi At Quad Summit: କ୍ୱାଡ୍ ମଞ୍ଚରୁ ହୃଦୟ ଜିଣିଲେ ମୋଦି, ତଳୁ ତ୍ରିରଙ୍ଗା ଉଠାଇ ପକେଟରେ ରଖିଲେ

ନୂଆଦିଲ୍ଲୀ ୧୮/୧୧: ଫିଲିପାଇନ୍ସର ମାନିଲାରେ ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ ବେଳେ ଏଭଳି ଏକ ଘଟଣା ଘଟିଥିଲା, ଯାହାକୁ ଦେଖି ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା । କ୍ୱାଡ୍ ଦେଶର ନେତାମାନେ ଫଟୋ ସେସନ ପାଇଁ ମଞ୍ଚରେ ପହଞ୍ଚିବାକୁ ଲାଗିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ମଞ୍ଚରେ ନିଜ ଧାର୍ଯ୍ୟ ସ୍ଥାନ ଆଡ଼କୁ ଆଗକୁ ବଢ଼ୁଥିଲେ । ମଞ୍ଚରେ ନେତାମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ସେମାନଙ୍କ ନିଜ ନିଜ ଦେଶର ପ୍ରତୀକ ବା ପତାକା ଲଗାଯାଇଥିଲା । ଏହାକୁ ଦେଖି ସେମାନେ ନିଜ ସ୍ଥାନ ବାଛି ନେଇଥିଲେ ।
ସମସ୍ତ ୪ ନେତାଙ୍କ ଛିଡ଼ା ହେବା ସ୍ଥାନରେ ପ୍ରତୀକ ଭାବେ ତଳେ ପତାକା ରଖାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜ ସ୍ଥାନ ଆଡ଼କୁ ଅଗ୍ରସର ହେଲେ ତାଙ୍କ ନଜର ତଳେ ରଖାଯାଇଥିବା ତ୍ରିରଙ୍ଗା ଉପରେ ପଡ଼ିଲା । ସେ ତତ୍କ୍ଷଣାତ ପତାକାକୁ ସମ୍ମାନର ସହ ତଳୁ ଉଠାଇ ନିଜ ପକେଟରେ ରଖିଥିଲେ । ନିକଟରେ ଉପସ୍ଥିତ ଥିବା ଟ୍ରମ୍ପ୍, ତାକାଇଚି ଏବଂ ଆଲବାନିଜ ଏହା ଦେଖିଥିଲେ । ଏହି ସମୟରେ ମୋଦି ତାଙ୍କ ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଥିବା ଜାପାନ ପ୍ରଧାନମନ୍ତ୍ରୀଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ଟ୍ରମ୍ପ୍ କିଛି କ୍ଷଣ ଚାହିଁଥିଲେ ଏବଂ ମୋଦିଙ୍କ ପିଠିରେ ହାତ ରଖି ‘ଏହାକୁ ସାଇତିକରି ରଖନ୍ତୁ’ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି କାର୍ଯ୍ୟ ଅନ୍ୟ ବିଦେଶୀ ଅତିଥିମାନଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
ସୌଜନ୍ୟ ପ୍ରମେୟ




