Parliament Session: ଡିସେମ୍ବର ୧୫ ପୂର୍ବରୁ ସଂସଦ ଅଧିବେଶନ ! ଆସିପାରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ,୨୬/୧୧: ଆସନ୍ତା ମାସ ୧୫ ତାରିଖ ପୂର୍ବରୁ ସଂସଦର ଅଧିବେଶନ ଆରମ୍ଭ ହୋଇପାରେ । ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟ ସହଯୋଗୀଙ୍କୁ ଡିସେମ୍ୱର ୧୫ ପୂର୍ବରୁ ସଂସଦୀୟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ କରିବାକୁ କହିଛନ୍ତି । ଏହା ପୂର୍ବରୁ ବିଦେଶ ଗସ୍ତରୁ ଦୂରେଇ ରହିବାକୁ ବି କହିଛନ୍ତି । କୁହାଯାଉଛି ଯେ ସରକାର ୧୫ ତାରିଖ ପୂର୍ବରୁ ଅଧିବେଶନ ଡାକିବାକୁ ବିଚାର କରୁଥିବାରୁ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ତାରିଖ ଓ ଅବଧି ଧାର୍ଯ୍ୟ କରିବାର ସମ୍ଭାବନା ରହିଛି ।
ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଏହି ଅଧିବେଶନର ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିବା ସମ୍ଭାବନା ରହିଛି । ଏହା ସହିତ ଲୋକସଭା ଏବଂ ବିଧାନସଭା ଆସନଗୁଡ଼ିକର ପ୍ରସ୍ତାବିତ ପୁନଃବଣ୍ଟନ ଉପରେ ସମ୍ଭାବ୍ୟ ବିତର୍କ ପାଇଁ ମଧ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ସୂତ୍ର ଅନୁସାରେ, ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ସଂସଦ ଅଧିବେଶନ ସମ୍ପର୍କରେ ଆଲୋଚନା ହୋଇଛି । ମୋଦି ମନ୍ତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ମନ୍ତ୍ରଣାଳୟକୁ ଅଧିବେଶନ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୀତକାଳୀନ ଅଧିବେଶନ ଡାକିବାରେ ବିଳମ୍ୱକୁ ନେଇ ବିରୋଧୀ ଦଳଗୁଡ଼ିକ ତରଫରୁ ଆପତ୍ତି ଉଠୁଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି । ଅଗଷ୍ଟ ୧୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ମୌସୁମୀ ଅଧିବେଶନର ଅଦ୍ୟାବଧି ଆନୁଷ୍ଠାନିକ ଭାବେ ପ୍ରୋରୋଗ୍ ହୋଇନାହିଁ । ଇତିମଧ୍ୟରେ ଉଭୟ ଗୃହ ମୁଲତବୀ ହେବାର ୧୦୩ ଦିନ ବିତିଗଲାଣି।
ଆଗାମୀ ଅଧିବେଶନରେ ସରକାର ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଆଗତ କରିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସ୍ତାବିତ ସମ୍ୱିଧାନ ସଂଶୋଧନ ବିଲ୍କୁ କଠିନ ସଂଖ୍ୟାଗରିଷ୍ଠତା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ । କାରଣ ଏଥିପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ ।
ସୌଜନ୍ୟ ପ୍ରମେୟ




