‘Akvan’ has no eyes: ‘ଅକ୍ଭାନ୍’ର ଆଖି ନାହିଁ: ପବନ କମ୍, ବର୍ଷା ଅଧିକ
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ଭାନ୍’ ବାରମ୍ବାର ଗତିପଥ ବଦଳାଉଛି। ଉତ୍ତରମୁହାଁ ହେଉଥିବା ‘ଅକ୍ଭାନ୍’ ମଧ୍ୟରାତି ସୁଦ୍ଧା ଗୋପାଳପୁରଠାରୁ ୩୦୦ କିମି, ପୁରୀଠାରୁ ୩୬୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ଭାନ୍’ ବାରମ୍ବାର ଗତିପଥ ବଦଳାଉଛି। ଉତ୍ତରମୁହାଁ ହେଉଥିବା ‘ଅକ୍ଭାନ୍’ ମଧ୍ୟରାତି ସୁଦ୍ଧା ଗୋପାଳପୁରଠାରୁ ୩୦୦ କିମି, ପୁରୀଠାରୁ ୩୬୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଗୋପାଳପୁରର ପୂର୍ବ ଦିଗରେ ଅତିକ୍ରମ କରିପାରେ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ଏବଂ ଝଟକା ପବନର ବେଗ ୯୦ କିମି ଛୁଇଁପାରେ। ମଧ୍ୟାହ୍ନ ୧୨ଟାରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଭୋରରୁ ବାତ୍ୟାର ବାହ୍ୟ ବଳୟ ଉପକୂଳରେ ପ୍ରବେଶ କରିବ। ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‘ଅକ୍ଭାନ୍’ ଭୀଷଣ ରୂପ ଧାରଣ କରିଥିଲେ ହେଁ ତାହାର ଆଖି ସୃଷ୍ଟି ହୋଇ ନାହିଁ। ଅଧିକ ତୀବ୍ରତା ନ ଥିଲେ ମଧ୍ୟ ଏହାର କେନ୍ଦ୍ରସ୍ଥଳଠାରୁ ୭୫ କିମି ଦୂର ପର୍ଯ୍ୟନ୍ତ ମେଘ ବିସ୍ତାରିତ ହୋଇଛି। ଫଳରେ ରାତି ସୁଦ୍ଧା ଉପକୂଳଠାରୁ ପ୍ରାୟ ୩୫୦ ଦୂରରେ ରହିବା ସତ୍ତ୍ବେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ସହ ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି। ସକାଳ ବେଳକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ୍, ବିଜୟନଗରମ୍, ପଲାସା, ସୋମପେଟା ପ୍ରଭୃତି ସ୍ଥାନରେ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୧୦୦ କିମି ଛୁଇଁପାରେ। ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ସାମାନ୍ୟ କମ୍ ରହିବ। ସ୍ଥଳଭାଗ ଛୁଇଁବା ପରେ ପ୍ରଭାବ ହ୍ରାସ ପାଇ ଏହା ବାତ୍ୟାରେ ପରିଣତ ହୋଇଯିବ ଏବଂ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୧୦୦ କିମି ମଧ୍ୟରେ ରହିବ। ଧୀରେ ଧୀରେ ଓଡ଼ିଶା ଭିତରକୁ ପ୍ରବେଶ କରିବା ପରେ ରାତି ସାଢ଼େ ୧୧ଟା ବେଳକୁ ଗଭୀର ଅବପାତ ଓ ୨୧ ତାରିଖ ସକାଳ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଯିବ। ତେବେ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ। ଅଧିକାଂଶ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ସୃଷ୍ଟି ହୋଇପାରେ। ଉତ୍ତର ଓଡ଼ିଶା ଉପରେ ବାତ୍ୟାର ଏକ ବର୍ଷାବଳୟ ପ୍ରବେଶ କରିବାକୁ ଥିବାରୁ ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପକୂଳ ଛୁଇଁବା ପରେ ଓଡ଼ିଶା ଉପର ଦେଇ ଆଗକୁ ବଢ଼ିବ। ତେଣୁ ୨୦ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ମଧ୍ୟାହ୍ନରେ ଗୋପାଳପୁର ନିକଟରେ ମାଡ଼
ମଧ୍ୟରାତିରୁ ସମୁଦ୍ର ଅଶାନ୍ତ, ବର୍ଷାପବନ ଜାରି
ପୁରୀ, ଗୋପାଳପୁରରେ ୧୦ ନମ୍ବର ବିପଦ ସଙ୍କେତ
ବଢ଼ିବ ଦକ୍ଷିଣ ଓ ଉତ୍ତର ଓଡ଼ିଶା ନଦୀର ଜଳସ୍ତର
ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଓଡ଼ିଶା ଉପରେ ତାହାର ପ୍ରଭାବ ପଡ଼ିବ। ସ୍ଥଳଭାଗରେ ପ୍ରବେଶ ପରେ ପବନର ବେଗ କମିବ ସତ, କିନ୍ତୁ ବର୍ଷା ଦ୍ବାରା ସାରା ଓଡ଼ିଶା ପ୍ରଭାବିତ ହେବ। ୨୦ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର, ପୁରୀ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଏବଂ ବାଲେଶ୍ବର, ମୟୂରଭଞ୍ଚ, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋରଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୟୂରଭଞ୍ଜ ଓ ବାଲେଶ୍ବରରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବା ବେଳେ କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କଟକ, ଖୋରଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




