Gold Price Today: ୩,୨୨୦ଟଙ୍କା ଖସିଲା ସୁନା, ଲକ୍ଷେ ୧୫ ହଜାର ତଳେ ୨୨ କ୍ୟାରେଟ୍

ଭୁବନେଶ୍ୱର,୨୬\୧୧: ଦୁଇ ଦିନ ବଢ଼ିବା ପରେ ପୁଣି ଖସିଛି ସୁନା ଦର । ଲଗାତର ହ୍ରାସ ପରେ ନଭେମ୍ବର ୨୩ ଏବଂ ୨୪ ତାରିଖରେ ଧାତୁ ଉପରମୁହାଁ ହୋଇଥିଲା । ଦର ବଢ଼ିଚାଲିବ ବୋଲି ଅନୁମାନ କରାଯାଉଥିବାବେଳେ ଆଜି ବଡ଼ ଆକାରରେ ଖସିଛି । ବୁଧବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୯୫୦ ଟଙ୍କା ଏବଂ ୩,୨୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୪,୨୦୦ ଟଙ୍କା ଏବଂ ୧,୨୪,୫୮୦ ଟଙ୍କାକୁ ଖସିଆସିଛି । ଏଥିସହ ସୁନା ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଆସିଛି ।
ଗତବର୍ଷ ନଭେମ୍ବର ୨୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୨୩,୩୦୮ ଟଙ୍କାରେ ଥିଲା । ତେବେ ଚଳିତବର୍ଷର ସର୍ବୋଚ୍ଚ ସ୍ତରରୁ ୫୧୦୦୦ ଟଙ୍କା ଖସିଛି ଦର । ଆଜି ୧୦ ଗ୍ରାମ ପିଛା ୧୮ କ୍ୟାରେଟ ସୁନା ଦର ୯୩,୪୪୦ ଟଙ୍କାକୁ ଖସିଆସିଛି । ୧୦ ଗ୍ରାମ ପିଛା ଏହା ୨୪୧୦ ଟଙ୍କା ହ୍ରାସ ପାଇଛି । ସେହିଭଳି କିଲୋଗ୍ରାମ ପିଛା ରୁପା ଆଜି ୧୦୦୦୦ ଟଙ୍କା ଶସ୍ତା ହୋଇ ୧,୬୫,୦୦୦ ଟଙ୍କା ହୋଇଛି । ଚଳିତବର୍ଷ ଏହା ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବି ଯାଇଥିଲା । ବର୍ତ୍ତମାନ ଯେଉଁଭଳି ଭାବେ ଦର ଖସିଚାଲିଛି ଗ୍ରାହକଙ୍କ ମଧ୍ୟରେ ଭଲ ଉତ୍ସାହ ଦେଖିବାକୁ ମିଳିଛି । କମ୍ ଦରରେ ସୁନା ହାତେଇବା ପାଇଁ ସୋ’ରୁମ ମୁହାଁ ଲୋକେ । ଗହଣା ଦୋକାନରେ ଅପେକ୍ଷାକୃତ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ଆଗକୁ ବିବାହ ଋତୁ ଥିବାବେଳେ କମ୍ ଦରରେ ଆଡଭାନ୍ସ ବୁକିଂ କରୁଛନ୍ତି ଗ୍ରାହକ ।
ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍(ଆଇବିଜେଏ) ଅନୁସାରେ, ବୁଧବାର ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୩,୯୦୭ ଟଙ୍କା ଖସି ୧.୨୧ ଲକ୍ଷ ଟଙ୍କାକୁ ଆସିଯାଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୯,୬୮୦ ଟଙ୍କା ଖସି ୧.୪୩ ଲକ୍ଷ ଟଙ୍କା ହୋଇଛି । ଏ ବର୍ଷ ଉଭୟ ଧାତୁ ଦରରେ ଲଗାତର ଉତ୍ଥାନ ପତନ ଦେଖିବାକୁ ମିଳୁଛି । ସୁନା ଦର ବଢ଼ ିବାର କେତେକ ପ୍ରମୁଖ କାରଣ ରହିଛି । ଆମେରିକା ଡଲାର ମଜଭୁତ ହେବା ଦ୍ୱାରା ଅନ୍ୟ ଦେଶଗୁଡ଼ିକ ପାଇଁ ସୁନା କିଣିବା ମହଙ୍ଗା ପାଲଟିଛି । ଚାହିଦା କମିବା ଦ୍ୱାରା ଦର ଖସୁଛି । ସେହିଭଳି ଆମେରିକାରେ ସୁଧ ହାର ଅଧିକ ରହିବା ଫଳରେ ନିବେଶକ ସୁନା ବଦଳରେ ଆମେରିକୀୟ ବଣ୍ଡ୍ ଏବଂ ବ୍ୟାଙ୍କ ଜମାରେ ଟଙ୍କା ଲଗାଉଛନ୍ତି । ଏହା ମଧ୍ୟ ଦର ହ୍ରାସର ଅନ୍ୟ ଏକ କାରଣ । ପ୍ରଫିଟ ବୁକିଂ ମଧ୍ୟ ଦର ଖସାଉଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
ସୌଜନ୍ୟ ପ୍ରମେୟ




