ବିଲ୍ଡିଂ ପ୍ଲାନ ନିୟମରେ ହେବ ବଡ଼ ପରିବର୍ତ୍ତନ: ଆବାସିକ ଅଞ୍ଚଳରେ ବ୍ୟବସାୟକୁ ମିଳିବ ଅନୁମତି, ଖୋଲିବ ଦୋକାନ ଓ ଅଫିସ୍

ଭୁବନେଶ୍ୱର ୨୬/୧୧: ଏଣିକି ଆବାସିକ ଅଞ୍ଚଳରେ ବ୍ୟବସାୟ କରିବାକୁ ଅନୁମତି ମିଳିବ । ସହରାଞ୍ଚଳ ଯୋଜନା ଓ ନିର୍ମାଣ ନିୟମରେ ବଡ଼ କୋହଳ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ(ଯୋଜନା ଓ ନିର୍ମାଣ ମାନକ) ଦ୍ୱିତୀୟ ସଂଶୋଧନ ନିୟମ ୨୦୨୬ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି ।
ଏହି ନୂଆ ନିୟମ ଅନୁସାରେ ଏବେ ଯାହା ମନା ନାହିଁ, ତାହା ଅନୁମତି ବୋଲି ଧରାଯିବ । ଏହା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, କୋଣାର୍କ-ପୁରୀ, ପାରାଦୀପ, ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଓ ବ୍ରହ୍ମପୁର ଭଳି ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଲାଗୁ ହେବ । ରାଜ୍ୟ ସରକାର ଫ୍ଲାନିଂ ଆପ୍ରୁଭାଲରେ କୋହଳ କରିବେ । ରାସ୍ତା ଓସାର ହିସାବରେ ଦୋକାନ, ସୋ ରୁମ୍, ସୁପରମାର୍କେଟ୍ ଆଦି ଖୋଲିପାରିବ । ଯଦି କୌଣସି ବ୍ୟବସାୟୀ ବାର କିମ୍ବା ପବ୍ ଖୋଲିବାକୁ ଚାହୁଛନ୍ତି ତାହାଲେ ଅତି କମରେ ୩୦ ମିଟର ଓସାର ରାସ୍ତା ଦରକାର ।
ସେହିପରି କାର୍, ବାଇକ୍ ସୋ-ରୁମ୍ ଓ ମଲ୍ଟିପ୍ଲେକ୍ସ ପାଇଁ ଅତି କମରେ ୨୪ ମିଟର ଓସାର ରାସ୍ତା ଦରକାର । ଏହା ସହ ସୁପରମାର୍କେଟ୍ ଓ ଅଟୋ ସର୍ଭିସ୍ ସେଣ୍ଟର ପାଇଁ ଅତି କମରେ ୧୮ ମିଟର ଓସାର ରାସ୍ତା ଦରକାର । ଛୋଟ ଦୋକାନ ଓ ବ୍ୟବସାୟ ପାଇଁ ସରୁ ରାସ୍ତାରେ ବି ଅନୁମତି ମିଳିବ । କେତେ ମହଲା ବ୍ୟବହାର ହେବ ସେହି ହିସାବରେ ଘରେ ଛୋଟ ବ୍ୟବସାୟ ଓ ପ୍ରଫେସନାଲ୍ ଅଫିସ୍ ପାଇଁ ବି ଅନୁମତିର ବ୍ୟବସ୍ଥା ରହିଛି । କିନ୍ତୁ ସର୍ତ୍ତ ହେଉଛି – ଆବାସିକ ଘରର ଅତି କମରେ ୭୫% କାର୍ପେଟ୍ ଏରିଆ ବ୍ୟବହାର ଯୋଗ୍ୟ ଦରକାର ।
ସହରରେ ଆବାସିକ ଅଞ୍ଚଳରେ ବ୍ୟବସାୟ ଉପରେ ଚଢ଼ଉ ପରେ ଏହି ନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଖାଲି ଏତିକି ନୁହେଁ, ପ୍ରସ୍ତାବିତ ରାସ୍ତା ଜମିରେ ବି ନିର୍ମାଣ ହୋଇ ପାରିବ । ଯେଉଁ ଜମି ପ୍ରସ୍ତାବିତ ରାସ୍ତା ପାଇଁ ଚିହ୍ନଟ ହୋଇଛି, ସେଥିରେ ସୀମିତ ନିର୍ମାଣ କରିପାରିବେ ଜମି ମାଲିକ । ଉଚ୍ଚତା ୭ ମିଟରରୁ ଅଧିକ ହେବନି, ପ୍ଲଟ୍ର ୫୦%ରୁ ଅଧିକ ଘେରିବନି, ବେସମେଣ୍ଟ କରିପାରିବେନି । କିନ୍ତୁ ପରେ ସରକାର ରାସ୍ତା ପାଇଁ ଜମି ଅଧିଗ୍ରହଣ କରିପାରିବେ । ଇଣ୍ଡଷ୍ଟ୍ରିଆଲ୍ ଜୋନ୍ରେ ବି ଅଧିକ କୋହଳ କରାଯାଇଛି, ତେବେ ପରିବେଶ ଓ ସୁରକ୍ଷା ନିୟମ ମାନିବାକୁ ପଡ଼ିବ । ଚିଠା ନିୟମ ଉପରେ ଲୋକଙ୍କ ମତାମତ ଓ ଆପତ୍ତି ମଗାଯାଇଛି ।
ସୌଜନ୍ୟ ପ୍ରମେୟ




