ରାଜ୍ୟ

Rice: ଗରିବଙ୍କ ଚାଉଳରେ ଭାଗ ବସାଇଛନ୍ତି ଅଯୋଗ୍ୟ ହିତାଧିକାରୀ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବା ଏନ୍‌ଏଫଏସ୍‌ଏ ଅଧୀନରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଯୋଗ୍ୟତା ପୂରଣ କରୁ ନ ଥିବା ଅନେକ ପରିବାର ଏଥିରେ

ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବା ଏନ୍‌ଏଫଏସ୍‌ଏ ଅଧୀନରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଯୋଗ୍ୟତା ପୂରଣ କରୁ ନ ଥିବା ଅନେକ ପରିବାର ଏଥିରେ ନିଜକୁ ସାମିଲ୍‌ କରି ଗରିବଙ୍କ ଚାଉଳରେ ଭାଗ ବସାଇଛନ୍ତି। ଜାତୀୟ ସ୍ତରରେ ଏହାର ହାର ୧୩.୨% ଥିବା ବେଳେ ଓଡ଼ିଶାରେ ଏହା ୨୩% ରହିଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ଅନ୍ନ ଯୋଜନାର ମୂଲ୍ୟାଙ୍କନ ରିପୋର୍ଟରେ ରାସନ ହିତାଧିକାରୀ ଯାଞ୍ଚ ଓ ବଣ୍ଟନ ବ୍ୟବସ୍ଥାକୁ ନେଇ ହୋଇଥିବା ଗୁରୁତର ତ୍ରୁଟିକୁ ସାମ୍ନାକୁ ଆଣିଛି।

କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପ୍ରକୃତ ଗରିବ ତଥା ଅସହାୟ ପରିବାର ନିକଟରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ତାହା ଜାଣିବା ପାଇଁ ଏହି ବିସ୍ତୃତ ଅଧ୍ୟୟନ କରାଯାଇଥିଲା। କେନ୍ଦ୍ର ସରକାର ଦେଶରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ସ୍ଥିର କରିଥା’ନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜସ୍ୱ ମାନଦଣ୍ଡ ଆଧାରରେ ଯୋଗ୍ୟ ପରିବାର ଚୟନ କରିଥା’ନ୍ତି। ଏହି ଚୟନ ପ୍ରକ୍ରିୟାରେ ପରିବାରର ବାର୍ଷିକ ଆୟ ସୀମା, ସ୍ଥାବର-ଅସ୍ଥାବର ସମ୍ପତ୍ତି, ଜମିଜମା, ସରକାରୀ କିମ୍ବା ବେସରକାରୀ ଚାକିରି ଓ ଆୟକର ପ୍ରଦାନ ସ୍ଥିତି ଆଦି ବିଭିନ୍ନ ବାଦ୍ ଦେବା ନିୟମକୁ ବିଚାରକୁ ନିଆଯାଏ।

ମୁଖା ଖୋଲିଲା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା
ଜାତୀୟ ସ୍ତରରେ ତ୍ରୁଟି ହାର ୧୩.୨%, ଓଡ଼ିଶାରେ ୨୩%

ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହିତାଧିକାରୀ ତାଲିକାରେ ଅନେକ ଅଯୋଗ୍ୟ ପରିବାର ସାମିଲ ହୋଇ ରହିଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି। ବିଭିନ୍ନ ରାଜ୍ୟର ଚୟନ ପ୍ରକ୍ରିୟାର ଢାଞ୍ଚା, ପରିସର ଓ ନିୟମିତ ତାଲିକା ସଂଶୋଧନରେ ଥିବା ପାର୍ଥକ୍ୟ ଯୋଗୁଁ ଏହି ତ୍ରୁଟି ନଜରକୁ ଆସିଥିବା ରିପୋର୍ଟରେ ଦର୍ଶାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହି ଅନ୍ତର୍ଭୁକ୍ତି ତ୍ରୁଟିର ହାର ଭିନ୍ନ ଭିନ୍ନ ରହିଛି। ରିପୋର୍ଟ ଅନୁସାରେ, ଦେଶର ଗ୍ରାମାଞ୍ଚଳରେ ଅଯୋଗ୍ୟ ହିତାଧିକାରୀଙ୍କ ହାର ୧୨.୫% ଓ ସହରାଞ୍ଚଳରେ ଏହା ୧୫.୬% ରହିଛି। ଅନ୍ୟପକ୍ଷରେ ହିତାଧିକାରୀ ବର୍ଗ ଅନୁଯାୟୀ ବିଶ୍ଳେଷଣ କଲେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ବା ଏଏୱାଇ ପରିବାର କ୍ଷେତ୍ରରେ ଏହି ତ୍ରୁଟି ୧୨.୨% ରହିଛି। କିନ୍ତୁ ପ୍ରାଥମିକତା ପରିବାର ବା ପିଏଚ୍‌ଏଚ୍‌ ବର୍ଗରେ ଏହା ୧୩.୪% ରେକର୍ଡ କରାଯାଇଛି। ସରକାରୀ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଛି।

ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୨୨.୯ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସର୍ବାଧିକ ତ୍ରୁଟି ଥିବା ରାଜ୍ୟ ତାଲିକାରେ ପଶ୍ଚିମବଙ୍ଗ ଆଗ‌ରେ ରହିଛି। ଏଠାରେ ୩୯.୫% ତ୍ରୁଟି ଥିବା ବେଳେ ତ୍ରିପୁରାରେ ୩୯.୨%, ତାମିଲନାଡୁରେ ୩୮.୭% ଓ ମେଘାଳୟରେ ୨୮.୫% ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ପ୍ରାଥମିକତା ଭିତ୍ତିରେ ବ୍ୟବସ୍ଥା ସୁଧାରିବା ପାଇଁ ଏହି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।  ଦିଆଯାଇଛି। ସେହିପରି ବ୍ୟବସ୍ଥାଗତ ତ୍ରୁଟି  ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ୨୫.୫%, ଓଡ଼ିଶା ୨୨.୯%, ସିକ୍କିମ ୨୧.୯%, ପଞ୍ଜାବ ୨୦.୬% ଓ ମହାରାଷ୍ଟ୍ର ୨୦.୩% ରହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା, ଆଧାର ସଂଯୋଗୀକରଣ ଓ ନିୟମିତ ବ୍ୟବଧାନରେ ହିତାଧିକାରୀ ଡାଟାବେସ୍‌ର ସମୀକ୍ଷା କରିବାକୁ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଉଲ୍ଲେଖ ଯେ ରାଜ୍ୟରେ ରାସନ କାର୍ଡ ହାତେଇଥିବା ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଇ-କେୱାଇସି ବ୍ୟବସ୍ଥା ଆପଣାଇଥିଲେ। ପରବର୍ତ୍ତୀ ସମୟରେ ଟିକସଦାତା, ସରକାରୀ ଚାକିରି କରି ରାସନ କାର୍ଡ ହାତେଇଥିବା ହିତାଧିକାରୀଙ୍କୁ ନିଜ ଆଡ଼ ଏହାକୁ ଫେରାଇଦେବା ଲାଗି ରାଜ୍ୟ ସରକାର ଚେତାବନୀ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button