ପାଣିପାଗ

Cyclone: ବଙ୍ଗୋପସାଗରରେ ୪ ସପ୍ତାହରେ ୩ ବାତ୍ୟା! କାହିଁକି ବାରମ୍ବାର ମାଡ଼ି ଆସୁଛି ସାମୁଦ୍ରିକ ଝଡ଼?

ବଙ୍ଗୋପସାଗର ସୃଷ୍ଟ ବାତ୍ୟା ‘ଅକଭାନ୍‌’ ଶୁକ୍ରବାର ସକାଳେ ଉତ୍ତର ଆନ୍ଧ୍ର ପ୍ର‌ଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଗଞ୍ଜାମର ଗୋପାଳପୁରଠାରେ ସ୍ଥଳଭାଗକୁ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହାକୁ ଏକ ସାମୁଦ୍ରିକ ଝଡ଼କୁ ହ୍ରାସ କରିଛି।

ନୂଆଦିଲ୍ଲୀ: ବଙ୍ଗୋପସାଗର ସୃଷ୍ଟ ବାତ୍ୟା ‘ଅକଭାନ୍‌’ ଶୁକ୍ରବାର ସକାଳେ ଉତ୍ତର ଆନ୍ଧ୍ର ପ୍ର‌ଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଗଞ୍ଜାମର ଗୋପାଳପୁରଠାରେ ସ୍ଥଳଭାଗକୁ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହାକୁ ଏକ ସାମୁଦ୍ରିକ ଝଡ଼କୁ ହ୍ରାସ କରିଛି। ପବନର ବେଗ ଏହି ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ଓ ଝଟ୍‌କା ପବନ ଘଣ୍ଟା ପ୍ରତି ୯୦ କିମି ରହିଛି।

ତେବେ ଅକ୍ଟୋବର ଶେଷ ସପ୍ତାହରୁ ଏପର୍ଯ୍ୟନ୍ତ ମାତ୍ର ଚାରି ସପ୍ତାହ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳକୁ ତିନୋଟି ବାତ୍ୟା ମାଡ଼ ହୋଇଛି। ତେବେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ୍ଟି ହେବା ଏବେ ଚିନ୍ତାର କାରଣ ପାଲଟିଛି। କାହିଁକି ଏହି ସମୟରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ବଢ଼ିଯାଏ? ଏହା ପଛରେ ରହିଛି ମୌସୁମୀ ପବନ, ସମୁଦ୍ରର ତାପମାତ୍ରା ଓ ବାୟୁମଣ୍ଡଳର ପରିବର୍ତ୍ତନ।

ଗୋଟିଏ ପରେ ଗୋଟିଏ ବାତ୍ୟା
ରିପୋର୍ଟ ଅନୁସାରେ, ଅକ୍ଟୋବର ୨୮ରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶର ୟାନମ୍ ନିକଟରେ ସ୍ଥଳଭାଗ ଛୁଇଁଥିଲା। ନଭେମ୍ବର ୩ରେ ବାତ୍ୟା ‘ମୁରାସୁ’ ଓ ନଭେମ୍ବର ୨୦ରେ ବାତ୍ୟା ‘ଅକଭାନ୍’ ମଧ୍ୟ ଉପକୂଳ ଅଞ୍ଚଳରେ ପ୍ରଭାବ ପକାଇଛି। ନଭେମ୍ବର ମାସ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ପାଇଁ ସବୁଠାରୁ ଅନୁକୂଳ ସମୟ।

ମୌସୁମୀ ଫେରିବା ପରେ କମିଯାଏ ପ୍ରତିବନ୍ଧକ
ବାତ୍ୟା ସୃଷ୍ଟି ହେବା ପାଇଁ ସମୁଦ୍ର ଜଳର ତାପମାତ୍ରା ଅତି କମ୍‌ରେ ୨୬.୫ ଡିଗ୍ରୀ ସେଲସିୟସ୍ ରହିବା ଆବଶ୍ୟକ। ଏହା ସହିତ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା, ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ଅନୁକୂଳ ପବନ ଓ କମ୍ ବାୟୁ ଚାପ ଦରକାର। ତେବେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଯୋଗୁଁ ବାୟୁମଣ୍ଡଳରେ ପବନର ଦିଗ ଓ ବେଗରେ ବଡ଼ ପରିବର୍ତ୍ତନ ହୁଏ। ଏହା ବାତ୍ୟାକୁ ଶକ୍ତିଶାଳୀ ହେବାରୁ ରୋକିଥାଏ। ମୌସୁମୀ ଫେରିବା ପରେ ଏହି ପ୍ରତିବନ୍ଧକ କମିଯାଏ। ଫଳରେ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅନୁକୂଳ ହୁଏ।

ଏପ୍ରିଲ୍-ମେ’ ଓ ଅକ୍ଟୋବର-ନଭେମ୍ବର ହେଉଛି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଦୁଇଟି ମୁଖ୍ୟ ସମୟ। ଏହା ମଧ୍ୟରେ ନଭେମ୍ବରରେ ବାତ୍ୟା ସମ୍ଭାବନା ଅଧିକ ରହିଥାଏ। ଏହା ସହିତ ‘ମ୍ୟାଡେନ୍-ଜୁଲିଆନ୍ ଓସିଲେସନ୍’ ନାମକ ଏକ ପ୍ରାକୃତିକ ପାଣିପାଗ ପ୍ରକ୍ରିୟା ମଧ୍ୟ ବାତ୍ୟା ସୃଷ୍ଟିକୁ ପ୍ରଭାବିତ କରେ। ଏହା ଫଳରେ କିଛି ସପ୍ତାହ ବ୍ୟବଧାନରେ ଏକାଧିକ ବାତ୍ୟା ସୃଷ୍ଟି ହୋଇପାରେ। ସାଧାରଣତଃ ଅକ୍ଟୋବରରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ, ନଭେମ୍ବରରେ ଆନ୍ଧ୍ରପ୍ରଦେଶ ଓ ଡିସେମ୍ବରରେ ତାମିଲନାଡୁ ଉପକୂଳରେ ବାତ୍ୟା ପ୍ରଭାବ ଅଧିକ ଦେଖିବାକୁ ମିଳେ। ତେଣୁ ମୌସୁମୀର ଆଗମନ ଓ ପ୍ରତ୍ୟାବର୍ତ୍ତନ ସହ ସମୁଦ୍ରର ପରିସ୍ଥିତି ହିଁ ବାତ୍ୟା ଋତୁର ମୁଖ୍ୟ କାରଣ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button