ରାଜ୍ୟ

SI Prabhasini Sahu Case : ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁରେ ନୂଆ ମୋଡ଼, ବାପାଙ୍କ ଏତଲା ପରେ ଶ୍ୱଶୁରଙ୍କ ପାଲଟା ଅଭିଯୋଗ

ଗଞ୍ଜାମ, ୨୬।୧୧: ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛି ଦୁଇ ପକ୍ଷର ପାଲଟା ଅଭିଯୋଗ । ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ କରିଛନ୍ତି ବାପା । ଅନ୍ୟପଟେ ପ୍ରଭାସିନୀଙ୍କ ମୃତ୍ୟୁ ପଛରେ ଥାନାରେ ଏକ ପୋକ୍ସୋ ମାମଲାର ଚାପ ଥିବା ଅଭିଯୋଗ କରିଛନ୍ତି ତାଙ୍କ ଶ୍ୱଶୁର । ଝିଅର ମୃତ୍ୟୁକୁ ନେଇ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି ବାପା ଭୀମସେନ ସାହୁ । ଏତଲାରେ ସେ ପ୍ରଭାସିନୀଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ କରିଛନ୍ତି । ଶ୍ୱଶୁର ଘରେ ମାନସିକ ନିର୍ଯାତନା ସହି ନପାରି ପ୍ରଭାସିନୀ ଏଭଳି ଚରମ ପଦକ୍ଷେପ ନେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏପରିକି ମୃତ୍ୟୁ ସମୟରେ ସେ ଦୁଇ ମାସର ଗର୍ଭବତୀ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭୀମସେନ ସାହୁଙ୍କ ଅଭିଯୋଗ ଆଧାରରେ ପୁରୁଷୋତ୍ତମପୁର ଥାନାରେ କେସ୍ ନମ୍ବର ୮୫୪/୨୬ରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପ୍ରଭାସିନୀଙ୍କ ମୃତ୍ୟୁକୁ ନେଇ ତାଙ୍କ ଶ୍ୱଶୁର ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି । ଥାନାରେ ରୁଜୁ ହୋଇଥିବା ପୋକ୍ସୋ ମାମଲାର ଚାପ ଯୋଗୁଁ ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଶ୍ୱଶୁରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ ସୁଜିତ କୁମାର ନାୟକ । ଏହାକୁ ନେଇ ଘଟଣା ଅଧିକ ଜଟିଳ ହୋଇପଡ଼ିଛି । ପ୍ରଭାସିନୀଙ୍କ ମୃତ୍ୟୁ ପଛରେ ପାରିବାରିକ ନିର୍ଯାତନା ରହିଛି ନା କାର୍ଯ୍ୟକ୍ଷେତ୍ରର ଚାପ, ତାହା ଏବେ ତଦନ୍ତର ବିଷୟ । ପ୍ରକୃତରେ କେଉଁ ପରିସ୍ଥିତିରେ ପ୍ରଭାସିନୀଙ୍କ ମୃତ୍ୟୁ ହେଲା, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏବେ ସମସ୍ତଙ୍କ ନଜର ନିରପେକ୍ଷ ତଦନ୍ତ ଓ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବା ଉପରେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button