ଜାତୀୟ

Chinese satellite: ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା ଚୀନ୍ ଉପଗ୍ରହ, ୪ ଦିନରେ କକ୍ଷପଥ ବଦଳାଇଥିଲା ୩ ସାଟେଲାଇଟ୍

ନୂଆଦିଲ୍ଲୀ, ୨୬/୧୧: ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ବିଭିନ୍ନ ଦିଗରୁ ଚୀନ୍ ସହାୟତା କରିଥିଲା । ଏପରିକି ଚୀନ୍‌ର ୩ ସାଟେଲାଇଟ ଭାରତର ପଶ୍ଚିମ ଉପକୂଳରେ ଲଗାତର ନଜର ରଖିଥିଲା ବୋଲି ଭାରତୀୟ ମହାକାଶ ନିରୀକ୍ଷଣ ଏବଂ ଗୁଇନ୍ଦା କମ୍ପାନୀ ଦିଗନ୍ତରାର ଏକ ରିପୋର୍ଟରୁ ଜଣାପଡ଼ିଛି । ଭାରତ ମହାସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ନୌସେନା ଏବଂ ବାୟୁସେନା ଘାଟି ଉପରେ ଏହି ୩ ଉପଗ୍ରହ ନିଙ୍ଗଜିଆ-୧୪, ଗାଓଫେନ୍-୧୧ ଏବଂ ୟାଓଗାନ୍-୩୦ ନଜର ରଖିବା ସହ ରିଲାଏନ୍ସର ଜାମନଗର ରିଫାଇନାରୀ ସମେତ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଭିତ୍ତିଭୂମି ଏବଂ ବନ୍ଦର ବିଶେଷ କରି ଭୁଜ, ନଲିୟା ଓ ଜାମନଗର ଆଖପାଖ ଅଞ୍ଚଳ ଉପରେ ଲଗାତର ନଜର ରଖିଥିଲା ।

ପାକିସ୍ତାନ ସୀମା ନିକଟବର୍ତ୍ତୀ କଚ୍ଛ ଉପକୂଳ ଅଞ୍ଚଳରେ ‘ଭୂଜ ରୁଦ୍ର ମାତା ବାୟୁସେନା ଷ୍ଟେସନ ଏକ ପ୍ରମୁଖ ବାୟୁସେନା ଘାଟି ହୋଇଥିବାବେଳେ ପଶ୍ଚିମ କଚ୍ଛରେ ବାୟୁସେନା ଷ୍ଟେସନ (୪୯ତମ ୱିଙ୍ଗ୍) ଥିବାରୁ ନଲିୟା ବେଶ୍ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ପାକିସ୍ତାନ ସୀମା ଏବଂ ଆରବ ସାଗର ନିକଟବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ଘାଟି । ସ୍ଥଳଭାଗ ଏବଂ ଜଳଭାଗ ଉଭୟ ପଥର ନିକଟତର ହୋଇଥିବାରୁ ଏହା ଭାରତର ପଶ୍ଚିମ ସୀମାନ୍ତରେ ଦ୍ରୁତ ବାୟୁ ପ୍ରତିରକ୍ଷା, ନିରୀକ୍ଷଣ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ନେବାରେ ବେଶ୍ ସହାୟକ ହୋଇଥାଏ ।

ଅପରେସନ ସିନ୍ଦୂର ୨୦୨୫ ମେ’ ୭ରେ ଆରମ୍ଭ ହୋଇଥିଲା ଏବଂ ୪ ଦିନ ଚାଲିଥିଲା । ଏହି ୪ ଦିନରେ ଚୀନ୍ ସାଟେଲାଇଟ ନିଜ କକ୍ଷପଥ ବଦଳାଇଥିଲା ଏବଂ ଭାରତର ପଶ୍ଚିମ ଉପକୂଳ ଉପରେ ସକ୍ରିୟ ରହିଥିଲା । ଦିଗନ୍ତରାର ବିଶ୍ଳେଷଣ ରିପୋର୍ଟରୁ ଚୀନ୍ ସାଟେଲାଇଟଗୁଡ଼ିକର ଗତିବିଧି ବାବଦରେ ଜଣାପଡ଼ିଛି । ତେବେ ଚୀନ୍ ଏହି ସବୁ ତଥ୍ୟ ପାକିସ୍ତାନକୁ ଦେଇଥିଲା ବୋଲି କୁହାଯାଉଛି । ଗତବର୍ଷ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ ମଧ୍ୟ ଚୀନ୍ ସାଟେଲାଇଟଗୁଡ଼ିକ ପହଲଗାମ ଅଞ୍ଚଳ ଉପରେ ବାରମ୍ୱାର ଏବଂ ଅସ୍ୱାଭାବିକ ଗତିବିଧି କରିଥିବା ରିପାର୍ଟରେ ଉଲ୍ଲେଖ କରାଯାଇଛି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button