Panchuka 2026: ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ,୨୩/୧୧: ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଡାଳି ଚୂଳ ଶୋଭା ପାଇବ । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯିବ । ମଝିରେ ସୁବର୍ଣ୍ଣ କିଆ ସବୁ ଲାଗିବ । ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଉଥିବ । ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଏ ।
ଶ୍ରୀଅଙ୍ଗରେ ସୁବର୍ଣ୍ଣ କିିଆ ଡାଳି ଭଳି ଖଞ୍ଜା ଯାଉଥିବାରେ ବେଶର ଏଭଳି ନାମକରଣ । ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ପ୍ରଥମେ ଶ୍ରୀନୃସିଂହଙ୍କ ରୂପରେ ପ୍ରତୀୟମାନ ହୋଇଥିଲେ । ବସ୍ତୁତଃ ଶ୍ରୀଜଗନ୍ନାଥ ହିଁ ହେଉଛନ୍ତି ନୃସିଂହ ମହାପ୍ରଭୁ । ଶ୍ରୀନୃସିଂହଙ୍କ ମନ୍ତ୍ରରେ ଦାରୁଦେବତାଙ୍କ ନବକଳେବର ବିଧି ହୋଇଥାଏ । ସେହି ବୃତ୍ତାନ୍ତକୁ ମନେ ପକାଇବାକୁ ଯାଇ ଲକ୍ଷ୍ମୀ ନୃସିଂହଙ୍କ ବେଶ କରାଯାଉଥିବା ଅନେକ ମତ ଦିଅନ୍ତି । ଠାକୁରଙ୍କୁ ଏହି ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ବୈକୁଣ୍ଠପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ ।
ସୌଜନ୍ୟ ପ୍ରମେୟ




