ସମୁଦ୍ର ଗର୍ଭରେ ଲୀନ ସାତଭାୟା, କିନ୍ତୁ ଲିଭିନି ଇତିହାସରୁ ନାଁ… ଏବେ ବି ତଅପୋଇଙ୍କ କାହାଣୀ ଖୁଦୁରୁକୁଣୀ ଓଷାରେ ଜୀବନ୍ତ

କେନ୍ଦ୍ରାପଡ଼ା/ରାଜନଗର(ଜୀବନ ସିଂହ ଓ ବସନ୍ତ ହାତି) ୨୬/୧୧: ଯେଉଁଠି ଦିନେ ଥିଲା ୭ଟି ଗାଁ । ଆଜି ସେଠାରେ ସମୁଦ୍ରର ଗର୍ଜନ । ଯେଉଁ ମାଟିରୁ ଦିନେ ସାଧବପୁଅମାନେ ବୋଇତ ନେଇ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ, ଆଜି ସେହି ମାଟିକୁ ଗିଳିଦେଇଛି ସମୁଦ୍ର । ହେଲେ ଇତିହାସ ପୃଷ୍ଠାରୁ ଲିଭିନି ସେ ଗାଁର ନାଁ । ସେ ଗାଁର ଇତିହାସରେ ଲୁଚିରହିଛି ଓଡ଼ିଆ ଜାତିର ନୌବାଣିଜ୍ୟର ଗୌରବମୟ ଇତିହାସ ଓ ପରମ୍ପରା । ସେ ଗାଁର ନାଁ ହେଉଛି ସାତଭାୟା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ଏହି ଗାଁ । ଏକ ହଜିଯାଇଥିବା ଗାାଁର ଅମର କାହାଣୀ । ଦିନେ ଏଇଠାରୁ ସାଧବ ପୁଅମାନେ ବୋଇତ ଧରି ବାଲି, ଜାଭା, ସୁମାତ୍ରା ଓ ଶ୍ରୀଲଙ୍କାକୁ ବାଣିଜ୍ୟ କରିବାକୁ ଯାଉଥିଲେ । କେବଳ ବାଣିଜ୍ୟ ନୁହେଁ³ ବିଦେଶ ମାଟିରେ ପହଞ୍ଚାଉଥିଲେ ଉତ୍କଳୀୟ କଳା, ସଂସ୍କୃତିର ବାର୍ତ୍ତା । ସାତ ସାଧବ ଭାଇ ଓ ଭଉଣୀ ତଅପୋଇଙ୍କ କାହାଣୀ ଆଜି ବି ଖୁଦୁରୁକୁଣୀରେ ଜୀବନ୍ତ । ହେଲେ ସମୟ ସହ ସାତଭାୟାର ସେ ଭାଗ୍ୟ ବଦଳି ଯାଇଛି । ସମୁଦ୍ରର କରାଳ ଗ୍ରାସରେ ଲୀନ ହୋଇଯାଇଛି ଗାଁ । ୨୦୧୮ ମସିହାରେ ବିସ୍ଥାପିତ ହୋଇଛନ୍ତି ୭୦୦ରୁ ଊଦ୍ଧ୍ୱର୍ ପରିବାର । ମା’ ପଞ୍ଚୁବରାହୀଙ୍କୁ ବି ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ସେଥିପାଇଁ ସାତଭାୟାକୁ ଭାରତର ପ୍ରଥମ ଜଳବାୟୁ ଶରଣାର୍ଥୀ ଗାଁ କୁହାଯାଏ ।
ଏବେ ଭିଟାମାଟି ସିନା ହଜିଯାଇଛି, ହେଲେ ଇତିହାସ ଆଜି ଜୀବିତ । ପ୍ରତି କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣରେ ପୁଣି ଜୀବନ୍ତ ହୋଇଉଠେ ସାଧବପୁଅଙ୍କ ସେହି ଗୌରବମୟ ଗାଥା । ଏବେ ବି ଐତିହ୍ୟକୁ ମନେ ପକାଇଛନ୍ତି ସାତଭାୟା ଗ୍ରାମବାସୀ ଓ ବୁଦ୍ଧିଜୀବୀ । ଏବେ ଚାରିଆଡ଼େ ବାଲିର ରାଜୁତି । ମୁଣ୍ଡ ଟେକି ଛିଡ଼ା ହୋଇଛି ମୃତ ପ୍ରାୟ ଝାଉଁଗଛ । ଆଉ ଦୂରରୁ ଶୁଭୁଛି ସମୁଦ୍ରର ଗର୍ଜନ । ଏକଦା ୭ଟି ଗାଁକୁ ନେଇ ଗଢ଼ି ଉଠିଥିବା ଏହି ଅଞ୍ଚଳ ଥିଲା ପ୍ରାଚୀନ କଳିଙ୍ଗର ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର । ସ୍ଥାନୀୟ ବାସିନ୍ଦା ନିରଞ୍ଜନ ସ୍ୱାଇଁଙ୍କ କହିବା ଅନୁଯାୟୀ ସାଧବ ସାତଭାଇଙ୍କ ନାଁରେ ସାତଭାୟା ସ୍ଥାପିତ ହୋଇଛି । ସାତଟି ଗାଁ ଥିଲା । ସେଇ ସାତଟି ଗାଁରେ ସାଧବ ସାତଭାଇ ବସତି ସ୍ଥାପନ କରି ରହୁଥିଲେ । ଏହି ମାଟିରୁ ବ୍ରାହ୍ମଣୀ, ବୈତରଣୀ ନଦୀ ମୁହାଣ ଦେଇ ବୋଇତ ଯାଉଥିଲା ଦୂର ଦେଶକୁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସେମାନେ ପୂଜା କରି ଏଠାରୁ ନୌବାଣିଜ୍ୟ ପାଇଁ ବାହାରିଯାଆନ୍ତି । ହେଲେ ସେ ଗୌରବ ବେଶି ଦିନ ରହିଲାନି । ୧୬୦୦ ଶତାବ୍ଦୀରେ ଗଜତପତି ସାମ୍ରାଜ୍ୟ ଦୁର୍ବଳ ହେଲା । ନଦୀ ମୁହାଣ ପୋତି ହୋଇଗଲା । ଇଂରେଜ ଆସିବା ପରେ ଏହି ପରମ୍ପରା ପୂରା ବନ୍ଦ ହୋଇଗଲା । ବୋଇତ ଆଉ ସମୁଦ୍ରକୁ ଗଲାନାହିଁ । ଯେଉଁ ସମୁଦ୍ର ସାଧବ ପୁଅଙ୍କୁ ଧନ ଦେଇଥିଲା, ସେଇ ସମୁଦ୍ର ସାତଭାଇଙ୍କୁ ଖାଇଗଲା । ସାତଭାୟା ବୁଡ଼ିଯାଇଛି ସତ³ ହେଲେ ସାଧବ ପୁଅଙ୍କ କାହାଣୀ ବୁଡ଼ିନାହିଁ ।
ନଳିନୀକାନ୍ତ ବିଶ୍ୱାଳଙ୍କ କହିବା କଥା, ଆମେ ବାପା, ଅଜାଙ୍କଠାରୁ ଶୁଣିଛୁ ତଅପୋଇଙ୍କ ଗାଁ ଥିଲା ସାତଭାୟା । ତାଙ୍କର ସାତ ଭାଇ ଥିଲେ । ଆଜି ବି ଗ୍ରାମର ବୟସ୍କ ଲୋକଙ୍କ ସ୍ମୃତିରେ ସାଧବ ପୁଅଙ୍କ କାହାଣୀ ଜୀବନ୍ତ ରହିଛି । ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ବାଲି, ମାଳୟ, ଲଙ୍କା, ତିକ୍ର ତ ବିଭିନ୍ନ ଆଡ଼େ ସେମାନଙ୍କ ନୌବାଣିଜ୍ୟ ଥିଲା । ପୁଣି ୫ରୁ ୬ ମାସ ପରେ ଫେରୁଥିଲେ । କିନ୍ତୁ ପଞ୍ଚୁବରାହୀଙ୍କୁ ପ୍ରଥମେ ପୂଜା କରି ସେମାନେ ନୌଯାତ୍ରାରେ ବାହାରି ଯାଉଥିଲେ । ପଞ୍ଚୁବରାହୀ ହେଉଛନ୍ତି ମା’ ମଙ୍ଗଳା । ଏହି ମା’ ମଙ୍ଗଳାଙ୍କୁ ପୂଜା କରି ତଅପୋଇଙ୍କ ଦୁଃଖ ଦୂର ହୋଇଥିଲା । ସମାଜସେବୀ ସୁଦର୍ଶନ ରାଉତଙ୍କ କହିବା କଥା, ସମୁଦ୍ର ଆମର ଭିଟାମାଟି ଛଡ଼ାଇ ନେଲା । ହେଲେ ଆମର ପରମ୍ପରା, ସଂସ୍କୃତି ଛଡ଼ାଇ ନେଇପାରିଲା ନାହିଁ । ରାଜନଗର ତହସିଲଦାର ଯାଶୁଖ୍ରୀଷ୍ଟ ଦାସ କହିଛନ୍ତି ଉତ୍କଳୀୟ ଇତିହାସରେ ଗୋଟିଏ ସ୍ୱତନ୍ତ୍ର ପୃଷ୍ଠା ହେଉଛି ନୌବାଣିଜ୍ୟ । ନୌବାଣିଜ୍ୟ କଥା ଉଠିଲେ କେଉଁଠି ନା କେଉଁଠି ତଅପୋଇର କାନ୍ଦଣାର ସ୍ୱର ଶୁଭେ । ତା’ ସହ ସାତଭାୟାର କଥା ଉଠେ । ମା’ ମଙ୍ଗଳାଙ୍କୁ ପୂଜି ନୌବାଣିଜ୍ୟ ପାଇଁ ବାହାରି ଯାଉଥିବା ସାଧବ ପୁଅମାନଙ୍କ ବିଷୟରେ ଆଲୋଚନା ହୁଏ । ସେମାନେ ଉତ୍କଳୀୟ ସଂସ୍କୃତିକୁ ଦେଶବିଦେଶରେ ବାଣ୍ଟୁଥିଲେ।
ସୌଜନ୍ୟ ପ୍ରମେୟ




