Cyclone: ବଡ଼ ବର୍ଷା ହେଲେ ବୁଡ଼ାଇବ: ନାଳରେ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା, କାଢ଼ି କାଢ଼ି ନାକେଦମ ବିଏମ୍ସି
ନାଳ ସାରା କୁଢ଼ କୁଢ଼ ଆବର୍ଜନା। କେଉଁଠି ପ୍ଲାଷ୍ଟିକ ବୋତଲର ଆବର୍ଜନାର ପାହାଡ଼ ତ କେଉଁଠି ପ୍ଲାଷ୍ଟିକ୍ ପଲିଥିନ୍। ପୁଣି କେଉଁଠି ନାଳ, ସାଇଫନ୍ ବାଲି, ପଙ୍କରେ ପୋତି ହୋଇଯାଇଛି। ରାଜଧାନୀବାସୀ, ବିଶେଷ କରି ଘରୋଇ ଓ ଦୋକାନର ଆବର୍ଜନା...

ଭୁବନେଶ୍ୱର: ନାଳ ସାରା କୁଢ଼ କୁଢ଼ ଆବର୍ଜନା। କେଉଁଠି ପ୍ଲାଷ୍ଟିକ ବୋତଲର ଆବର୍ଜନାର ପାହାଡ଼ ତ କେଉଁଠି ପ୍ଲାଷ୍ଟିକ୍ ପଲିଥିନ୍। ପୁଣି କେଉଁଠି ନାଳ, ସାଇଫନ୍ ବାଲି, ପଙ୍କରେ ପୋତି ହୋଇଯାଇଛି। ରାଜଧାନୀବାସୀ, ବିଶେଷ କରି ଘରୋଇ ଓ ଦୋକାନର ଆବର୍ଜନା ପ୍ରମୁଖ ନାଳକୁ ଏଭଳି ରୁନ୍ଧି ଦେଇଛି ଯେ ବଡ଼ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହେବା ଆଶଙ୍କା ଦେଖାଗଲାଣି। ବାତ୍ୟା ‘ଆକ୍ଭାନ୍’ ଏହି ଭୟକୁ ଆହୁରି ବଢ଼ାଇଦେଇଛି। ମୁଖ୍ୟ ନାଳ କଥା ହେଉ କି ଛୋଟ ନାଳ, ସବୁଠି ସ୍ଥିତି ସମାନ। ସେପଟେ ଯେଉଁ ଠିକାସଂସ୍ଥାମାନେ ଯେଉଁ ୱାର୍ଡର ରାସ୍ତା ସଫେଇ ଦାୟିତ୍ବ ମୁଣ୍ଡାଇଛନ୍ତି, ସେମାନଙ୍କ ଦାୟିତ୍ବ ହେଉଛି ରାସ୍ତା ସଫା ସହ ନାଳରୁ ପଙ୍କ, ବାଲି, ଆବର୍ଜନା କାଢ଼ିବା। ରାସ୍ତା ଓ ନାଳକୁ ଅବରୋଧ କରୁଥିବା ଘାସ, ଗଛପତ୍ର ସବୁକୁ କାଟିବା। କିନ୍ତୁ ଏହି ଠିକାସଂସ୍ଥାମାନେ ଯେ କାମରେ ଠକିଛନ୍ତି, ବାତ୍ୟା ‘ଆକ୍ଭାନ୍’ର ପ୍ରଥମ ବର୍ଷା ଏହାକୁ ଧରା ପକାଇ ଦେଇଛି। ଏହି ବର୍ଷାରେ ନାଳ ସବୁ ଜାମ୍ ହୋଇଛି ଓ ବର୍ଷା ଜଳ ନିଷ୍କାସନରେ ଅସୁବିଧା ହୋଇଛି। ଆଜିଠୁ ଜଳବନ୍ଦି ସମସ୍ୟା ବି ସୃଷ୍ଟି ହେଲାଣି। ସେପଟେ ବାତ୍ୟା ବେଳେ ଭୁବନେଶ୍ବର ମହାନଗର ନିଗମର ନିଦ ଭାଙ୍ଗିଛି। ଜଳବନ୍ଦି ସମସ୍ୟା ଦୂର ପାଇଁ ଆଜି ନାଳ ସଫା ବେଳେ ଏହି କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା ସାଙ୍ଗକୁ ବାଲି, ପଙ୍କ ନାକେଦମ କରିଛି।
ଭୁବନେଶ୍ବରର ୩୨ଜଣ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
ଭୁବନେଶ୍ୱର: ବାତ୍ୟା ‘ଆକ୍ଭାନ୍’ର ପ୍ରଭାବରେ ଆଜିଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଏଣୁ ଆଜିଠୁ ତଳିଆ ଅଞ୍ଚଳରେ ଜଳବନ୍ଦି ଭଳି ସମସ୍ୟା ଦେଖାଦେଇଛି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର କମିସନରେଟ୍ ପୁଲିସ ଓ ଗ୍ରାମାଞ୍ଚଳର ସ୍ଥାନୀୟ ବ୍ଲକ ପ୍ରଶାସନ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣିଛନ୍ତି। ଭୁବନେଶ୍ବରର ୩୨ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଜି ଭୁବନେଶ୍ବର-କଟକ ସିପି ଡ. ଦେବଦତ୍ତ ସିଂ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବାତ୍ୟା ‘ଅକ୍ଭାନ୍’ର ପ୍ରଭାବ ଆଜିଠାରୁ ଭୁବନେଶ୍ବରରେ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଆଜି ସାରାଦିନ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗରେ ଥରିଛି