ରାଜ୍ୟ

Live-in Relationship: ଲିଭ୍‌-ଇନ୍‌ରେ ରହିଲେ ବି ନିର୍ଯାତନା ମାମଲାରୁ ମିଳିବନି ମୁକ୍ତି, ହାଇକୋର୍ଟଙ୍କ ବଡ଼ ରାୟ

କଟକ, ୧୮।୧୧: ବୈଧ ବିବାହର ପ୍ରମାଣ ନଥିଲେ ମଧ୍ୟ ଯଦି ଜଣେ ପୁରୁଷ ଓ ମହିଳା ଦୀର୍ଘଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ଭଳି ଏକାଠି ରହୁଥାନ୍ତି ଏବଂ ସେହି ସମ୍ପର୍କ ବୈବାହିକ ଜୀବନ ଭଳି ହୋଇଥାଏ, ତେବେ ସେକ୍ଷେତ୍ରରେ ଆଇପିସିର ଧାରା ୪୯୮-ଏ (ବୈବାହିକ ନିର୍ଯାତନା ଆଇନ) ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ଚାଲିପାରିବ । କେବଳ ଆଇନଗତ ବିବାହ ହୋଇ ନ ଥିବା ଦର୍ଶାଇ ଅଭିଯୁକ୍ତ ନିଜକୁ ସେଥିରୁ ଖସାଇ ପାରିବେ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ତେବେ ଗର୍ଭପାତ ଅଭିଯୋଗ ସପକ୍ଷରେ ଡାକ୍ତରୀ ଓ ଅନ୍ୟାନ୍ୟ ପ୍ରମାଣ ନ ଥିବାରୁ ଆବେଦନକାରୀଙ୍କୁ ଆଇପିସିର ଧାରା ୩୧୩ରୁ ଅଦାଲତ ଛାଡ଼ କରିଛନ୍ତି । ୧୦ ବର୍ଷ ପୁରୁଣା ଏକ ମାମଲାରେ ଅଭିଯୁକ୍ତ ହରିକୃଷ୍ଣ ମହାନ୍ତିଙ୍କ ପକ୍ଷରୁ ଆଗତ ପିଟିସନ୍‌ ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଧାକୃଷ୍ଣ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି ।  ୨୦୧୬ ମସିହା ମାର୍ଚ୍ଚ ୧୩ ତାରିଖରେ କୋରାପୁଟ ଟାଉନ୍‌ ଥାନାରେ ଜଣେ ବିଧବା ମହିଳା ଅଭିଯୁକ୍ତ ହରିକୃଷ୍ଣ ମହାନ୍ତିଙ୍କ ବିରୋଧରେ ଏତଲା ଦେଇଥିଲେ ।

ଅଭିଯୋଗ ଅନୁଯାୟୀ, ସଂପୃକ୍ତ ମହିଳାଙ୍କ ସହ ଅଭିଯୁକ୍ତ ହରେକୃଷ୍ଣ ଶାରୀରିକ ସମ୍ପର୍କ ରଖିବା ପରେ ୨୦୧୧ ଡିସେମ୍ବର ୧୨ ତାରିଖରେ ଏକ ମନ୍ଦିରରେ ବିବାହ କରିଥିଲା । ଉଭୟ ପ୍ରାୟ ୪ରୁ ୫ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ଚଳିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଏକାଧିକ ଥର ଗର୍ଭପାତ କରାଇ ଘରୁ ତଡ଼ି ଦେଇଥିବା ପୀଡ଼ିତା ଅଭିଯୋଗ କରିଥିଲେ । ଏହି ମାମଲାରେ କୋରାପୁଟ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ହରିକୃଷ୍ଣ ମହାନ୍ତିଙ୍କ ଦୋଷମୁକ୍ତ ଆବେଦନକୁ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିବାହର କୌଣସି କାଗଜପତ୍ର ନ ଥିବାରୁ ତାଙ୍କ ବିରୋଧରେ ଧାରା ୪୯୮-ଏ ଲାଗିପାରିବ ନାହିଁ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।  ହାଇକୋର୍ଟ ମାମଲାର ବିଚାର କରି ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟର ଦୃଷ୍ଟାନ୍ତ ଦେଇ କହିଛନ୍ତି ଯେ, ବିବାହର ପ୍ରତିଶ୍ରୁତି ଦେଇ କିମ୍ବା ନିଜକୁ ଦମ୍ପତି ଭାବେ ପରିଚୟ ଦେଇ ଦୀର୍ଘଦିନ ଧରି ଏକାଠି ରହୁଥିଲେ, ସେଭଳି “ଲିଭ୍‌-ଇନ୍‌’ ସମ୍ପର୍କ କ୍ଷେତ୍ରରେ ଧାରା ୪୯୮-ଏ ପ୍ରଯୁଜ୍ୟ ହେବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button