The younger generation: ସାମଗ୍ରୀ ଛାଡ଼ି ଅନୁଭୂତିମୁହାଁ ଯୁବପିଢ଼ି
ଆଗରୁ ନୂଆ କରି ଚାକିରି କଲେ ଭାରତୀୟ ଯୁବକଯୁବତୀ ଘରକୁ ଫ୍ରିଜ୍, ସ୍କୁଟର୍ କିମ୍ବା ସୁନା ଆଣିବାକୁ ପସନ୍ଦ କରୁଥିଲେ। ହେଲେ ଏବେକାର ଯୁବାବର୍ଗ ଏଭଳି ଭୌତିକ ସାମଗ୍ରୀ କିଣିବା ବଦଳରେ କୌଣସି ଦୁଃସାହସିକ ଟ୍ରେକିଂ, ମ୍ୟୁଜିକ୍ ଫେଷ୍ଟିଭାଲ୍ କିମ୍ବା ବିଦେଶ ଭ୍ରମଣରେ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଆଗରୁ ନୂଆ କରି ଚାକିରି କଲେ ଭାରତୀୟ ଯୁବକଯୁବତୀ ଘରକୁ ଫ୍ରିଜ୍, ସ୍କୁଟର୍ କିମ୍ବା ସୁନା ଆଣିବାକୁ ପସନ୍ଦ କରୁଥିଲେ। ହେଲେ ଏବେକାର ଯୁବାବର୍ଗ ଏଭଳି ଭୌତିକ ସାମଗ୍ରୀ କିଣିବା ବଦଳରେ କୌଣସି ଦୁଃସାହସିକ ଟ୍ରେକିଂ, ମ୍ୟୁଜିକ୍ ଫେଷ୍ଟିଭାଲ୍ କିମ୍ବା ବିଦେଶ ଭ୍ରମଣରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଏକ ସାମୟିକ ଟ୍ରେଣ୍ଡ୍ ନୁହେଁ, ଏଥିରେ ନିହିତ ଅଛି ଭାରତୀୟ ଯୁବପିଢ଼ିର ପରିବର୍ତ୍ତନଶୀଳ ମାନସିକତା।
ଆଜିକାଲି ସାମଗ୍ରୀର ମାଲିକାନା ଅପେକ୍ଷା ଅଭିନବ ତଥା ସ୍ମରଣୀୟ ଅଭିଜ୍ଞତା ଯୁବାବର୍ଗକୁ ବେଶି ଆକୃଷ୍ଟ କରୁଛି। କାର୍, ଘର ଓ ପୋଷାକ ପର୍ଯ୍ୟନ୍ତ ସବୁକିଛି ଭଡ଼ାରେ ମିଳିଯାଉଛି। ତେଣୁ କୌଣସି ଜିନିଷ କିଣି ସେଥିପାଇଁ ଋଣ କିମ୍ବା ତା’ର ରକ୍ଷଣାବେକ୍ଷଣ ଚିନ୍ତା ମୁଣ୍ଡାଇବାକୁ ସେମାନେ ଚାହୁନାହାନ୍ତି। ବରଂ ସମୟକୁ ହିଁ ପ୍ରକୃତ ଧନ ଭାବେ ବିବେଚନା କରି ବର୍ତ୍ତମାନର ମୁହୂର୍ତ୍ତକୁ ଉପଭୋଗ କରିବା ଲାଗି ସେମାନେ ଚେଷ୍ଟା କରୁଛନ୍ତି। ଅନେକ ଯୁବ ପେସାଦାର ଏବେ ପ୍ରାୟ ପ୍ରତି ଦୁଇ ବର୍ଷରେ ଚାକିରି ଓ ସ୍ଥାନ ପରିବର୍ତ୍ତନ କରିବା ସହ ଭଡ଼ା ଫ୍ଲାଟ୍ରେ ବା ସେୟାର୍ ପିଜିରେ ରହୁଛନ୍ତି। ତେଣୁ ସେମାନେ ଭାରୀ ସୋଫା କିମ୍ବା ବଡ଼ ଟେଲିଭିଜନ୍ ଭଳି ସାମଗ୍ରୀ ଚାହାନ୍ତିନି।
ଏଭଳି ଆଭିମୁଖ୍ୟର ଅନ୍ୟତମ କାରଣ ହେଉଛି ବର୍ତ୍ତମାନର ଭାରତୀୟ ଯୁବବର୍ଗ ଛୋଟବେଳୁ ଏଭଳି ପରିବାରରେ ବଢ଼ିଛନ୍ତି, ଯେଉଁଠି ବାପାମାଆ ନିଜ ସଉକଗୁଡ଼ିକୁ ବିଭିନ୍ନ ଆଳରେ ଘୁଞ୍ଚାଇ ଚାଲନ୍ତି। ସେଗୁଡ଼ିକ ପୂରା ହେବାର ଦିନ ଆସେନାହିଁ। ଏହାକୁ ନିକଟରୁ ଦେଖି ବଡ଼ ହୋଇଥିବା ଆଜିର ଯୁବପିଢ଼ି ଛୋଟ ଛୋଟ ଅଂଶରେ ଜୀବନକୁ ଉପଭୋଗ କରିବାକୁ ଚାହିଁବା ସହ ସଞ୍ଚୟ ଉପରେ ବି ଦୃଷ୍ଟି ରଖୁଛନ୍ତି।
ସୌଜନ୍ୟ ସମ୍ବାଦ