ରାଜଧାନୀ। ଭୁବନେଶ୍ବରର ତାପମାତ୍ରା ବି ବହୁ ତଳକୁ ଖସି ଆସିଛି। ଆଜିର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ସେଲ୍ସିୟସ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ଆଜିର ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ସଦାସର୍ବଦା ଗହଳଚହଳ ରାଜଧାନୀରେ ଆଜି ସେତେଟା ଭିଡ଼ ଦେଖିବାକୁ ମିଳିନି। ଅପରପକ୍ଷେ ବାତ୍ୟା ଶୁକ୍ରବାର ସ୍ଥଳଭାଗ ଛୁଉଁଥିବାରୁ ବର୍ଷା ବଢ଼ିବା ସହ ସପ୍ତାହେ ଧରି ଥଣ୍ଡା ଲହର ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଥଣ୍ଡା ସହ ଘନ କୁହୁଡ଼ିର ବି ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।
ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଆଖି ଆଗରେ ରଖି ରାଜଧାନୀର ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ୯୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ରାପିଡ୍ ଆକ୍ସନ୍ ଟିମ୍ ବି ବିଭିନ୍ନ ସ୍ଥାନରେ ନାଳ ଜାମ ସମସ୍ୟାର ସମାଧାନ କରିଛି। ଅନେକ ସ୍ଥାନରୁ ପଙ୍କ, ଆବର୍ଜନା ଖାଲି କରିଛି। ଆଜି ବର୍ଷା ସାଙ୍ଗକୁ ମଝିରେ ମଝିରେ ପବନର ଝଟ୍କା ବି ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ କେତେକ ସ୍ଥାନରେ ଗଛ ସବୁ ଭାଙ୍ଗି ପଡ଼ିଥିଲା। ଭୁବନେଶ୍ବର ମହାନଗର ନିଗମର ପରିବେଶ ବିଭାଗ ଓ ଅଗ୍ନିଶମ ବିଭାଗ ଏହି ଗଛ ସବୁକୁ କାଟି ବାହାର କରିଛି। ସବୁ ୱାର୍ଡରେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ନାଳରେ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା
କାଢ଼ି କାଢ଼ି ନାକେଦମ ବିଏମ୍ସି
ସାରାଦିନ ଝିପିଝିପି ବର୍ଷା, କୋହଲା ପାଗ
ସହରର ଜଳବନ୍ଦି ସମସ୍ୟା ନେଇ ନିର୍ବାହୀ ଯନ୍ତ୍ରୀ (ଡ୍ରେନେଜ) ଇଂ. ପ୍ରିୟବ୍ରତ ବେହେରା କହିଛନ୍ତି, ଜଳବନ୍ଦି ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନ ବିଏମ୍ସିର ୧୮ଟି ଓ ଅଗ୍ନିଶମ ବିଭାଗର ୮ଟି ପମ୍ପ ବିଭିନ୍ନ ସ୍ଥାନରେ ଲଗାଯାଇଛି। ଡ୍ରେନ୍ ସଫା ପାଇଁ ଅଧିକ ଲୋକ ସହ ଆବଶ୍ୟକଜେସିବି, ଗାଡ଼ି ସହ ୮ଟି ରାପିଡ୍ ଆକ୍ସନ ଟିମ୍ ନିୟୋଜିତ ହୋଇଛନ୍ତି। ୮ଟି ସ୍ଥାନରେ ଖୋଲା ଡ୍ରେନ୍କୁ ବ୍ୟାରିକେଡିଂ କରାଯାଇଛି। ସବୁ ମୁଖ୍ୟ ନାଳର କଲଭର୍ଟ, କ୍ରସିଂ, ସାଇଫନ୍, ନଳାକୁ ସଫା କରାଯାଇଛି। ପୂର୍ତ୍ତ ବିଭାଗ ନାଳର ନିଷ୍କାସନ ପଥ ଅବରୋଧକୁ ବି ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜରିଆରେ ବିଏମ୍ସି ସଫା କରିଛି। ଅପରପକ୍ଷେ ନିରନ୍ତର ବିଦ୍ୟୁତ୍ ଯୋଗାଣ, ପବନ ଯୋଗୁଁ କିମ୍ବା ଗଛ ପଡ଼ି ବିଦ୍ୟୁତ୍ ବିଭ୍ରାଟ ହେଲେ, ତୁରନ୍ତ ମରାମତି ପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ କାଟି ବାହାର କରିବାକୁ ୬ଟି ଦଳ ନିୟୋଜିତ ହୋଇଛନ୍ତି। ଏବେ ଏହି ଦଳ ଵାର୍ଡ ୨୮, ୪୬, ୬, ୩୨, ୧୭ ଓ ୨୩ ୱାର୍ଡରେ ରାସ୍ତା ସଫାରେ ନିୟୋଜିତ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




